ବିଜେପୁର, ଭଟଲିରେ ରାଜନୈତିକ ହିଂସା! : ସନତଙ୍କ ଗାଡ଼ିକୁ ଢେଲାମାଡ଼, ପେକ୍ସ ଅଧ୍ୟକ୍ଷଙ୍କୁ ଆକ୍ରମଣ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନର ଠିକ୍‌ ଦୁଇଦିନ ପୂର୍ବରୁ ବନାବିରାଠାରେ ନିର୍ବାଚନୀ ହିଂସା ଘଟିଥିଲା। ଏଥର ନିର୍ବ‌ାଚନର ପୁଣି ଦିନକ ପୂର୍ବରୁ ବିଜେପୁର ଏବଂ ଭଟଲି ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଘଟଣା ସାମନାକୁ ଆସିଛି। ବିଜେପୁର ଆସନର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପ‌ରକୁ ଦୁର୍ବୃତ୍ତମାନେ ଢେଲାମାଡ଼ କରିଛନ୍ତି।

ସନତ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିଜେପୁର ନିର୍ବାଚନମଣ୍ଡଳୀର କନ୍ଦରା ଗାଁକୁ କାର୍‌ରେ (ଓଡି ୧୭ଇ ୨୩୩୮) ଯାଇଥିଲେ। ରାସ୍ତାକଡ଼ ଦୋକାନରେ ସେ ଛିଡ଼ା ହୋଇଥିବାବେଳେ ବାଇକ୍‌ରେ ଦୁଇଜଣ ଦୁର୍ବତ୍ତ ପହଂଚି ଗାଡ଼ି ଉପରେ ଢେଲାମାଡ଼ କରିଥିଲେ। ଏଥିରେ ଗାଡ଼ିର କାଚ ଭାଂଗି ଯାଇଥିଲା। ସନତ ଏନେଇ ବିଜେପୁର ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଉପରକୁ ରାଜନୈତିକ ଆକ୍ରୋଶ ରଖି ଢେଲାମାଡ଼ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତରାକନା ଗାଁରେ ମଧ୍ୟ ହିଂସା ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଭଟଲିର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ, ପେକ୍ସ ସଭାପତି ଭାଗୀରଥି ପ୍ରଧାନ ଏବଂ ରାଜୁ ସନ୍ନ୍ୟାସୀ। ଆକ୍ରମଣରେ ଭାଗୀରଥିଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ସମସ୍ତଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏନେଇ ଭଟଲି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଘଟଣା ପରେ ଭଟଲି ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାକୁ ଆସି ଅବରୋଧ କରିଥିଲେ। ତେବେ ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମାମଲାର ତଦନ୍ତ ଚାଲିଥିବା ଭଟଲି ଥାନାଧିକାରୀ ସୂଚନା‌ ଦେଇଛନ୍ତି। ପ୍ରଥମ ଘଟଣାରେ ବିଜେଡି କର୍ମୀ ଏବଂ ଭଟଲି ଘଟଣାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସିଧାସଳଖ ହାତ ରହିଛି ବୋଲି ବିଜେପି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ତରାକନା ଗାଁରେ ସୁବ୍ରତ ଏବଂ ତାଙ୍କ ସହଯୋଗୀମାନେ ହକି ଷ୍ଟିକ୍‌, କ୍ରିକେଟ୍‌ ବ୍ୟାଟ୍‌ରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ହାରିବା ଭୟରେ ବିଜେଡି ହିଂସାତ୍ମକ ପନ୍ଥା ଆପଣେଇଛି ବୋଲି ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ, ଭଟଲି ପ୍ରାର୍ଥୀ ଇରାସିସ୍‌ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଅରୂପା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ଯୋଗାଯୋଗ କରାଯାଇଥିଲେ ହେଁ ସୁବ୍ରତଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା।

ସମ୍ବନ୍ଧିତ ଖବର