ରାତି ଅଧରେ ପୁଲିସ୍‌ର ଦମନଲୀଳା : ଗଡ଼ରୋଡ଼ଙ୍ଗ ଗାଁ’ରେ ତାଡ଼ିଲା ୩୦ ଘର କବାଟ ଭାଙ୍ଗିଲା ଆସବାବପତ୍ର, ମହିଳାଙ୍କୁ ଚୁଟି ଘୋଷାରି ପିଟିଲା

ବ୍ରହ୍ମଗିରି : ଗତକାଲି ରାତି ଅଧରେ ବ୍ରହ୍ମଗିରି ଥାନା ଗଡରୋଡଙ୍ଗ ଗାଁରେ ପୁଲିସ୍‌ ଦମନଲୀଳା ରଚିଛି। ଯାହାକୁ ପାଇଲା ତାକୁ ବାନ୍ଧିଛି। ଛାତ୍ର, ଗାଁ ବାହାର ଲୋକ, ବନ୍ଧୁବାନ୍ଧବ କାହାକୁ ବି ଛାଡିନି। ଖାଲି ସେତିକି ନୁହେଁ, ପାଖପାଖି ୩୦ଟି ଘର କବାଟ ତାଡି ବହୁ ଲୋକଙ୍କ ଆସବାବପତ୍ର ଭାଙ୍ଗି ଚୂରମାର୍‌ କରିଦେଇଛି। ପୂରା ଗାଁକୁ ଛିନ୍‌ଛତ୍ର କରିଦେଇଛି ପୁଲିସ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗଡରୋଡଙ୍ଗ ଗାଁରେ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା ଗଡରୋଡଙ୍ଗ ଗାଁ ଜଙ୍ଗଲକୁ ନେଇ ସଅର ସାହି ଓ ଗଡରୋଡଙ୍ଗ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଏହି ବିବାଦୀୟ ଗ୍ରାମ୍ୟ ଜଙ୍ଗଲକୁ ମାପଚୁପ କରି ଦଖଲ ଦେବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ଏପ୍ରିଲରେ ବନ ବିଭାଗ, ରାଜସ୍ୱ ବିଭାଗ ଓ ୪ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଗଣ୍ଡାଗଣ୍ଡା ଅଫିସର ସେଠିକୁ ଯାଇଥିଲେ। ଜଙ୍ଗଲ ମାପ ଚୁପ ଆରମ୍ଭ ହେବା ବେଳକୁ ସଅର ସାହିର କିଛି ମହିଳା ରାଜସ୍ୱ କର୍ମଚାରୀଙ୍କ ହାତରୁ ମାପଚୁପ କରୁଥିବା ଚେନ୍‌ ଛଡାଇ ମାରିବାକୁ ଗୋଡାଇଥିଲେ। ସେମାନଙ୍କର ଉଗ୍ରରୂପ ଦେଖି ପ୍ରଶାସନ ବି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲା। ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ମାମଲା ରୁଜୁ କରିଥିଲା।

ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ପୁଲିସ ପ୍ରଶାସନ ପୂରା ଦମରେ ଗଡରୋଡଙ୍ଗ ଗାଁରେ ପଶିଥିଲା। ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଜିଲ୍ଲା ପ୍ରଶାସନର ଛାମୁଆ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀ ଗାଁକୁ ଚାରିପଟୁ ଏକପ୍ରକାର ଘେରାବନ୍ଦୀ କରିଦେଇଥିଲେ। ଗାଁ ଚାରିପଟେ ପୁଲିସ ଅଧିକାରୀ ପଇଁତରା ମାରୁଥିବା ବେଳେ ଗାଁ ଭିତରେ ଥିବା ପୁଲିସ ଆରମ୍ଭ କରିଦେଇଥିଲା ଦମନଲୀଳା। ଗାଁର ଗୋଟିଏ ମୁଣ୍ଡରୁ ଚାଲିଥିଲା ଦୁଆର ତଡା। ଗୋଟିଏ ପରେ ଗୋଟିଏ ଦୁଆର ତାଡି ଘରେ ପଶି ଯାହାକୁ ଦେଖିଲେ ତାକୁ ବାନ୍ଧିଲେ। ଏମିତିକି ଛୁଆକୁ ଖାଇବାକୁ ଦେଉଥିବା ମା’କୁ ଧକ୍କା ଦେଇ ଘରେ ପଶିବା ସହ ମହିଳାଙ୍କ ଚୁଟି ଧରି ଘୋଷାରି ପିଟିଛି। ବୃଦ୍ଧବୃଦ୍ଧା, ଛାତ୍ର, ରୋଗୀ କାହାକୁ ପୁଲିସ ଛାଡିନଥିଲା ବୋଲି ଗଡରୋଡଙ୍ଗ ଗାଁର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଶାନ୍ତିଲତା ସାହୁ, ଅନସୂୟା ସାହୁ, ପାର୍ବତୀ ବେଉରା ପ୍ରମୁଖ ଅଭିଯୋଗ କରିଛନ୍ତି। ଶେଷରେ ପୁଲିସ ଗାଁରୁ ୨୩ ଜଣଙ୍କୁ ଉଠାଇନେଇ ରାତାରାତି ପୁରୀ ସଦର ଥାନାକୁ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର