ମଶାଣିରେ ନାବାଳିକାକୁ ଗଣଦୁଷ୍କର୍ମ, ୨ ଗିରଫ

ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନିଜ ବସ୍ତିର ଦୁଇ ଯୁବକ ଜେଠୁ ପ୍ରଧାନ (୨୪) ଓ ଛୋଟୁ ପ୍ରଧାନ (୨୨) ନୃତ୍ୟ ଶିଖାଇବା ବାହାନାରେ ତାଙ୍କୁ ଡାକି ନେଇ ଗାଁ ମଶାଣିରେ ଅମାନୁଷିକ ଭାବେ ଦୁଷ୍କର୍ମ କରିବା ସହିତ ଛାତିରେ ପଥର ଲଦି ମାରି ଦେବାକୁ ଉଦ୍ୟମ କରିଛନ୍ତି। ଚେତା ହରାଇବା ପରେ ନାବାଳିକାଙ୍କୁ ମଶାଣିରେ ଛାଡ଼ି ଯୁବକ ଦ୍ୱୟ ଚାଲି ଯାଇଥିଲେ। ଅଧ ରାତିରେ ଚେତା ପାଇ ନାବାଳିକା ଘରକୁ ଆସି ସବୁ କଥା କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକ ଦୁଇ ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହିତ ପୁଲିସ ଜିମା ଦେଇଛନ୍ତି। ବୀରମିତ୍ରପୁର ପୁଲିସ ଦୁଷ୍କର୍ମ ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ରାତିରେ ଘଟିଥିବା ଘଟଣାଟି ବୀରମିତ୍ରପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁସାରେ ଗତକାଲି ରାତି ୮ଟାରେ ବସ୍ତିରେ ଡିଜେ ସାଉଣ୍ଡ୍‌ରେ ନାଚଗୀତ ଚାଲିଥିଲା। ନାବାଳିକା (୧୧)ଙ୍କ ବାପାମା ଘରେ ନଥିବାରୁ ବସ୍ତିର ଦୁଇ ଯୁବକ ଜେଠୁ ଓ ଛୋଟୁ ତାଙ୍କୁ ଦୁଷ୍କର୍ମ କରିବାକୁ ଯୋଜନା କରି ନୃତ୍ୟ ଶିଖାଇବା ବାହାନାରେ ଡାକି ନେଇଥିଲେ। ସେଠାରେ ନାବାଳିକା ଜଣକ କିଛି ସମୟ ନାଚିବା ପରେ ଅଭିଯୁକ୍ତ ଦ୍ୱୟ ଘରକୁ ଯିବା କହି ଗାଁ ମୁଣ୍ଡ ମଶାଣି ପାଖକୁ ନେଇ ଜଣକ ପର ଜଣେ ଦୁଷ୍କର୍ମ କରିଥିଲେ। ନାବାଳିକା ଚିତ୍କାର କରିଥିଲେ ବି ଡିଜେ ସାଉଣ୍ଡ୍‌ରେ କେହି ଶୁଣି ପାରି ନଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବୁ ବୋଲି ଧମକ ଦେଇଥିଲେ। ଏପରିକି ଏକ ବଡ଼ ପଥର ଆଣି କଚାଡ଼ି ମାରିବାକୁ ଉଦ୍ୟମ କଲା ବେଳକୁ ନାବାଳିକା ଭୟରେ ଚେତା ହରାଇଥିଲେ। ଏହା ପରେ ପଥରକୁ ନାବାଳିକଙ୍କ ଛାତିରେ ଲଦି ଜେଠୁ ଓ ଛୋଟୁ ସେଠାରୁ ପଳାଇଥିଲେ। ଇତିମଧ୍ୟରେ ବାପାମା ଘରକୁ ଫେରି ଝିଅ ନଥିବା ଦେଖି ବସ୍ତିରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ରାତି ୧୨ଟାରେ ନାବାଳିକା ଚେତା ପାଇବା ପରେ କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିଥିଲେ। ରାତି ୧ଟାରେ ବାପାମା ଓ କିଛି ସମ୍ପର୍କୀୟ ବୀରମିତ୍ରପୁର ଥାନାକୁ ଯାଇ ଏତଲା ଦେଇଥିଲେ। ଥାନାଧିକାରୀ ଦେବୀ ପ୍ରସାଦ ଦାଶ ତୁରନ୍ତ ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଇବା ସହିତ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସେପଟେ ଜେଠୁ ଓ ଛୋଟୁ ଏଭଳି କାଣ୍ଡ କରିଥିବା ଜାଣିବା ପରେ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ଧରି ଲୋକେ ନିସ୍ତୁକ ମାଡ଼ ମାରିବା ପରେ ପୁଲିସ ଜିମା ଦେଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଥାନାଧିକାରୀ ଶ୍ରୀ ଦାଶ ମାମଲାର ତଦନ୍ତ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛନ୍ତି। ଘଟଣାକୁ ନେଇ ଏବେ ବି ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର