ର˚ଗ ମିସ୍ତ୍ରିଙ୍କ ଆକାଉଣ୍ଟରେ ୫ କୋଟି, ଆୟକର ବିଭାଗରେ ହାଜର ପାଇଁ ନୋଟିସ୍‌

ପୁରୀଘାଟରୁ ଭୁବନେଶ୍ୱର ଠକଙ୍କ ନେଟ୍‌ଵାର୍କ

କଟକ : ସ୍ବାମୀ ରଙ୍ଗ ମିସ୍ତ୍ରି। ସ୍ତ୍ରୀ ପର ଘରେ କାମ କରନ୍ତି। କିନ୍ତୁ ଏହି ଦମ୍ପତିଙ୍କ ବ୍ୟାଙ୍କ ଆକାଉଣ୍ଟର‌୍‌ରେ ୪ କୋଟି ୪୩ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଛି। ଏଭଳି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଟକ ପୁରୀଘାଟ ଏବ˚ ଭୁବନେଶ୍ବରର ତିନି ଜଣ ଠକ ଏହି ଦମ୍ପତିଙ୍କ ନାଁରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ଏ ପ୍ରକାର ଅର୍ଥ କାରବାର କରିଛନ୍ତି। ଗୋଟିଏ ପଟେ ଏତେ ପରିମାଣର ଅର୍ଥ କାରବାର ହୋଇଥିବା ବେଳେ ଆୟକର ଦାଖଲ ହୋଇନଥିବାରୁ ଆୟକର ବିଭାଗରୁ ଦମ୍ପତିଙ୍କ ଠିକଣାରେ ବାରମ୍ବାର ନୋଟିସ୍‌ ଆସୁଛି।

କଟକ ସାଲେପୁର ବୋଦାମୁଣ୍ତାଇର ଦେବେନ୍ଦ୍ର ରାଉତ ଏବ˚ ସ୍ତ୍ରୀ ସସ୍ମିତା ସେଠୀ ଏବେ ଗାଁରେ ରହୁଥିବା ବେଳେ ଗତ ୩ ବର୍ଷ ତଳେ ପୁରୀଘାଟ ବଙ୍ଗାଳୀସାହିରେ ଜଣେ ବ୍ୟକ୍ତିଙ୍କ ଘରେ ରହି ରୋଗୀ ସେବା କରୁଥିଲେ। ଏଥିପାଇଁ ମାସିକ ପାରିଶ୍ରମିକ ବି ପାଉଥିଲେ। କାମ କରିବା ଭିତରେ ଜଣେ ଅଜଣା ସ୍ତ୍ରୀ ଲୋକ ସସ୍ମିତାଙ୍କ ସହିତ ଭେଟ ହୋଇ ଏକ କାଉଣ୍ଟରରେ କାମ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। ମାସିକ ୮ ହଜାର ଟଙ୍କା ମିଳିବା ସମ୍ପର୍କରେ କହି ପ୍ରଲୋଭିତ କରିଥିଲା। ସମ୍ପୃକ୍ତ ମହିଳା ଜଣକ ପୁରୀଘାଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ପରେ ସସ୍ମିତାଙ୍କୁ ଭୋଟର ପରିଚୟପତ୍ର ମାଗିଥିଲେ। ପରେ ସସ୍ମିତା ଏବ˚ ଦେବେନ୍ଦ୍ରଙ୍କ ନାଁ ରେ ପ୍ୟାନ୍‌ କା଼ର୍ଡ ତିଆରି କରିଥିଲେ। ମହତାବରୋଡସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରେ ୨୦୧୬-୧୭ ମସିହାରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥିଲେ ପୁରୀଘାଟର ଉକ୍ତ ବ୍ୟକ୍ତି। ନିଜ ଆଡ଼ୁ ବି ଦୁଇଟି ଜମାଖାତାରେ ସେ ଟଙ୍କା ଜମା କରିଥିଲେ। ସସ୍ମିତା ଏବ˚ ଦେବେନ୍ଦ୍ରଙ୍କୁ ସେମାନେ ଭୁବନେଶ୍ବର ବାଣୀବିହାର ନିକଟରେ ଥିବା ଏକ ଫାର୍ମ ହାଉସ୍‌ ନେଇ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିକଟରେ ଫଟୋ ଉଠାଇବା ସହିତ ସାଦା କାଗଜରେ ଦସ୍ତଖତ କରାଇଲେ। ଏତେ ସବୁ କଲା ପରେ ବି ଚାକିରି ମିଳିନଥିଲା। ଚାକିରି କଥା ପଚାରିବାରୁ କାଉଣ୍ଟର ଖୋଲି ନଥିବା ବଙ୍ଗାଳୀସାହିର ସମ୍ପୃକ୍ତ ମହିଳା ଜଣକ କହିଥିଲେ। ନିକଟରେ ସସ୍ମିତାଙ୍କ ପୁଅ ଦେହ ଖରାପ ହେବାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ତାଙ୍କୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଦେଇଥିଲେ।

କିନ୍ତୁ ବିଭିନ୍ନ ସମୟରେ ଆୟକର ବିଭାଗରୁ ଦମ୍ପତିଙ୍କ ନିକଟରୁ ହାଜର ପାଇଁ ନୋଟିସ୍‌ ଆସୁଥିଲା। ଏସବୁ ନୋଟିସକୁ ସସ୍ମିତା ସମ୍ପୃକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦେଇ ଦିଅନ୍ତି। ଶେଷରେ ଗତ ଅଗଷ୍ଟ ୧୬ ତାରିଖରେ ନୋଟିସ୍‌ ଆସିଥିଲା। ଅଗଷ୍ଟ ୨୮ ତାରିଖରେ ସେମାନେ ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପୁଣି ୬ ତାରିଖରେ ଆଉ ଏକ ନୋଟିସ୍‌ ଆସିଥିଲେ। ଏଥିରେ ୧୮ ତାରିଖରେ ହାଜର ହେବାକୁ କୁହାଯିବାରୁ ସେମାନେ ଭୟରେ ଯାଇନଥିଲେ। ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ କୌଣସି କାରଣରୁ ଯାଞ୍ଚ କରିବାରୁ ଦେବେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ କୋଟି ୮୭ ଲକ୍ଷ ଟଙ୍କା ଏବ˚ ସସ୍ମିତାଙ୍କ ଆକାଉଣ୍ଟରେ ୧ କୋଟି ୫୬ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଥିବା ଜଣାପଡ଼ିଥିଲା। ବଙ୍ଗାଳୀସାହିର ମହିଳା, ପୁରୀଘାଟର ଜନୈକ ବ୍ୟକ୍ତି ଏବ˚ ଭୁବନେଶ୍ବରର ଚାଟାର୍ଡ ଆକାଉଣ୍ଟାଣ୍ଟ ଗରିବ ଦମ୍ପତିଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ବିପୁଳ ପରିମାଣର ଅର୍ଥ କାରବାର କରିଥିବା ଜଣାପଡ଼ିଛି। ଏବେ ସସ୍ମିତା ଭୟଭୀତ ଅବସ୍ଥାରେ ଥିବା ବେଳେ ଘଟଣାର ତଦନ୍ତ କରାଗଲେ ସତ୍ୟାସତ୍ୟ ସାମନାକୁ ଆସିପାରିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର