କନଷ୍ଟେବଲ୍‌ ନିଯୁକ୍ତି ମାମଲା: ଗୃହରକ୍ଷୀ ବର୍ଗରେ ସାନି ଚୟନ ତାଲିକା ପ୍ରକାଶ ପାଇଁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

କଟକ : କନଷ୍ଟେବଳ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ବର୍ଗରେ ସାନି ଚୟନ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଲିକାରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନକାରୀ ଶ୍ରୀକାନ୍ତ କୁମାର ସାହୁ ଅଧିକ ନମ୍ବର ରଖିଥିବା ସ୍ପଷ୍ଟ ହୁଏ ତେବେ ତାଙ୍କୁ କନଷ୍ଟେବଳ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ଏଥି ସହିତ ବରିଷ୍ଠତା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ.ଦାଶ ଓ ପ୍ରଶାସନିକ ସଦସ୍ୟ ଏମ୍‌.ଏମ୍‌.ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩, ମେ’ ୨୯ରେ ସମଗ୍ର ରାଜ୍ୟରେ ୧୩୦୩ କନଷ୍ଟେବଳ ପଦବି ପୂରଣ ପାଇଁ ରାଜ୍ୟ ସିଲେକସନ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗଞ୍ଜାମ ଜିଲ୍ଲାରେ ୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ଥିର କରାଯାଇଥିଲା। ସର୍ବନିମ୍ନ ୩ ବର୍ଷ ଗୃହରକ୍ଷୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତି କନଷ୍ଟେବଳ ପଦବି ପାଇଁ ଗୃହରକ୍ଷୀ ବର୍ଗରେ ଆବେଦନ କରି ପାରିବେ ବୋଲି ନିୟମ ରହିଥିଲା। ଗୃହରକ୍ଷୀ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ପଦବି ଲାଗି ୨୦୦୭, ଅକ୍ଟୋବରରୁ ଗଞ୍ଜାମ ଜିଲ୍ଲାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିିବା ଶ୍ରୀକାନ୍ତ ଆବେଦନ କରିଥିଲେ। କନଷ୍ଟେବଳ ନିଯୁକ୍ତି ପାଇଁ ୨୦୧୩, ଅଗଷ୍ଟ ୨୪ରେ ଲିିଖିତ ଓ ଶାରିରୀକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହି ତାଲିକାରେ ଆବେଦନକାରୀଙ୍କ ନାମ ୨୮ତମ ସ୍ଥାନରେ ରହିଥିଲା। ସେ ୪୦.୭୫ ନମ୍ବର ରଖିଥିଲେ।

କିନ୍ତୁ ନିଯୁକ୍ତି ପାଇଁ ପ୍ରକାଶିତ ତାଲିକାରୁ ତାଙ୍କୁ ବାଦ ଦିଆଯାଇଥିଲା। ତାଙ୍କଠାରୁ ଯଥେଷ୍ଟ କମ୍‌ ନମ୍ବର ରଖିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଗୃହରକ୍ଷୀ ଚାକିରି କାଳ ଭିତରେ ଆବେଦନକାରୀ ବିନା ଅନୁମତିରେ ବହୁ ଦିନ ଛୁଟିରେ ରହିଥିଲେ ବୋଲି ଅଭିଯୋଗ ରହିଥିବାରୁ ତାଙ୍କୁ କନଷ୍ଟେବଳ ପଦବିରେ ନିଯୁକ୍ତି ପ୍ରଦାନ କରାଯାଇ ନଥିଲା। ଅନ୍ୟପକ୍ଷରେ ଆବେଦନକାରୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇ ଦର୍ଶାଇଥିଲେ ଯେ ତାଙ୍କୁ ଗୃହରକ୍ଷୀ ଭାବେ ନିଯୁକ୍ତି ଦିଆଯିବା ପରେ କେବେ ନିଲମ୍ବିତ କରାଯାଇ ନାହଁ। ଏଥି ସହିତ କେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେ ସର୍ବାଧିକ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ଚାକିରି ନ ଦେଇ ୨୦ ଓ ୨୨ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ କନଷ୍ଟେବଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର