ପୁରୀ ରେଭ୍‌ ପାର୍ଟିରେ ଝାରସୁଗୁଡ଼ା ଲିଙ୍କ୍‌ : ବ୍ୟବସାୟୀଙ୍କୁ ଉଠାଇ ନେଲା ପୁଲିସ୍‌

ପୁରୀ/ଝାରସୁଗୁଡ଼ା : ପୁରୀର ଏକ ହୋଟେଲରେ ଚାଲିଥିବା ରେଭ୍‌ ପାର୍ଟିରେ ଯୁବକ-ଯୁବତୀଙ୍କ ଉଲଗ୍ନ ନୃତ୍ୟର ଭିଡିଓ ଭାଇରାଲ ଘଟଣାରେ ବଡ଼ ବଡ଼ ବ୍ୟବସାୟୀ, ରାଜନେତାଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ଏହାର ତଦନ୍ତ ଅତି ସତର୍କତାର ସହିତ ଆରମ୍ଭ କରିଛି। ଅର୍ଦ୍ଧଉଲଗ୍ନ ଅବସ୍ଥାରେ ନୃତ୍ୟ କରୁଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ଅଧିକାଂଶ ଝାରସୁଗୁଡ଼ାର ବୋଲି ଜଣାପଡ଼ିଛି। ସହରର କିଛି ଜଣାଶୁଣା ବ୍ୟବସାୟୀ ପୁଲିସ ପଞ୍ଛାରେ ପଡ଼ିଯାଇଛନ୍ତି। ମଂଗଳବାରଠାରୁ ପୁରୀ ପୁଲିସ ଝାରସୁଗୁଡ଼ାରେ ଡେରା ପକାଇ ଏମାନଙ୍କ ମୋବାଇଲ ଟ୍ରାକିଂ କରୁଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ଏଠାରୁ ଉଠାଇ ନେଇଥିବା ସଂପର୍କରେ ମଧ୍ୟ ଶୁଣିବାକୁ ମିଳୁଛି। ଏ ସଂପର୍କରେ ଝାରସୁଗୁଡ଼ା ପୁଲିସ ନିରବ ଥିବା ବେଳେ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ ଏ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। କିଛି ସମ୍ବେଦନଶୀଳ କ୍ଷେତ୍ରରେ ଅନ୍ୟ ଅଞ୍ଚଳର ପୁଲିସ ସ୍ଥାନୀୟ ପୁଲିସକୁ ଅବଗତ କରିନଥାନ୍ତି। ଝାରସୁଗୁଡ଼ା ସହରର କେଉଁ କେଉଁ ବ୍ୟବସାୟୀଙ୍କୁ ପୁଲିସ ଉଠାଇଛି ସେ ନେଇ ସହରରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏଥିରେ ସଂପୃକ୍ତ ଆଉ କିଛି ବ୍ୟକ୍ତି ଏବେ ଆତ୍ମଗୋପନ କରିଥିବା ଜଣାଯାଇଛି। ରେଭ୍‌ ପାର୍ଟିରେ ଉଦଣ୍ଡ ନୃତ୍ୟ କରୁଥିବା ଯୁବତୀଙ୍କ ମଧ୍ୟରୁ ୧୦ ଜଣ ଯୁବତୀ ମଧ୍ୟ ଝାରସୁଗୁଡ଼ାର ବୋଲି ଜଣାପଡ଼ିବା ପରେ ଏମାନଙ୍କୁ କିଏ କେମିତି ନେଇଥିଲା ସେ ନେଇ ମଧ୍ୟ ସହରରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର