ରାୟଗଡ଼ା : କରୋନା ମୁକାବିଲା ନିୟମକୁ ଉଲ୍ଲଂଘନ କରି ଚାଲିଥିବା ୪ଟି କପା ମିଲ୍ ଉପରେ ଚଢ଼ଉ କରିଛି ପ୍ରଶାସନ। ବିଳମ୍ବିତ ରାତିରେ ରାୟଗଡ଼ା ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ଡିଏସପି ଅପୁର ଅଭିଷେକ ବେହେରା ଓ ଚାନ୍ଦିଲି ପୁଲିସ୍ ଟିମ୍ ମିଲରେ ଚଢ଼ଉ କରିବା ସହ ସ୍ଥିତି ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମ୍ ସଂଖ୍ୟକ ଶ୍ରମିକରେ କପା ମିଲ୍ ଚଲାଇବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନୋଟିସ୍ ଜାରି କରିଥିଲେ। ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ମିଲ୍ ପରିସରରେ ସାମାଜିକ ଦୂରତା, ନିୟମିତ ଭାବେ ହାତ ଧୋଇବା, ମିଲ୍ ପରିସରକୁ ବିଶୋଧନ କରିବା, କାର୍ଯ୍ୟରତ ଶ୍ରମିକ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେବାକୁ ମିଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ମିଲ୍ କର୍ତୃପକ୍ଷ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ବିନା ସୁରକ୍ଷାରେ ଦିନରାତି ଉତ୍ପାଦନ ଜାରି ରଖିଥିଲେ। କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଅତିରିକ୍ତ ତହସିଲଦାର ଶ୍ରୀ ଖରା ରାତି ସାଢ଼େ ୧୦ଟାରେ ପୁଲିସ୍ ଟିମ୍ ସହ କୁମୁଟିପେଣ୍ଠରେ ଥିବା ଜଗନ୍ନାଥ ମିଲ୍, ହନୁମାନ ମିଲ୍, ଶ୍ରୀ ଅଞ୍ଜନେୟ କଟନ୍ ଓ ଜିଙ୍କ୍ ମିଲ୍ ଏବଂ ଶ୍ରୀ ସାଇ ପ୍ୟାକିଂ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୪ଟି ମିଲରେ ୪୬ ଜଣ ପୁରୁଷ ଓ ମହିଳା ଶ୍ରମିକ କାମ କରୁଥିବା ଜଣାପଡ଼ିଥିଲା। ନିୟୋଜିତ କୌଣସି ଶ୍ରମିକ ସୁରକ୍ଷାଜନିତ ମାସ୍କ ପିନ୍ଧିନଥିବା ବେଳେ ମିଲ୍ ପରିସରରେ ହାତ ଧୁଆ ବେସିନ୍, ସାମାଜିକ ଦୂରତା ରକ୍ଷା କରାଯାଉନଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ରାତିରେ ମହିଳାଙ୍କୁ କିପରି କାର୍ଯ୍ୟରେ ନିୟୋଜନ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ଖରା ମିଲ୍ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ଯାହାର ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ମିଲ୍ କର୍ତ୍ତୃପକ୍ଷ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଆସି ମିଲ୍ ପରିସରରେ ଥିବା ଟ୍ରକ୍ ଗୁଡ଼ିକରେ ଓଭରଲୋଡ୍ କରି ମାଲ ପରିବହନ ହେଉଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ମାଲ ପରିବହନ ଚାଲିଥିବାରୁ ବିଭିନ୍ନ ରାଜ୍ୟର ଡ୍ରାଇଭର, ହେଲପର ଓ ଅନ୍ୟ କର୍ମଚାରୀ ମିଲକୁ ଆସୁଥିବାରୁ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ତଦନ୍ତ ପରେ ଅତିରିକ୍ତ ତହସିଲଦାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ବେଳେ ଆଇନ ଅନୁଯାୟୀ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଇଛନ୍ତି। ଚଢ଼ଉ ସମୟରେ ଚାନ୍ଦିଲି ଥାନା ଏସ୍ଆଇ ଗିରିଶ ଚନ୍ଦ୍ର ମହାରଣାଙ୍କ ସମେତ ପୁଲିସ୍ ଟିମ୍ ଉପସ୍ଥିତ ଥିଲେ।