ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ପୁଣି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି ମାଲକାନଗିରି ଜିଲ୍ଲାରେ ନିୟମିତ ହୋଇଗଲାଣି ରୋଗୀ ଓ ଗର୍ଭବତୀ ଭାରରେ ବୁହାହୋଇ ମେଡିକାଲ ଯିବା ଘଟଣା। ଦିନେ ଦୁଇ ଦିନ ବ୍ୟବଧାନରେ ଜିଲ୍ଲାର କୌଣସି ନା’ କୌଣସି କୋଣରେ ଏମିତି ଘଟଣାର ଚିତ୍ର ଆସୁଛି। ତଥାପି ପ୍ରଶାସନ ଉପରେ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ବେଳେ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସୁପାରୁନାହିଁ। ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ। ଏମିତି ଅବ୍ୟବସ୍ଥା ମଧ୍ୟରେ ଆଜି ପୁଣି ଜଣେ ଗର୍ଭବତୀ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ଯଦିଓ ଭାଗ୍ୟ ଭଲଥିଲା ତେଣୁ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚି ପାରିଛନ୍ତି। କିନ୍ତୁ ସରକାରୀ ଯୋଜନା ଗୁଡ଼ିକ ଉପରେ ଏହି ଘଟଣା ବଡ଼ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ଅନ୍ତର୍ଗତ ବେଙ୍ଗପାଣି ଗାଁର ସୁରିଆ ପାଙ୍ଗୀଙ୍କ ଆଜି ସକାଳେ ପ୍ରସବ ଜନତି ବେଦନା ଆରମ୍ଭ ହୋଇଯାଇଥିଲା। ତେଣୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଏହାପରେ ମେଡିକାଲରୁ ଆମ୍ବୁଲାନ୍ସ ବାହାରିଲା କିନ୍ତୁ ଗାଁରେ ପହଞ୍ଚି ପାରିଲା ନାହିଁ। ବାଡନିଗୁଡା ନିକଟରେ ଅଟକି ଯାଇ ଆମ୍ବୁଲାନ୍ସ ଚାଳକ ଆଉ ଆଗକୁ ଯାଇପାରିବେ ନାହିଁ ବୋଲି ଜଣାଇଦେଲେ। ଅନ୍ୟପଟେ ସୁରିଆଙ୍କ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକ ବିକଳ୍ପ ବ୍ୟବସ୍ଥା ପାଇଁ ଚିନ୍ତା କରିଥିଲେ। ଗୋଟିଏ ଖଟିଆରେ ଭାର କରି ପରିବାର ଓ ସ୍ଥାନୀୟ ଲୋକ ପ୍ରାୟ ୫କିଲୋମିଟର ଆସି ବାଡନିଗୁଡାରେ ପହଞ୍ଚିଥିଲେ। ଏଠାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା। ଶେଷ ଖବର ସୁଦ୍ଧା ସୁରିଆ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର