କୋରାପୁଟ : ଦୀର୍ଘଦିନ ବ୍ୟବଧାନ ପରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ଯବାନ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ପାଖାପାଖି ୧୫ ମିନିଟ୍ ଧରି ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବହୁ ଟପ୍ କ୍ୟାଡର୍ ନେତା ଖସି ଚାଲିଯାଇଛନ୍ତି। ଯବାନ୍ମାନେ ମାଓ ଶିବିରକୁ ଧ୍ବଂସ କରିବା ସହିତ ସେଠାରୁ ବହୁ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସୁଙ୍କି ଅଞ୍ଚଳର ଘଞ୍ଚ ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ଖବର ପୁଲିସ୍ର ହସ୍ତଗତ ହୋଇଥିଲା। ଏହି ଖବର ପାଇବା ପରେ ପୁଲିସ୍ ଅପରେସନ୍ ଆରମ୍ଭ କରିଥିଲା। ଦିନ ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ବିଏସ୍ଏଫ୍ , ଡିଭିଏଫ୍ ଓ ଏସ୍ଓଜି ଯବାନ ମିଳିତ ଭାବେ ଚଢ଼ାଉ କରିଥିଲେ। ପ୍ରାୟ ୧୫ ମିନିଟ ଧରି ଏହି ଗୁଳି ବିନିମୟ ଚାଲିଥିଲା। ତେବେ, ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ। ଏହାପରେ ପୁଲିସ୍ ମାଓ ଶିବିରକୁ ଧ୍ବଂସ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି।
ସୁରକ୍ଷା ଯବାନ୍ଙ୍କୁ ମିଳିଥିବା ଖବର ଅନୁସାରେ, ଶିବିରରେ ରାମକ୍ରିଷ୍ଣା, ଚଲପତି, ଅରୁଣାଙ୍କ ପରି ଟପ୍ କ୍ୟାଡର୍ ମାଓନେତାମାନେ ଡେରା ପକାଇଥିଲେ। ଅପରେସନ୍ ସମୟରେ ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଛନ୍ତି। ତେବେ, ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେମାନେ ଖସି ଚାଲିବାକୁ ସକ୍ଷମ ହୋଇଛନ୍ତି।
ଏ ସମ୍ପର୍କରେ କୋରାପୁଟ ଏସପି ଡ. କନୱର ବିଶାଳ ସିଂହ କହିଛନ୍ତି ଯେ, ‘ ଶିବିରରେ ୧୦ରୁ ୧୫ଜଣ ମାଓବାଦୀ ଥିଲା ବେଳେ କିଛି ବଡ଼ ନେତା ମଧ୍ୟ ଉପସ୍ଥିତ ଥିବାର ଅନୁମାନ କରାଯାଉଛି। ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।’‘ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଛି। ଅପରେସନ୍ରେ ସାମିଲ ହୋଇଥିବା ଟିମ ଫେରିବା ପରେ ସବିଶେଷ ତଥ୍ୟ ମିଳିପାରିବ,’ ବୋଲି ଏସପି ଶ୍ରୀ ସିଂହ କହିଛନ୍ତି।
ସୀମାନ୍ତ ଆନ୍ଧ୍ରରେ ମାଓବାଦୀମାନେ ବଡ଼ ଧରଣର ହମ୍ଲା କରିବା ପରେ ଓଡ଼ିଶା ଖସି ଆସିଥିବା ଅନୁମାନ କରାଯାଉଥିଲା। ଏହା ଏବେ ସତରେ ପରିଣତ ହୋଇଛି। ଗତ ମାସରେ ଆନ୍ଧ୍ରର ଆରକୁ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ଅତି ନିକଟରୁ ସେମାନଙ୍କୁ ଗୁଳି କରି ମାରିଥିଲେ ମାଓବାଦୀ। ଏହାପରେ ବହୁ କ୍ୟାଡର ମାଓବାଦୀ ସୁଙ୍କି, ପାଡୁଆ ଦେଇ ଓଡ଼ିଶା ଭିତରକୁ ଚାଲି ଆସିଥିବା ଆଶଙ୍କା କରାଯାଉଥିଲା। ଅପରପକ୍ଷରେ ଆଜିର ଗୁଳି ବିନିମୟ ପରେ ସାରା ଜିଲ୍ଲାରେ ପୁଲିସ ହାଇ ଆଲର୍ଟ ଜାରି କରିଛି। ସୁରକ୍ଷା ଯବାନ୍ମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଓ କମ୍ବିଂକୁ ଜୋର୍ଦାର୍ କରିଛନ୍ତି। ଆଖପାଖ ଅଂଚଳକୁ ଘେରି ରହିଥିଲା ବେଳେ ବିଭିନ୍ନ ସମ୍ବେଦନଶୀଳ ତଥା ସନ୍ଦିଗ୍ଧ ସ୍ଥାନରେ ଯାଞ୍ଚ କରୁଥିବା ହସ୍ତଗତ ଖବରରୁ ଜଣାପଡ଼ିଛି।