ପ୍ରାକ୍‌ ବଜେଟ୍‌ ଆଲୋଚନାଚକ୍ର

ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, କୃଷି ଉପରେ ଅର୍ଥନୀତିଜ୍ଞଙ୍କ ଗୁରୁତ୍ୱ

ଭୁବନେଶ୍ୱର : ସିଓ୍ଵାଇଏସ୍‌ଡି ଓ ଏଡ୍‌-ଆଟ୍‌ ଆକ୍ସନ୍‌ର ମିଳିତ ସହଯୋଗରେ ଆଜି ପ୍ରାକ୍‌ ବଜେଟ୍‌ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ୨୦୧୮-୧୯ ବଜେଟ୍‌ରେ ସ୍ୱାସ୍ଥ୍ୟ, ଆତ୍ମନିଯୁକ୍ତି, ଖାଦ୍ୟ ସୁରକ୍ଷା, ଖରିଫ୍‌ ଫସଲର ସଂପ୍ରସାରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ଏବଂ ପଞ୍ଚାୟତ ସ୍ତରରେ ଯୋଜନାର ସଫଳ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ ଦେବାଲାଗି ବିଶେଷଜ୍ଞ ଓ ଅର୍ଥନୀତିଜ୍ଞ ପରାମର୍ଶ ଦେଇଥିଲେ।

ଆଲୋଚନା ବେଳେ କହିଥିଲେ, ଓଡିଶାର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ୨୦୧୭-୧୮ରେ ପ୍ରାୟ ୧୧ ହଜାର କୋଟିର ବ୍ୟୟବରାଦ ହୋଇଥିଲା। ଖର୍ଚ୍ଚ ତଦାରଖ, ଉତ୍ତରଦାୟିତ୍ୱ ଏବଂ ଆନୁଷ୍ଠାନିକ ବ୍ୟବସ୍ଥାର ଅଭାବ ହେତୁ ଅନେକ କ୍ଷେତ୍ରରେ ଏହି ଅର୍ଥରୁ ଦରମା, ମହଙ୍ଗା ଭତ୍ତା ଓ ଅଣ- ଆଦିବାସୀ କାର୍ଯ୍ୟକ୍ରମ ଭିତ୍ତିକ ଖର୍ଚ୍ଚ କରାଯାଉଛି। ଏହାଦ୍ୱାରା ଯୋଜନା ଦିଗହରା ହେଉଛି। ଆନ୍ଧ୍ର ପ୍ରଦେଶ ଢାଞ୍ଚାରେ ଆମ ରାଜ୍ୟରେ ମଧ୍ୟ ଏକ ଆଇନ୍‌ ପ୍ରଣୟନର ଆବଶ୍ୟକତା ରହିଛି।

ରାଜ୍ୟରେ ଖାଦ୍ୟ ନିରାପତ୍ତା ଦିଗରେ ସରକାର ଏକ ପୁଷ୍ଟିସାଧନ ମିସନ ମାଧ୍ୟମରେ ଅତ୍ୟନ୍ତ ପୁଷ୍ଟିହୀନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଖରିଫ୍‌ ଫସଲର ଉନ୍ନତି ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ ଓ ଭିିତ୍ତିଭୂମିର ବିକାଶ ସମେତ ଚାଷୀମାନଙ୍କୁ ଦେଶୀୟ ପଶୁପାଳନ ଓ ମରୁଡି ପ୍ରତିରୋଧୀ ବିହନ ଆଦି ଯୋଜନା ଆଦି ପ୍ରଣୟନ ନେଇ ମତପ୍ରକାଶ ପାଇଥିଲା। ଗ୍ରାମ ସ୍ତରରେ କୃଷି ଯୋଜନା ଉପରେ ଗୁରୁତ୍ୱ ଦିଆଯିବା ସହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜଳ ସଂରକ୍ଷଣ ଏବଂ ଜଳାଶୟ ଖନନ ଓ ପୁନଃଉଦ୍ଧାର ଖରିଫ୍‌ ଫସଲ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ। ଜୈବିକ କୃଷିର ବିକାଶ ଏବଂ ଆବଶ୍ୟକୀୟ ଗୋଦାମ ଗୃହ ନିର୍ମାଣ ଦିଗରେ ଆସନ୍ତା ବଜେଟ୍‌ରେ ଧ୍ୟାନ ଦିଆଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ।

ଆଗାମୀ ବଜେଟରେ ଦାବି ମୁତାବକ ଯୋଜନା ପ୍ରଣୟନ ପାଇଁ ଆୟ ଯୋଗାଡ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ଵାନ ବୋଲି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ ମୀନା କହିଥିଲେ। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଲ୍ୟାଣ୍ଡ ରେଭିନ୍‌୍ୟୁ, ଷ୍ଟାମ୍ପ ଡ୍ୟୁଟି, ମୋଟର ଯାନ କର ଆଦି ଭଳି କ୍ଷେତ୍ରରେ ଓଡିଶା ପାଇଁ ନିଜସ୍ୱ ରାଜସ୍ୱ ବୃଦ୍ଧି ସୁଯୋଗ ଉପରେ ଆଲୋଚନାରେ ମତ ପ୍ରକାଶ ପାଇଥିଲା। ଡିଏମ୍‌ଏଫ୍‌, ଖଣି ସୂତ୍ରରୁ ଆୟକୁ ସଂପୃକ୍ତ ଜିଲ୍ଲାର ସାମାଜିକ ବିକାଶ କ୍ଷେତ୍ରରେ ଖର୍ଚ୍ଚ ଲାଗି ମତପ୍ରକାଶ ପାଇଥିଲା।

ଏହି ଆଲୋଚନା ଚକ୍ରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଆଇଏଏସ୍‌ ଅଫିସର ପ୍ରଦୀପ ବିଶ୍ୱାଳ, ଓଡିଶା ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଓ ତପନ ମିଶ୍ର, ସାମାଜିକ କର୍ମୀ ନମ୍ରତା ଚଢା, ପ୍ରଫେସର ଭାଗବତ ପାତ୍ର ଓ ଏକ୍ସଆଇଏମ୍‌ବିର ପ୍ରଫେସର ଅସିତ ମହାନ୍ତି, ଏବଂ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସିୱାଇଏସଡିର ବସନ୍ତ ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର