ବାଲେଶ୍ୱର : ଚିକିତ୍ସା ଅବହେଳାରୁ ପୁଣି ପ୍ରସୂତି ମୃତ! ସପ୍ତାହକ ମଧ୍ୟରେ ଗଲାଣି ୨ ଜୀବନ, ପ୍ରହସନ ପାଲଟିଛି ମାଗଣା ସ୍ୱାସ୍ଥ୍ୟ ସେବା

ବାଲେଶ୍ୱର : ଚିକିତ୍ସାରେ ଚରମ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କର ଆଜି ଅକାଳ ମୃତ୍ୟୁ ଘଟିଛି। ମୃତ ପ୍ରସୂତି ଜଣକ ହେଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଆମାଛିଆ ଗ୍ରାମର ସୁକୁଲ ‌ଚୋପିଆରଙ୍କ ପତ୍ନୀ ସରସ୍ୱତୀ ‌ଚୋପିଆର (୨୩)।

ମିଳିଥିବବା ଖବର ଅନୁଯାୟୀ, ରବିବାର ଭୋର୍‌ ସମୟରେ ସରସ୍ବତୀଙ୍କ ପ୍ରସବ ବେଦନା ହେବାରୁ ସ୍ବାମୀ ସୁକୁଲ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରେ ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ସରସ୍ବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ ସରସ୍ବତୀଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବା ସହ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏ ସଂପର୍କରେ ତାଙ୍କ ସ୍ବାମୀ ଡାକ୍ତରଙ୍କୁ ଜଣାଇବା ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଡାକ୍ତର ଆସି ସରସ୍ବତୀଙ୍କୁ ତତକ୍ଷଣାତ୍‌ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ରେଫର୍‌ କରି ଦେଇଥିଲେ। ଜିଲ୍ଲା ମୁଖ୍ୟ ହସ୍‌ପିଟାଲକୁ ପ୍ରବେଶ କରି ଡାକ୍ତର ଦେଖାଇବା ବେ‌ଳକୁ ସରସ୍ବତୀଙ୍କର ଆଉ ଜୀବନ ନ ଥିଲା। ସରକାର ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ମାଗଣାରେ ଉପଲବ୍ଧ କରିଥିଲେ ବି ତାହା କେବଳ ପ୍ରହସନ ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିବା ସହ ଠିକ୍‌ ସମୟରେ ଯଦି ଚିକିତ୍ସା ଓ ରକ୍ତ ଯୋଗାଇ ଦିଆଯାଇଥାନ୍ତା ତା’ହେଲେ ତାଙ୍କ ପତ୍ନୀଙ୍କୁ ସେ ହରାଇନଥାନ୍ତେ ବୋଲି କହିଛନ୍ତି। ତେବେ ସରସ୍ବତୀଙ୍କ ନବଜାତ ଶିଶୁକନ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ୧୩ ତାରିଖରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ନବଜାତକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର