ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା, ଗାନ୍ଧୀ ଜୟନ୍ତୀରୁ ନିଷିଦ୍ଧ ହେବ ପ୍ଲାଷ୍ଟିକ୍

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ କରାଯିବ। ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ଏହାକୁ କଡ଼ାକଡ଼ି ଲାଗୁ କରାଯିବ। ଏଥି ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ପ୍ଲ‌ାଷ୍ଟିକ୍ ନିଷିଦ୍ଧ ହେବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ‌ସିଙ୍ଗଲ୍‌ ୟୁଜ୍ ବା ଗୋଟିଏ ଥର ବ୍ୟବହାର କରି ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ୍ ବୋତଲ ଓ ବ୍ୟାଗ ବ୍ୟବହାର ବନ୍ଦ କରାଯିବ। ଏ ନେଇ ଗତ ୧୨ ତାରିଖରେ ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆହ୍ବାନ କରାଯାଇଛି। ସେମାନଙ୍କୁ ମତାମତ ଦେବା ପାଇଁ ୧୫ ଦିନ ସମୟ ଦିଆଯାଇଛି। ଏହା ବାଦ୍ ଗତ ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ପ୍ଲାଷ୍ଟିକ୍ ନିଷିଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ସବୁ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ କରିବେ। ତାହା ପରେ ସାରା ରାଜ୍ୟରେ ନିଷିଦ୍ଧ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲା ପରେ ତୁରନ୍ତ ଏହାକୁ ଲାଗୁ କରାଯିବ।

ଗତ ବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପାଞ୍ଚଟି ମହାନଗର ନିଗମ ଓ ପୁରୀ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ କରାଯାଇଥିଲା। ଏହା ମଧ୍ୟରେ ପାଖାପାଖି ଏକ ବର୍ଷ ବିତିଯାଇଥିଲେ ବି ୬ଟି ସହରରୁ ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ପ୍ରଶାସନ ସଫଳ ‌େହାଇ ନାହିଁ। ଅନ୍ୟ ସହର ଦୂରର କଥା, ଖୋଦ୍ ରାଜଧାନୀରେ ଖୋଲାଖୋଲି ଭାବେ ପ୍ଲାଷ୍ଟିକ୍ ବ୍ୟବହାର ‌ଚାଲିଛି। ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନିଆଯାଉନି। ତେଣୁ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ କେବଳ ଘୋଷଣାରେ ରହିବ ନା ବାସ୍ତବରେ କାର୍ଯ୍ୟକାରୀ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର