ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ ବିବାଦ : ହାଇକୋର୍ଟରେ ପ୍ରତିଜବାବ ଦାଖଲ, ୩୦ରେ ପରବର୍ତ୍ତୀ ଶୁଣାଣି

କଟକ : ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପ୍ରସଂଗ ବିବାଦକୁ ନେଇ ହାଇକୋର୍ଟରେ ଦାୟର ସମସ୍ତ ମାମଲାର ଏକତ୍ର ଶୁଣାଣି ସେ‌ପ୍ଟେମ୍ବର ୩୦ରେ ହେବ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଡକ୍ଟର ପ୍ରୟାସ ଦାସନାଙ୍କ ପକ୍ଷରୁ ଦାୟର ମାମଲାରେ ପୂର୍ବରୁ ସରକାର ଜବାବ ଦାଖଲ କରିଥିବା ବେଳେ ଆଜି ଆବେଦନକାରୀଙ୍କ ତରଫରୁ ପ୍ରତିଜବାବ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ନୂଆ ଓ ପୁରୁଣା ବିଜ୍ଞପ୍ତି ସଂପର୍କିତ ଅନ୍ୟ କେତେକ ମାମଲାରେ ସରକାରଙ୍କ ତରଫରୁ ଜବାବ ଦାଖଲ ସରିଥିବାବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯିବ। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତି ସହିତ ପୁରୁଣା ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡିକର ଏକତ୍ର ଶୁଣାଣି ଚାଲିଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଜିଏଆର ଦୋରା, ଜୟନ୍ତ କୁମାର ରଥ ଓ ଏସ୍.ଏସ୍. ଦାସ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର ଲେଙ୍କା, ଶାଶ୍ବତ ଦାସ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ହୋଇଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଜୁଲାଇ ୩୧ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ଜୁଲାଇ ୩୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସଂଗକୁ ନେଇ ସା‌ନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସାନି ବିଜ୍ଞପ୍ତି ମଧ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ହାଇକୋର୍ଟରେ ଅଗଷ୍ଟ ୧୮ରେ ମାମଲା ରୁଜୁ ହୋଇଥିଲା। ଯଦି କୌଣସି ଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଏ ଓ ପଦ ସଂଖ୍ୟା ଦୁଇଟି ଥାଏ ତେବେ ଏଥିରେ ସଂରକ୍ଷଣ ରହିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବେଳେ ଏହା ବେଆଇନ ବୋଲି ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର