ଭୁବେନଶ୍ବର : ପିଏମ୍-କିଷାନ୍ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଜୋର୍ଦାର୍ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଗୋଟିଏ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟ୍କୁ ଯିବ। ଏଥି ନିମନ୍ତେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଏବଂ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ପଠାଇବାକୁ କୁହାଯାଇଛି। ଏହା ଶେଷ ତାରିଖ ଫେବ୍ରୁଆରି ୨୫ ରଖାଯାଇଛି। ଏହି ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ବି ଆରମ୍ଭ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରରୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପିଏମ୍-କିଷାନ ଯୋଜନାର ଗାଇଡ୍ଲାଇନ୍ ଆସିଛି। ମୁଖ୍ୟ ସଚିବ ବ୍ୟକ୍ତିଗତ ଭାବେ ଏହି ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ସହ ଫଳପ୍ରଦ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି। ଚିଠିରେ କୁହାଯାଇଛି, ଦୁଇ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ମିଳିବ। ଡିସେମ୍ବର ୧ରୁ ହିଁ ଏହି ଯୋଜନା ପିଛିଲା ଭାବେ କାର୍ଯ୍ୟକାରୀ ହେବ। ତେଣୁ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଥମ କିସ୍ତି ଭାେବ ୨ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟ୍କୁ ଯିବ। ତୁରନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ରକୁ ଦେବା ପାଇଁ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି। ହିତାଧିକାରୀମାନେ ଯେପରି ଏହି ଯୋଜନାରେ ଉପକୃତ ହେବେ, ସେଥି ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରଚାର, ପ୍ରସାର କରିବେ। ତାଲିକା ପ୍ରସ୍ତୁତିରେ ସ୍ବଚ୍ଛତା ଆଣିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ଏହାକୁ ଯାଞ୍ଚ୍ କରି ଚୂଡ଼ାନ୍ତ କରିବାକୁ କେନ୍ଦ୍ର ସରକାର ପରାମର୍ଶ େଦଇଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ସମୟସୀମା ଫେବ୍ରୁଆରି ୨୫ ସୁଦ୍ଧା ତାଲିକା ଦେବା ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ସରକାର କହିସାରିଛନ୍ତି। ଫଳରେ ଏହାକୁ ନେଇ ଏକ ବିତର୍କର ସୂତ୍ରପାତ ହୋଇଛି। ଓଡ଼ିଶା ସରକାର ନିର୍ଦ୍ଧାରିତ ସମୟରେ ତାଲିକା ଦେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏହି ଯୋଜନାକୁ ନେଇ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାର ଯେଉଁ ଯୋଜନାକୁ ରାଜ୍ୟ ସରକାରଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରୁଛନ୍ତି, ସେ ସମ୍ପର୍କରେ ପୂର୍ବରୁ ରାଜ୍ୟ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି। କିନ୍ତୁ ପିଏମ୍-କିଷାନ୍ ଯୋଜନା ଲାଗୁ ପୂର୍ବରୁ ରାଜ୍ୟ ସରକାରଙ୍କ ପରାମର୍ଶ କରିନାହାନ୍ତି। ସେଥି ପାଇଁ କିଛି ରାଜ୍ୟ ସରକାର ଅସନ୍ତୋଷ ଜଣାଇଛନ୍ତି। ନିର୍ବାଚନ ସମୟରେ ଘୋଷଣା କରିଦେଇ ତାହାକୁ କାର୍ଯ୍ୟକାରୀ କରିବା ନେଇ ପୂର୍ବ ଆକଳନ ନ କରିବା ନିର୍ବୋଧତାର ପରିଚୟ। ତେବେ ଓଡ଼ିଶା ସରକାରଙ୍କ ଏହି ଯୋଜନା ପ୍ରତି ସକରାତ୍ମକ ଦୃଷ୍ଟିଭଙ୍ଗୀ ରହିଛି। କାଳିଆ ଯୋଜନା ସହ ଏହି ଯୋଜନାର କିପରି କାର୍ଯ୍ୟକାରିତା କରାଯିବ, ସେଥି ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି।
ରାଜ୍ୟ କୃଷି ମନ୍ତ୍ରୀ ମନ୍ତବ୍ୟକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ୬ ହଜାର ଟଙ୍କା ଆସିବ। ଏହା କ’ଣ ରାଜ୍ୟ ସରକାର ଚାହୁଁ ନାହାନ୍ତି ? କାଳିଆ ଯୋଜନାରେ ତାଙ୍କ ମନ୍ତ୍ରୀ, ବିଧାୟକଙ୍କ ନାଁରେ ଟଙ୍କା ଦେଉଛନ୍ତି। କିନ୍ତୁ ନରେନ୍ଦ୍ର ମୋଦୀ ଓଡ଼ିଶାର ଲକ୍ଷାଧିକ ଗରିବଙ୍କୁ ସିଧାସିଧା ବ୍ୟାଙ୍କ ଖାତାରେ ଟଙ୍କା ପଠାଉଛନ୍ତି। ସେ କ’ଣ ଦଲାଲି ପାଇଁ ରାଜ୍ୟ ସରକାରଙ୍କୁ ପଚାରିଥା’ନ୍ତେ କି ? ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ନିଷ୍ଠା ଥିଲେ କାଳବିଳମ୍ବ ନ କରି କେନ୍ଦ୍ରକୁ ଚାଷୀ ତାଲିକା ପଠାନ୍ତୁ। ନାଟକ ନ କରି କେନ୍ଦ୍ରର ସହଯୋଗୀ ହୁଅନ୍ତୁ।