ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ନିଜ ଜାଲରେ ଫସିଲେ

ଭୁବନେଶ୍ୱର/ବଲାଙ୍ଗୀର : ପ୍ରତିଶୋଧର ଜବାବ ‘ମୃତ୍ୟୁଦଣ୍ଡ’ରେ ଦେବା ପାଇଁ ନିଷ୍ପତ୍ତି ନେବା ପରେ ଏକା ଏକା ଷଡ଼ଯନ୍ତ୍ର ରଚନା କରିଥିଲେ ଭଇଁଷା ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ଉଦ୍ଦେଶ୍ୟ ଥିଲା, ନା କାହାକୁ ସାମିଲ କରିବେ, ନା କେଉଁଠି ପ୍ରମାଣ ଛାଡିବେ। ଅପରେସନ୍‌ କଲେ, ସଫଳ ବି ହେଲେ। ସମ୍ପୂର୍ଣ୍ଣ ପରିବାରକୁ ଉଡ଼ାଇ ନ ପାରିଲେ ବି ପ୍ରତିଶୋଧ ନେଲେ ସୌମ୍ୟଶେଖର ସାହୁଙ୍କ ମା’ ସଂଯୁକ୍ତାଙ୍କ ଠାରୁ। ତାଙ୍କର ଯଥେଷ୍ଟ କ୍ଷତି ପହଞ୍ଚାଇଲେ। କିଛି ବି ପ୍ରମାଣ ଛାଡିଲେନି।

ହେଲେ ଭଗବାନଙ୍କ ବିଚାର ଥିଲା କିଛି ଅଲଗା। ତାଙ୍କ ସାହସ ବଢିଲା। ପୁଣି ଏକ ଷଡ଼ଯନ୍ତ୍ର ରଚନା କଲେ। ଏଥର ପ୍ରତିଶୋଧ ନଥିଲା, ବରଂ ‘ମୃତ୍ୟୁଦଣ୍ଡ’ର ତଦନ୍ତକୁ ଦିଗହରା କରିବା ଲାଗି ବିଧିବଦ୍ଧ ଯୋଜନା କରିଥିଲେ। ହେଲେ ଭାଗ୍ୟ ସାଥ୍‌ ଦେଲାନି। ନିଜ ପେଶିଥିବା ଅସ୍ତ୍ରରେ ନିଜେ ଫସିଗଲେ। ବଲାଙ୍ଗୀର ଏସ୍‌ପିଙ୍କୁ ପଠାଇଥିବା ବେନାମୀ ଚିଠି ତାଙ୍କ ପାଇଁ କାଳ ହେଲା। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍‌ରା ଓ ତାଙ୍କ ଟିମ୍‌ ଏହି ଚିଠିକୁ ପିଛା କରି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଉପରୁ ପରଦା ହଟାଇବାରେ ଆଜି ସକ୍ଷମ ହୋଇଛନ୍ତି।

ମାମଲାଟି ଯେତିକି ଲୋମହର୍ଷଣକାରୀ ଥିଲା, କ୍ରାଇମବ୍ରାଞ୍ଚ ଆଜି ଦେଇଥିବା ସୂଚାଇ ଦେଇଛି ଯେ ‘ମୃତ୍ୟୁଦଣ୍ଡ’ ପଛର ଷଡ଼ଯନ୍ତ୍ର ତା ଠାରୁ ଅଧିକ ଭୀଷଣ, ଜଘନ୍ୟ ଓ ହୃଦୟ ଥରାଇ ଦେବା ଭଳି। ପେଷାକୁ ନେଇ ସହଯୋଗୀ ଏଭଳି ପ୍ରତିଶୋଧ ରଚନା କରିପାରନ୍ତି, ଏକଥା ଆଜି ସବୁ ମହଲକୁ ଚକିତ କରିଦେଇଛି। ଭଦ୍ର ମୁଖା ତଳେ ଏଭଳି ଭୀଷଣ ଓ ଭୟାନକ ଚରିତ୍ର ଲୁଚି ରହିଥାଇପାରେ, ଆଜି କ୍ରାଇମବ୍ରାଞ୍ଚର ସାମ୍ବାଦିକ ସମ୍ମିଳନୀ ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି।

କେମିତି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ନିକଟରେ ପହଞ୍ଚିଲା, ସେସଂପର୍କରେ ଶ୍ରୀ ବୋଥ୍‌ରା ଦେଇଥିବା ତଥ୍ୟ ହେଉଛି, ଗତ ଏପ୍ରିଲ ୩ ତାରିଖରେ ପୁଞ୍ଜିଲାଲ ବଲାଙ୍ଗୀର ଆସି ଏକ ଚିଠି ପଠାଇଥିଲେ ଏସ୍‌ପି କେ ଶିବା ସୁବ୍ରମଣିଙ୍କ ନିକଟକୁ। ୪ ତାରିଖରେ ଏହି ଚିଠି ଏସ୍‌ପିଙ୍କ ହସ୍ତଗତ ହୋଇଥିଲା। ଏହା ଯେ ପ୍ରଥମ ଚିଠି ଥିଲା, ତା ନୁହେଁ, ଏମିତି ଅନେକ ଚିଠି ପୂର୍ବରୁ ପାଇଥିଲା ପୁଲିସ। ଏହି ଚିଠି କ୍ରାଇମବ୍ରାଞ୍ଚ ହାତରେ ପଡିବା ପରେ ତଦନ୍ତର ମୋଡ଼ ବଦଳିଥିଲା। ପୁଲିସ ଏଭଳି ହତ୍ୟାକାଣ୍ଡ ପଛର କାରଣ ପ୍ରେମ ବା ଅର୍ଥ ହୋଇପାରେ ବୋଲି ଯେଉଁ ଧାରଣା କରିଥିଲା, ସେଥିରୁ ଓହରି ଯାଇଥିଲା।

ଏହି ବେନାମୀ ଚିଠିର ଦ୍ୱିତୀୟ ଧାଡିରେ ଲେଖାଯାଇଥିଲା ପାର୍ସଲ ଏସ୍‌ କେ ଶର୍ମା ନୁହେଁ, ବରଂ ଏସ୍‌ କେ ସିହ୍ନା। କେବଳ ସେତିକି ନୁହେଁ, ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ସଙ୍କେତ ଦିଆଯାଇଥିଲା ଓ ହତ୍ୟାକାଣ୍ଡର କାରଣ ପଛରେ ଅର୍ଥ ଓ ବିଶ୍ୱାସଘାତ ବୋଲି ସୂଚାଇ ଦିଆଯାଇଥିଲା। ଏକଥା ବି କୁହାଯାଇଥିଲା ଯେ ସମୁଦାୟ ପରିବାରକୁ ହତ୍ୟା କରିଥିଲେ ବି ଆମର କ୍ଷତି ପୂରଣ ହୋଇପାରିବ ନାହିଁ।

ପୁଲିସକୁ ବିଭ୍ରାନ୍ତ ଜାଲରେ ଛନ୍ଦି ଦେଇ ଖସିଯିବା ଲାଗି ଯେଉଁ ଦ୍ୱିତୀୟ ଷଡ଼ଯନ୍ତ୍ର ରଚନା ହେଲା, ତାହା ତଦନ୍ତକୁ ବିଭ୍ରାନ୍ତ କରିବା ପରିବର୍ତେ ବାଟ ଦେଖାଇଲା। ପାର୍ସଲରେ ଆର୍‌ କେ ଶର୍ମା ଲେଖାଯାଇଥିବା ନେଇ ସମସ୍ତେ ଜାଣିଥିଲେ। ପୁଲିସ ଓ କ୍ରାଇମବ୍ରାଞ୍ଚ ବି ସେୟା କହି ଚାଲିଥିଲା। ଗଣମାଧ୍ୟମରେ ସମାନ ନାମ ପ୍ରକାଶ ପାଉଥିଲା। ଇଏ ଏମିତି କିଏ ଯେ ପାର୍ସଲ ପଠାଇଥିବା ବ୍ୟକ୍ତି ଶର୍ମା ନୁହେଁ ସିହ୍ନା ବୋଲି ଜାଣିଲା? ଯଦିଓ ଏ ଦିଗଟିକୁ କ୍ରାଇମବ୍ରାଞ୍ଚ ବିଶ୍ୱାସ କରିଥିଲା, ମାମଲାକୁ ହଜାଇ ଦେବା ଲାଗି କୋଟି କୋଟି ଟଙ୍କା କାରବାର କଥା କୁହାଯାଇଥାଇପାରେ ବୋଲି ପୁଲିସ ସନ୍ଦେହ କରିଥିଲା। ଏଇ ଦୁଇଟି ଖିଅ ତଦନ୍ତର ମୋଡ଼ ବଦଳାଇ ଦେଇଥିଲା।

ସ୍ଥାନୀୟ ଅଞ୍ଚଳରେ ପୁଞ୍ଜିଲାଲ ସହିତ ସଂଯୁକ୍ତାଙ୍କ ଶତ୍ରୁତା ସଂପର୍କରେ ଚର୍ଚ୍ଚା ଥିଲା। ମାତ୍ର ପୁଲିସ ବା କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନଥିଲା। ଚିଠିରେ ଲେଖାଯାଇଥିବା ଭାଷା କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ସହଜ କରିଦେଇଥିଲା। କୌଣସି ଗବେଷଣାରତ ବ୍ୟକ୍ତିର ଭାଷା ଏଥିରେ ଲେଖାଯାଇଥିବା ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ସିଧା ପହଞ୍ଚିଥିଲା ପୁଞ୍ଜିଲାଲଙ୍କ ପାଖରେ।

ଗତ ରବିବାର ଅଧ୍ୟାପକ ମେହେରଙ୍କ ଘରେ ଚଢ଼ଉ କରାଯାଇଥିଲା। ଲାପଟପ୍‌, ମୋବାଇଲ ଓ କାଗଜ ଜବତ କରିଥିଲେ ତଦନ୍ତକାରୀ ଦଳ। ଏହି ଜବତ କାଗଜ ଭିତରେ ରାୟପୁରରୁ ପାର୍ସଲ ପଠାଇବା ବେଳେ କୋରିଅର ସଂସ୍ଥା ପକ୍ଷରୁ ଦିଆଯାଇଥିବା ରସିଦ ମିଳିଥିଲା। ଏଥର କ୍ରାଇମବ୍ରାଞ୍ଚ ନିଶ୍ଚିତ ହୋଇଯାଇଥିଲା ଯେ ପୁଞ୍ଜିଲାଲ ହିଁ ଷଡ଼ଯନ୍ତ୍ରକାରୀ। ପୁଞ୍ଜିଲାଲଙ୍କୁ ଉଠାଇ ନେଇ ଆରମ୍ଭ ହୋଇଥିଲା ତନାଘନା ଜେରା। ଏଥର ପୁଞ୍ଜିଲାଲ ସତ ଓଗାଳିଥିଲେ। ବର୍ଣ୍ଣନା କରିଥିଲେ, କେମିତି ଭିଆଇଥିଲେ ଷଡ଼ଯନ୍ତ୍ର ଓ କଣ ଥିଲା ତାଙ୍କର ଉଦ୍ଦେଶ୍ୟ।

କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ, ୭ ମାସ ତଳୁ ଅଧ୍ୟାପକ ମେହେର ବିସ୍ଫୋରକ ବନାଇବା ଅପରେସନ୍‌ ଆରମ୍ଭ କରିଥିଲେ। ୟୁଟ୍ୟୁବରୁ ବୋମା ବନାଇବାର କୌଶଳ ଶିଖିଥିଲେ। ଏଥିପାଇଁ ବଲାଙ୍ଗୀରରୁ ଦୀପାବଳି ସମୟରେ ବିପୁଳ ପରିମାଣର ବାଣ କିଣିଥିଲେ। ବାଣରୁ ବାରୁଦ କାଢ଼ି ବୋମା ବନାଇବା ଆରମ୍ଭ କରିଥିଲେ। ଛୋଟ ଛୋଟ ବୋମା ବନାଇ ପ୍ରାୟ ଶହେ ଥର ପରୀକ୍ଷା ନିରୀକ୍ଷା କରିଥିଲେ। ଯେହେତୁ ପିଏଚ୍‌ଡି ପାଇଁ ସେ ପ୍ରସ୍ତୁତ ହେଉଥିଲେ। ରାତିରେ ପରିବାର ଲୋକେ ଶୋଇଯିବା ପରେ ସେ ପ୍ରସ୍ତୁତି ନାଁରେ ବୋମା ବନାଉଥିଲେ। ୨କେଜି ବାରୁଦରେ ସେ ବୋମା ବନାଇଥିଲେ। ବାରୁଦ ସହ ସର୍କିଟ ଯୋଡ଼ିବା ସହ ତା’ ଉପରେ ଲିଚୁ ଲାଇଟ୍‌ରେ ଲାଗୁଥିବା ଫିଲାମେଣ୍ଟ ଯୋଡ଼ିଥିଲେ।

ଯୋଜନା ବାସ୍ତବ ରୂପ ଦେବା ପୂର୍ବରୁ ଅର୍ଥାତ୍‌ ୧୫ ତାରିଖ ଦିନ ପୁଞ୍ଜିଲାଲ କଲେଜ ଯାଇଥିଲେ। ଗୋଟିଏ କ୍ଲାସ କରିବା ସହ ଉପସ୍ଥାନ ଖାତାରେ ଦସ୍ତଖତ ଦେଇ ଫେରିଥିଲେ। ତାଙ୍କୁ ଯେମିତି କେହି ଚିହ୍ନି ନପାରିବେ ସେଥିପାଇଁ ବେଶଭୂଷା ବଦଳାଇଥିଲେ। ଜ୍ୟାକେଟ, କ୍ୟାପ୍‌ ପିନ୍ଧି କଣ୍ଟାବାଂଜି ଷ୍ଟେସନରୁ ବିନା ଟିକଟରେ ଯାଇଥିଲେ ରାୟପୁର। ଅଟୋ ରିକ୍ସା ଧରି ବିଭିନ୍ନ କୋରିଅର ସଂସ୍ଥାକୁ ଯାଇଥିଲେ। ନିଜେ ପାର୍ସଲ ବୁକ୍‌ ନ କରାଇ ଅଟୋ ଚାଳକକୁ ଅସ୍ତ୍ର କରିଥିଲେ। ତା’ ସହାୟତାରେ ପାର୍ସଲ ବୁକ୍‌ କରିଥିଲେ। ବୋମା ପ୍ୟାକେଟକୁ ଉପହାର ଭଳି ସଜାଇଥିଲେ। ଆଉ ବିନା ଟିକଟରେ ଫେରି ଆସିଥିଲେ କଣ୍ଟାବାଂଜି। ୨୦ ତାରିଖରେ ସୌମ୍ୟ-ରୀମାଙ୍କ ଭୋଜିରେ ସାମିଲ ହୋଇ ଆଶୀର୍ବାଦ ଦେଇଥିଲେ ନବଦଂପତିଙ୍କୁ। ବାସ୍‌ ତା ପରେ ଯାହା ଘଟିଲା, ତାହା ଓଡ଼ିଶା ଇତିହାସରେ ସବୁଦିନ ପାଇଁ ଏକ ଚର୍ଚ୍ଚିତ ଘଟଣା ହିସାବରେ ମନେ ରହିବ।

ଶ୍ରୀ ବୋଥ୍‌ରା କହିଛନ୍ତି, ଏକୁଟିଆ ସବୁ ଅପରେସନକୁ ପୁଞ୍ଜିଲାଲ କରୁଥିଲେ କାରଣ ଅନ୍ୟ କେହି ସାମିଲ ହେଲେ ମାମଲା ପ୍ରଘଟ ହେବାର ସମ୍ଭାବନା ରହିଥିଲା। ଏପରିକି ନିଜ ହାତରେ ଚିଠି ନଲେଖି ସେ ଲାପଟପ୍‌ରେ ଡିଟିପି କରି ପେନ୍‌ଡ୍ରାଇଭରେ ନେଇଥିଲେ ଓ ଅନ୍ୟତ୍ର ଚିଠିକୁ ପ୍ରିଣ୍ଟ କରି ୩ ତାରିଖରେ ବଲାଙ୍ଗୀରରୁ ଏସ୍‌ପିଙ୍କ ନିକଟକୁ ପଠାଇଥିଲେ। ଚଢାଉ ବେଳେ ଯେଉଁ ଲଫାଫାରେ ଚିଠି ଆସିଥିଲା, ସେହିଭଳି ଆଉ ୯ଟି ଅବିକଳ ଲଫାଫା ଅଧ୍ୟାପକ ମେହେରଙ୍କ ଘରୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପାଟଣାଗଡ଼ ଭଇଁଷା ଜ୍ୟୋତିବିକାଶ ଜୁନିଅର କଲେଜର ଅଧ୍ୟକ୍ଷ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର। ବର୍ଷେ ତଳେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ବଦଳି ହୋଇ ଆସିଥିଲେ ଏହି କଲେଜକୁ। ବରିଷ୍ଠତା ଭିତ୍ତିରେ ସରକାରଙ୍କ ପକ୍ଷରୁ ଶ୍ରୀମତୀ ସାହୁଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ନିର୍ଦେଶ ହୋଇଥିଲା। ଏହାକୁ ନେଇ ମନୋମାଳିନ୍ୟ ଦେଖା ଦେଇଥିଲା ଓ ପରେ ଏହି ଅସନ୍ତୋଷରୁ ଧୀରେ ଧୀରେ ବିଶାଳ ରୂପ ଧାରଣ କରି ପୁଞ୍ଜିଲାଲଙ୍କ ମୁଣ୍ଡରେ ପ୍ରତିଶୋଧ ନେବାର ଭୂତ ସବାର କରିଥିଲା। ସମୁଦାୟ ପରିବାରକୁ ଧ୍ୱଂସ ମୁହଁକୁ ଠେଲିଦେବା ଲାଗି ସେ ଏଭଳି ସାଂଘାତିକ ଷଡ୍‌ଯନ୍ତ୍ର ରଚନା କରିଥିବା କ୍ରାଇମବ୍ରାଞ୍ଚ କହିଛି।

ଅଧ୍ୟାପକ ମେହେରଙ୍କ ବିରୋଧରେ ଆଇପିସିର ୩୦୨, ୩୦୭, ୨୦୧ ସହ ବିସ୍ଫୋରକ ଆଇନ ୩/୪ରେ ମାମଲା ରୁଜୁ ହୋଇଛି। ବୁଧବାର ଦିନ ୫ଟା ବେଳେ ପାଟଣାଗଡ଼ ଏସ୍‌ଡିଜିଏମ୍‌ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ତାଙ୍କ ଜାମିନ ନାମଂଜୁର ହେବାରୁ ଜେଲ୍‌ ହାଜତକୁ ପଠାଯାଇଥିଲା। ଅନ୍ୟପଟେ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ ୬ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌। ଗୁରୁବାର କ୍ରାଇମବ୍ରାଞ୍ଚ ଅଧ୍ୟାପକ ମେହେରଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ତିନି ଦିନ ଧରି ଚାଲିଥିଲା ଝାଳବୁହା ଜେରା

ବଲାଙ୍ଗୀର : ରବିବାର ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ମେହେରଙ୍କ ଘରୁ ଉଠାଇଥିଲା କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଅନ୍ୟ ୭ଜଣଙ୍କୁ ମଧ୍ୟ ପଚରା ଉଚରା ପାଇଁ ଅଣାଯାଇଥିଲା। ଅଲଗା ଅଲଗା କରି ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍‌ରା ଓ ତାଙ୍କ ଟିମ୍‌। ସୋମବାର, ମଙ୍ଗଳବାର ବଲାଙ୍ଗୀର ସର୍କିଟ ହାଉସରେ ଝାଳବୁହା ଜେରା ହୋଇଥିଲା। ପାର୍ସଲ ବୋମା ରାୟପୁରରୁ ପଠାଯାଇଥିବାରୁ ସେଠାକୁ ବି ଶ୍ରୀ ମେହେରଙ୍କୁ ନିଆଯାଇଥିଲା।

ପାଟଣାଗଡ଼ ରାମପୁରସ୍ଥିତ ପୈତୃକ ଘରୁ ବାରୁଦ ମିଳିଥିବା ବେଳେ ମେହେରପଡ଼ା ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ମିଳିଥିଲା। ଭଇଁଷା କଲେଜରେ ସନ୍ଧାନୀ କୁକୁର ଲଗାଇ ତଲାସି ହୋଇଥିଲା। ବୁଧବାର ସକାଳେ ବଲାଙ୍ଗୀର ସର୍କିଟ୍‌ ହାଉସ୍‌ରେ ଅଟକ ରଖି ପଚରା ଉଚରା କରାଯାଉଥିବା ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧର ଠିକାଦାର ଚନ୍ଦ୍ରମଣି ମେହେର, ପାଟଣାଗଡ଼ର ପାର୍ସଲ ସଂସ୍ଥା ମାଲିକ ଦିଲୀପ ଦାସ, କୋରିଅର୍‌ ବଏ ସୁଶାନ୍ତ ସେଠଙ୍କୁ ପ୍ରଥମେ ଛାଡ଼ିଥିଲା କ୍ରାଇମବ୍ରାଞ୍ଚ। ଏହାର କିଛି ସମୟ ପରେ ନୂଆପଡ଼ାରୁ ପଚରା ଉଚରା ପାଇଁ ଅଣାଯାଇଥିବା ବୈବସୂତ ବିନ୍ଧାଣୀକୁ ବି ଛାଡିଦେଇଥିଲେ ତଦନ୍ତକାରୀ ଟିମ୍‌। ସର୍କିଟ ହାଉସ୍‌ରେ ରହି ଯାଇଥିଲେ ନୂଆପଡ଼ା ନେସ୍‌ନାଲ କଲେଜର ଅଧ୍ୟାପକ ଶିବପ୍ରସାଦ ଦାସ ଓ ଭଇଁଷା ଗାଁର ଉମେଶ ମଟାରୀ। ଦିନ ଗୋଟାଏ ବେଳକୁ ଶିବ ଓ ଉମେଶଙ୍କୁ ବି ଛାଡି ଦିଆଯାଇଥିଲା। ଏକଲା ରହିଯାଇଥିଲେ ଅଧ୍ୟାପକ ମେହେର। ଆଉ ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ପୁଲିସ ମୁଖ୍ୟାଳୟରେ କ୍ରାଇମବ୍ରାଞ୍ଚ ଆଇଜି ଶ୍ରୀ ବୋଥ୍‌ରା, ବଲାଙ୍ଗୀର ଏସ୍‌ପି କେ.ସିବା ସୁବ୍ରମଣି, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଅନୀଲ ଦାସ ଓ ଅତିରିକ୍ତ ଏସ୍‌ପି ଶଶିଭୂଷଣ ଶତପଥୀ ପ୍ରମୁଖ ପାର୍ସଲ ବୋମା ପ୍ରସଙ୍ଗରେ ମିଳିଥିବା ତଥ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର