ନୂଆପଡ଼ା: ପ୍ରାୟ ୧୮ ବର୍ଷ ହେବ ଖରା,ବର୍ଷା, ଶୀତରେ ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ, ଭିକାରି ଓ ଅସହାୟ ମଣିଷଙ୍କୁ ଭୋଜନ ଯୋଗାଉଛନ୍ତି ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ସଦର ଲାଲସାହେବ ପଡ଼ାର ରାଜେଶ କୁମାର ପୋଡ଼।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିକୁ ୧୮ ବର୍ଷ ତଳେ ଦିନେ ରାଜେଶ ଖଡ଼ିଆଳ ସହରରେ ବୁଲୁଥିବା ବେଳେ ଏକ ଦୁଃଖଦ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଥିଲା । ଭୋକ ବିକଳରେ ଜଣେ ପାଗଳ ଅଳିଆ ଗଦାରୁ ଖାଦ୍ୟର ସନ୍ଧାନ କରୁଥିଲେ । ଅଳିଆରୁ ମୁଠାଏ ଭାତ ଆଣି ଭୋକର ଜ୍ୱାଳା ମେଣ୍ଟାଇଥିଲେ। ଏହି ଦୃଶ୍ୟ ରାଜେଶଙ୍କୁ ବିଚଳିତ କରିଥିଲା। ସେହିଦିନ ରାଜେଶ ନିଜ ଘରୁ କିଛି ଭାତ ଡାଲି ତରକାରି ଧରି ସେ ପାଗଳକୁ ଖୋଜିବାକୁ ଲାଗିଲେ । ତାକୁ ଭେଟି ଖାଇବାକୁ ଦେଲେ । ମନରେ ଆନନ୍ଦ ପାଇଲେ । କିଛି ଦିନ ନିଜ ଘରୁ ଖାଦ୍ୟ ନେଇ ପାଗଳପାଗଳୀମାନଙ୍କୁ ଖାଇବାକୁ ଦେଲେ। ଏବେ ସେ ଖଡ଼ିଆଳର କେତେକ ମନ୍ଦିର, ହୋଟେଲ ଓ କେତେ ଜଣ ବଦାନ୍ୟ ବ୍ୟକ୍ତିଙ୍କ ଘରକୁ ଯାଇ ବଳକା ଖାଦ୍ୟ ସଂଗ୍ରହ କରି ତାକୁ ଧରି ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ, ଭିକାରି ଓ ଅସହାୟ ମଣିଷଙ୍କୁ ଖୋଜି ଖୋଜି ଖାଇବାକୁ ଦେଉଛନ୍ତି ।
ଖଡ଼ିଆଳ ଲାଲସାହେବ ପଡ଼ାର ରାଜେଶ କୁମାର ପୋଡ଼ଙ୍କ ପରିବାର କହିଲେ ପତ୍ନୀ ହରିପ୍ରିୟା , ପୁଅ ଓ ଝିଅ । ରୋଜଗାର କହିଲେ, ଖଡ଼ିଆଳରେ ତାଙ୍କର ଏକ ଛୋଟ ପାଥୋଲୋଜି କ୍ଲିନିକ୍ ଅଛି। ସକାଳୁ ୧୨ଟା ଯାଏ ପାଥୋଲୋଜି ଖୋଲନ୍ତି । ପରେ ସାଇକେଲ ଧରି ବାହାରି ଯା’ନ୍ତି ଖାଦ୍ୟ ସଂଗ୍ରହ ପାଇଁ। ସାଇକେଲରେ ୩/୪ଟି ବେଗ୍ ନେଇ ଖଡ଼ିଆଳ ସହର ଘରକୁ ଘର ବୁଲି, ହୋଟେଲ ଓ ମନ୍ଦିରମାନଙ୍କୁ ଯାଇ ବଳକା ଖାଦ୍ୟ ନଷ୍ଟ ନ କରିବାକୁ ଲୋକଙ୍କୁ ଅନୁରୋଧ କରନ୍ତି। ଖରା ହେଉ କି ବର୍ଷା, ଶୀତ ହେଉକି ଝଡ଼ ତୋଫାନ ରାଜେଶଙ୍କ ପଥ ଅଟକାଇ ପାରନ୍ତି ନାହିଁ କେହି।
ଏବେ ମଧ୍ୟ ଖଡ଼ିଆଳ ସହରରେ ଥିବା ୧୦/୧୫ ଜଣ ପାଗଳପାଗଳୀ, ଭିନ୍ନକ୍ଷମ ଓ ଅସହାୟଙ୍କୁ ମାଗଣା ଭୋଜନ ଯୋଗାଇ ଆସୁଛନ୍ତି ସେ । ତାଙ୍କ ସ୍ତ୍ରୀ ହରିପ୍ରିୟା ମଧ୍ୟ ରାଜେଶଙ୍କ କାମକୁ ପ୍ରଶଂସା କରୁଥିବା ବେଳେ କେବେ କେବେ ସେ ମଧ୍ୟ ଭୋଜନ ସଂଗ୍ରହ ଓ ଖାଦ୍ୟ ବିତରଣରେ ସହଯୋଗ କରନ୍ତି । ରାଜେଶ କହନ୍ତି ଯେ ତାଙ୍କୁ ଭୋକିଲା ମଣିଷକୁ ଖାଦ୍ୟ ଦେବାରେ ଆନନ୍ଦ ମିଳେ , କୋଟିଏ ଟଙ୍କା ପାଇଲା ପରି ଅନୁଭବ ହୁଏ। ଆଜୀବନ ଏହି ସେବା ଜାରି ରହିବ ବୋଲି ସେ କହିଛନ୍ତି ।