କଟକ : ପୁରୀଘାଟ ଥାନାରେ ଭଙ୍ଗାରୁଜା ଘଟଣାରେ ଆଜି ନଗର କଂଗ୍ରେସ ସଭାପତି ଇଞ୍ଜିନିୟର ମହମ୍ମଦ ମୋକିମ୍, ୩ ଜଣ କର୍ପୋରେଟରଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି ପୁଲିସ। ବିଳମ୍ବିତ ରାତି ଏବଂ ଭୋର ସମୟରେ କଡ଼ା ପୁଲିସ ପହରା ଭିତରେ କଂଗ୍ରେସ ନେତା ମାନଙ୍କୁ ପୁଲିସ ଉଠାଇ ନେଇଥିବା ବେଳେ ଦିନ ସାରା ଚୌଦ୍ୱାର ଥାନା ପରିସରରେ ରଖିଥିଲା। ସଂଧ୍ୟାରେ କଟକ ସଦର ଏସ୍ଡିଜେଏମ୍ଙ୍କ ଅଦାଲତରେ ସମସ୍ତଙ୍କୁ ହାଜର କରାଯାଇଥିବା ବେଳେ ଅଦାଲତ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ୨୦ ହଜାର ଟଙ୍କା ଏବଂ ଜଣେ ଲେଖାଏ ଜାମିନ୍ଦାର ବଦଳରେ ପ୍ରତ୍ୟେକଙ୍କୁ ଜାମିନ ମଞ୍ଜୁର କରାଯାଇଛି। ମାମଲା ଶୁଣାଣି ସମୟରେ ପ୍ରତି ତାରିଖରେ ଅଦାଲତରେ ଉପସ୍ଥିତ ରହିବା ପାଇଁ ଶ୍ରୀ ମୋକିମ୍ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ନେତାଙ୍କୁ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଗିରଫ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ଚୌଦ୍ୱାର ଥାନା ବାହାରେ ଦିନରେ ଧାରଣା ଦେଇଥିଲେ। ଅନ୍ୟପଟେ ଗିରଫ କଂଗ୍ରେସ ନେତା ମାନଙ୍କୁ କୋର୍ଟରେ ହାଜର କରାଯିବା ସମୟରେ କୋର୍ଟ ବାହାରେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ଚିରଂଜୀବୀ ବିଶ୍ୱାଳ, ଗୋବିନ୍ଦ ଭୂୟାଁ, ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ପୁରୀଘାଟ ଥାନା ବାଖରାବାଦ୍ ଅଞ୍ଚଳର ବିଜୟ କୁମାର ବାରିକଙ୍କୁ ୨୦୧୭ରୁ ଜାରି ହୋଇଥିବା ଏକ ଓ୍ଵାରେଣ୍ଟ ବଳରେ ପୁରୀଘାଟ ଥାନା ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଥାନାରୁ ବେଲ୍ ମିଳିଥିଲା। ଥାନାରେ ଶ୍ରୀ ବାରିକଙ୍କୁ ପୁରୀଘାଟ ପୁଲିସ ଦୁର୍ବ୍ୟବହାର ଅଭିଯୋଗରେ ଶ୍ରୀ ମୋକିମ୍ଙ୍କ ନେତୃତ୍ୱରେ ୫୦ରୁ ଅଧିକର କଂଗ୍ରେସ ଥାନାରେ ପଶି ଭଙ୍ଗାରୁଜା ଓ ପୁଲିସ ଅଫିସରଙ୍କୁ ଦୁର୍ବ୍ୟବହାର କରିଥିବା ସଂପର୍କରେ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ପୁଲିସ ଅଧିକାରୀ ଫୋର୍ସ ସହ ବିଭିନ୍ନ ଅଞ୍ଚଳକୁ ଯାଇ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା। ଏଥିପାଇଁ ପାଖାପାଖି ୬ ପ୍ଲାଟୁନ୍ ଫୋର୍ସ ନିୟୋଜନ କରାଯାଇଥିଲା।
ପୁରୀଘାଟ ଥାନା ପୁଲିସ ମହମ୍ମଦ ମୋକିମଙ୍କ ସମେତ ୫୦ ଜଣଙ୍କ ବିରୋଧରେ ଅନ୍ୟାନ୍ୟ ଦଫା ସହିତ ଦଫା ୩୯୫(ଡକାୟତି) ସେସନ୍ସ ଟ୍ରାଇବୁଲ୍ ଦଫା ଲଗାଇଥିଲା, ଯେଉଁଥିରେ କେବଳ ଦୌରା ଅଦାଲତ ଜାମିନ ଦେଇପାରିବେ। ଏହି ଦଫା ବାଦ୍ ଦିଆଯିବା ପରେ ଶ୍ରୀ ମୋକିମ୍ ଓ ଅନ୍ୟମାନଙ୍କୁ ଜାମିନ୍ ମିଳିଥିଲା। ପୁରୀଘାଟ ଥାନାରେ କଂଗ୍ରେସ କର୍ମୀ ଭଙ୍ଗାରୁଜା କରିଥିବା ବେଳେ ସେମାନଙ୍କ ବିରୋଧରେ କେଉଁ ଆଧାରରେ ନିଜେ ପୁରୀଘାଟ ଥାନା ଆଇଆଇସି ଡକାୟତି ଭଳି ଦଫା ଲଗାଇଥିଲେ ଏବଂ କ’ଣ ପାଇଁ ତାହାକୁ ଚୋରି ଦଫାରେ ପରିଣତ କଲେ ତାହାକୁ ନେଇ ବର୍ତ୍ତମାନ ତର୍ଜମା ଆରମ୍ଭ ହୋଇଛି।