୮୦ ଟପିବ ପେଟ୍ରୋଲ!

ଭୁବନେଶ୍ୱର : ଭୁବନେଶ୍ୱରରେ ଦିନେ ଦୁଇଦିନ ମଧ୍ୟରେ ପେଟ୍ରୋଲ ୮୦ ଟଙ୍କା ଏବଂ ଡିଜେଲ ୭୮ ଟଙ୍କା ଟପିଯିବା ଆଶଙ୍କା ଦେଖାଦେଇଛି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୭୯ ଟଙ୍କା ୩୬ ପଇସାରେ ଏବଂ ଡିଜେଲ ଦର ୭୭ ଟଙ୍କା ୯୧ ପଇସାରେ ପହଞ୍ଚି ଯାଇଛି। ଶନିବାର ତୁଳନାରେ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୧୨ ପଇସା ଏବଂ ୧୧ ପଇସା ବୃଦ୍ଧି ଘଟିଛି। ଚଳିତମାସ ଆରମ୍ଭରୁ ଇତିମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ୧ ଟଙ୍କା ୮୧ ପଇସା ଏବଂ ଡିଜେଲ ୨ ଟଙ୍କା ୩୬ ପଇସା ମହଙ୍ଗା ହୋଇଗଲାଣି। ତେବେ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ଟପି ଯାଇଥିବାବେଳେ ମୁମ୍ବାଇରେ ଏହା ୮୮ ଟଙ୍କା ପାଖାପାଖି ପହଞ୍ଚି ଯାଇଛି। ଦେଶରେ ତେଲ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ସୋମବାର ଭାରତ ବନ୍ଦ ଡାକରା ଦିଆଯାଇ ଥିଲେ ମଧ୍ୟ ସରକାର ତେଲ ଦର କମାଇବା ପ୍ରତି ଆଦୌ ଚିନ୍ତିତ ନଥିବା ମନେହେଉଛି। ଅତୀତରେ ସରକାର ଗତ ଏପ୍ରିଲରେ କର୍ଣ୍ଣାଟକ ନିର୍ବାଚନ ବେଳେ ୨୦ ଦିନ ପାଇଁ ଏବଂ ଗତବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁର ନିର୍ବାଚନ ବେଳେ ୭୫ ଦିନ ପାଇଁ ତେଲ ଦର ବୃଦ୍ଧି କରି ନଥିଲେ। ବର୍ଷ ଶେଷ ବେଳକୁ ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ସମେତ ତେଲେଙ୍ଗାନାରେ ନିର୍ବାଚନ ହେବାର ରହିଛି। ତେଣୁ ସେହି ସମୟରେ ସରକାର କମ୍ପାନି ଗୁଡ଼ିକୁ ତେଲ ଦର ସ୍ଥିର ରଖିବା ପାଇଁ ଏବଂ ଏପରିକି କମାଇବା ପାଇଁ ଅଲିଖିତ ନିର୍ଦେଶନାମା ଦେଇପାରନ୍ତି ବୋଲି ଆଶା କରାଯାଉଛି। ଏଣୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଦି ନ କମେ ଏବଂ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ନଆସେ ତହେଲେ ନିକଟ ଭବିଷ୍ୟତରେ ତେଲ ଦର ତାତିରୁ ଗ୍ରାହକଙ୍କୁ ରିହାତି ମିଳିବା ସମ୍ଭାବନା ଖୁବ୍‌ କମ୍‌ ରହିଛି।

ସମ୍ବନ୍ଧିତ ଖବର