ତୀବ୍ର ହେଲା ଆଇନଜୀବୀ ଆନ୍ଦୋଳନ

ସରକାରୀ କାର୍ଯ୍ୟାଳୟ ଠପ୍‌; ଖୋଲିଲାନି ବ୍ୟାଙ୍କ୍‌

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନ ଆଜି ତୀବ୍ର ହୋଇଛି। ଆଇନଜୀବୀମାନେ ଆଜି ସକାଳେ ରିଂ-ବଂଧ ଗଡା, ଟ୍ରେଜେରି ଗଡା, ଲାଲ୍‌ବାଗ ଥାନା ଛକ ଓ ନିମଚଉଡ଼ି ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଚେରି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଅଫିସ୍‌କୁ ଅଚଳ କରିଛନ୍ତି। ଆନ୍ଦୋଳନ ପ୍ରଭାବ ଯୋଗୁ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଦର ତହସିଲ, ପରିବହନ କମିସନର, ଆରଟିଓ, ଅବକାରୀ ଅଧୀକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ସବ୍‌ରେଜିଷ୍ଟ୍ରାର, କଟକ ଗ୍ରାମାଞ୍ଚଳ ଏସ୍‌ପି ଅଫିସ୍‌, ଡିଆରଡିଏ, ଟ୍ରେଜେରି, ବୋର୍ଡ ଅଫ୍‌ ରେଭିନ୍ୟୁ, ଆଇଜିଆର୍‌ ଆଦି ଗୁରୁତ୍ୱପୂର୍ଣ୍ଣ ଅଫିସ୍‌ରେ ସରକାରୀ କାର୍ଯ୍ୟ ଠପ୍‌ ହେଇଯାଇଛି। ଷ୍ଟେଟ୍‌ ବ୍ୟାଙ୍କ, କର୍ପୋରେସନ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଶାଖା ବି ଖୋଲି ପାରିନାହିଁ। ସବୁ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ, ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ ଘଟଣାକୁ ନେଇ ଗତ ଅଗଷ୍ଟ ୨୯ରୁ ଆଇନଜୀବୀ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାର ପ୍ରତିବାଦରେ ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି କଚେରି ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ୍‌କୁ ଆଇନୀଜବୀମାନେ ଅଚଳ କରିଛନ୍ତି। ଆସନ୍ତାକାଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଓ ଗଠିତ ଆକ୍ସନ୍‌ କମିଟିର ସାଧାରଣ ପରିଷଦ ବୈଠକ ବସି ୨୭ତାରିଖ ଗୁରୁବାର ହେବାକୁ ଥିବା ନବୀନ ନିବାସ ଘେରାଉ ସଂପର୍କରେ ଚୂଡ଼ାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଆଜିର ଆନ୍ଦୋଳନ ଯୋଗୁ ଜିଲ୍ଲା ଜଜ୍‌ ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀ ମାନେ ରାସ୍ତାରେ କିଛି ସମୟ ଛିଡା ହୋଇ ଫେରି ଯାଇଥିଲେ। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବହୁ ବରିଷ୍ଠ ଅଧିକାରୀ ତଥା କର୍ମଚାରୀ ଅଫିସ୍‌ ଆସିଥିଲେ ହେଁ ଆନ୍ଦୋଳନ ଯୋଗୁ କାର୍ଯ୍ୟାଳୟ ଭିତରକୁ ପଶିପାରିନଥିଲେ। ଆସନ୍ତାକାଲି ବି ଆନ୍ଦୋଳନ ଜାରି ରହିବ ଏବଂ କୌଣସି ସରକାରୀ ଅଫିସ୍‌ ଖୋଲାଇ ଦିଆଯିବ ନାହିଁ ବୋଲି କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି।

ଆଜିର ଏହି ଆନ୍ଦୋଳନରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକ, ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଂଜନ ନାୟକ, ପ୍ରଦୀପ ମହାନ୍ତି, ସୁରେଶ ଜେନା, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କୃପାସିନ୍ଧୁ ସାହୁ, ଦିଲ୍ଲୀପ ମହାପାତ୍ର, ପୂର୍ବତନ ସଂପାଦକ କ୍ଷେତ୍ରମୋହନ ଧଳ, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସଂପାଦକ ପ୍ରଦୀପ କୁମାର ପରିଡା, ଯୁଗ୍ମସଂପାଦକ ବିଷ୍ଣୁପ୍ରିୟା ବେହେରା, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାସ, କାମଦେବ କାନୁନଗୋ, ବିଜୟ କୁମାର ରଗଡ, ସଂଜୟ ଦାସ, ଜଗନ୍ନାଥ ମହାନ୍ତି, ଗଙ୍ଗାଧର ସାମଲ, ପ୍ରଦୀପ୍ତ ପଟ୍ଟନାୟକ, କ୍ୟାଟ୍‌, ସ୍ୟାଟ୍‌, କଂଜ୍ୟୁମର ବାର୍‌ ଆସୋସିଏସନ୍‌, ଏମଭି ଲୟର୍ସ ଆସୋସିଏସନର କର୍ମକର୍ତ୍ତା, ସଦସ୍ୟ, ଅନ୍ୟ ଜିଲ୍ଲାରୁ ଆସିଥିବା ଆଇନଜୀବୀ ପ୍ରତିନିଧି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର