ପୁରୀ: ପୁରୀର ପୀଡ଼ିତା ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମ ସମୟର ମୋବାଇଲରେ ଏହି ପୁରୁଷ ବନ୍ଧୁ ଭିଡିଓ ସୁଟିଂ କରିଥିଲେ ବୋଲି ଜଣାପଡ଼ିଛି । ଏହି ପୁରୁଷ ବନ୍ଧୁ ଜଣକ ଗତକାଲି ପୀଡ଼ିତାଙ୍କୁ ଆଣି କୁମ୍ଭାରପଡ଼ା ଥାନାରେ ଛାଡ଼ିଥିଲେ। ପୀଡ଼ିତାଙ୍କ ସହିତ ପୁରୁଷ ବନ୍ଧୁର କି ସମ୍ପର୍କ ରହିଛି ତାକୁ ନେଇ ପୁଲିସ ତଦନ୍ତକୁ ଆଗକୁ ନେଉଥିବା ଜଣାପଡ଼ିଛି। ପୁଲିସ ଏ ନେଇ ଗତକାଲି ସନ୍ଧ୍ୟା ସମୟର କ୍ଲୋଜସର୍କିଟ୍ କ୍ୟାମେରାକୁ ଯାଞ୍ଚ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାର ପ୍ରଚ୍ଛଦ ପଟରେ କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ଏହି ଚର୍ଚିତ ପୁରୁଷ ବନ୍ଧୁର ଫେସ୍ବୁକକୁ ଯାଞ୍ଚ କଲେ ସେଥିରେ କେବଳ ପୀଡ଼ିତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଏବଂ ଏସ୍ପିଙ୍କ ବାଇଟ୍ ଆଦି ପୋଷ୍ଟିଂ ହୋଇଛି। ଗତକାଲି ରାତିର କ୍ଲୋଜ୍ସର୍କିଟ୍ କ୍ୟାମେରାକୁ ଯାଞ୍ଚ କରିବା ପରେ ଜଣାପଡ଼ିଛି, ପୀଡ଼ିତାଙ୍କୁ ଝାଡ଼େଶ୍ବରୀ ଛକରୁ କୁମ୍ଭାରପଡ଼ା ଥାନାକୁ ଆଣିବା ବେଳେ ଏହି ପୁରୁଷ ବନ୍ଧୁ ଓ ଅନ୍ୟ ଜଣେ ଯୁବତୀ ରହିଥିଲେ। ଗତକାଲି ରାତିରେ କୁମ୍ଭାରପଡ଼ା ଥାନା ସମ୍ମୁଖରେ ପୀଡ଼ିତାଙ୍କ ସହିତ ଏହି ଦୁଇ ଜଣ ଦୀର୍ଘ ସମୟ ଧରି ମଧ୍ୟ ରହିଥିଲେ। ସେମାନଙ୍କ ଚାଲିଚଳଣ ହିଁ ତାଙ୍କୁ ସନ୍ଦେହ ଘେରକୁ ନେଇଆସିଥିଲା।
ଗଣଦୁଷ୍କର୍ମ ସମୟରେ ମୋବାଇଲରେ ଏହି ପୁରୁଷ ବନ୍ଧୁ ଭିଡିଓ ସୁଟିଂ କରିବା ଘଟଣା ପଦାକୁ ଆସିବା ପରେ ପୁଲିସର ସନ୍ଦେହ ବଢ଼ିଯାଇଛି। ଏହି ସମୟରେ ପାଖ ଘରେ ଜିତେନ୍ଦ୍ରର ପୁଅ ଶୋଇଥିଲେ ମଧ୍ୟ ପୀଡ଼ିତା ଜଣକ ଚିତ୍କାର କରି ନଥିଲେ କେମିତି ସେ ନେଇ ପ୍ରଶ୍ନ ଉଠିଛି। ତେଣୁ ପୀଡ଼ିତାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରାଯାଇଥିଲା ନା ଏଥିରେ ତାଙ୍କ ସହମତି ଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।