ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ରଥକାଠ ପହଞ୍ଚିଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବନଖଣ୍ଡରୁ ଦୁଇଟି ଟ୍ରକରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଞ୍ଚିଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବନଖଣ୍ଡରୁ ଅସନ ଓ ଧଉରା କାଠ ବୋଝେଇ ହୋଇ ଆସିଛି । ୨୦ ଫୁଟ ଲମ୍ବର ୧୯ ଟି କାଠ ମଧ୍ୟରୁ ଅସନ ୧୧ଟି ଓ ଧଉରା ୮ ଟି ଥିବାବେଳେ ୧୨ ଫୁଟ ଲମ୍ବର ୩୪ ଟି କାଠ ମଧ୍ୟରୁ ଅସନ ୧୦ ଟି ଓ ଧଉରା ୨୪ ଟି କାଠ ଥିବା ଜଣାପଡ଼ିଛି। ଏଗୁଡ଼ିକୁ ରଥଖଳାକୁ ପଠାଯାଇଛି । ଶ୍ରୀପଞ୍ଚମୀ ଦିନ କାଠ ଚିରାଯାଇ ଅନୁକୂଳ ହେବ ।ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ । ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସ ଅର୍ଥାତ୍ ଫେବ୍ରୁଆରି ମାସରୁ ହିଁ ଆରମ୍ଭ ହୋଇଥାଏ । ଜଙ୍ଗଲରୁ କାଠ ଅଣାଯାଇ ବଡ଼ଦାଣ୍ଡର ରଥଖଳାରେ ପବିତ୍ର ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହାପରେ ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକଙ୍କ ନିର୍ଦେଶ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ସମ୍ବନ୍ଧିତ ଖବର