ରେଭେନ୍‌ସା ସେଭେନ୍‌ ପିଲାର୍ସ କାମ ସରିଲାନି

ସାତ ବର୍ଷ ପରେ ବି ସମୟ ଗଡ଼ାଉଛି ଇଡ୍‌କୋ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଉତ୍ସବ ଆୟୋଜନ ପାଇଁ ୨୦୧୧ ମସିହାରୁ ‘ସେଭେନ୍‌ ପିଲାର୍ସ ଅଫ୍‌ ଓ୍ଵିଜ୍‌ଡମ୍‌’ ନାମରେ ଏକ ବିଶାଳ ସଭାଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ବି ଏହାର ନିର୍ମାଣ କାର୍ଯ୍ୟ ହୋଇପାରି ନାହିଁ। ନିର୍ମାଣ ଦାୟିତ୍ୱ ନେଇଥିବା ଇଡ୍‌କୋ ସମୟ ଗଡ଼ାଇ ଚାଲିଛି। ଏହି ହଲ୍‌ ନିର୍ମାଣ ଶେଷ ହୋଇ ନଥିବାରୁ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଖୋଲା କିମ୍ବା ଅସ୍ଥାୟୀ ମଞ୍ଚ ଓ ଅନ୍ୟ ସ୍ଥାନମାନଙ୍କରେ କରାଯାଉଛି। ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ ସହ ଅସନ୍ତୋଷ ପ୍ରକାଶ ପାଉଛି।

୨୦୧୧ ମସିହାରେ ୧୭ କୋଟି ଟଙ୍କାରେ ଏହି ସଭାଗୃହର ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ୨୦୧୩ ଡିସେମ୍ବର ୨୮ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବାକୁ ମଧ୍ୟ ଯୋଜନା ରଖାଯାଇଥିଲ। ଇତିମଧ୍ୟରେ ୪ ବର୍ଷ ବିତି ସାରିଛି। ବିଶ୍ୱବିଦ୍ୟାଳୟର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ବି ଶେଷ ହୋଇଛି। ତଥାପି ନିର୍ମାଣ କାମ ଶେଷ ହୋଇପାରି ନାହିଁ। ହଲ୍‌ର ବାହାର ଭାଗ ସରିଥିବା ବେଳେ ଭିତର କାମ ଶେଷ ହୋଇନାହିଁ। ଭିତର ପାର୍ଶ୍ୱରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଗ୍ରିନ୍‌ରୁମ୍‌, ଷ୍ଟେଜ୍‌, ଡାଇନିଂ ହଲ୍‌, ଲାଇଟ୍‌, ସାଉଣ୍ଡ୍‌ ସିଷ୍ଟମ୍‌, ଇନ୍‌ଭର୍ଟର, ପ୍ରୋଜେକ୍‌ସନ୍‌ ସିଷ୍ଟମ୍‌, ସିସିଟିଭି, ବୈଦ୍ୟୁତିକ କାମ ପାଇଁ ଗତବର୍ଷ ଏପ୍ରିଲ ୧୧ରେ ୬କୋଟ ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ ଏଷ୍ଟିମେଟ୍‌ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବା ସହ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଇଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ଟଙ୍କାର ୩୦ ପ୍ରତିଶତ ବିଭାଗ ପ୍ରଦାନ କରିବାକୁ ଇଡ୍‌କୋ ବିଶ୍ୱବିଦ୍ୟାଳୟକୁ କହିଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଗତ ଜୁନ ୨୫ରେ ବିଭାଗକୁ ଏକ କୋଟି ୨୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେହିମାସ ୨୮ ତାରିଖରେ ଇଡ୍‌କୋ ଏହାକୁ ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଇଡ୍‌କୋ ପକ୍ଷରୁ ଗତ ଜୁନ୍‌ ୧୮ ଓ ୨୨ତାରିଖରେ ଏହି ସମସ୍ତ କାର୍ଯ୍ୟ କାରିବାକୁ ଟେଣ୍ଡର (ନମ୍ବର-୧୩୦୪୫ରେ) ଡକାଯାଇଥିଲା। ଟେଣ୍ଡର ପରେ ବି ଉକ୍ତ କାମ ଶେଷ କରିବାରେ ବିଭାଗ ବିଳମ୍ବ କରିଥିଲା। ପୁନର୍ବାର ସେପ୍ଟେମ୍ବର ୨ରେ ଆଉ ଏକ ଟେଣ୍ଡର ହୋଇ କାମ ଆରମ୍ଭ କରାଯାଇଥିଲା। ଏଥିପାଇଁ ବିଶ୍ୱବିଦ୍ୟାଳୟ ୪କୋଟି ଟଙ୍କା ଦେଇଥିଲା। ଗତ ଅକ୍ଟୋବରରେ କାମ ଶେଷ କରିବାକୁ ଇଡ୍‌କୋ କହିଥିଲା। ମାତ୍ର ଏହା ମଧ୍ୟରେ ୪ମାସରୁ ଅଧିକ ସମୟ ବିତିଯାଇଥିଲେ ବି ବିଭାଗ କାମ ଶେଷ କରିପାରି ନାହିଁ।

ଆସନ୍ତା ଏପ୍ରିଲରେ ଏହାର କାମ ଶେଷ ହୋଇଯିବ ବୋଲି ପୁନର୍ବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସପ୍ତାହରେ ଏନେଇ ଏକ ଜରୁରିକାଳୀନ ବୈଠକ ବିଶ୍ୱବିଦ୍ୟାଳୟ ଓ ଇଡ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହେବାର ଅଛି। ଏଥିରେ ବିଭାଗ କାର୍ଯ୍ୟ ଶେଷ କରିବାକୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେବ ବୋଲି ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡକ୍ଟର ପଦନ କୁମାର ଜେନା କହିଛନ୍ତି। ଆସନ୍ତା ଏପ୍ରିଲରେ ଏହାର କାମ ଶେଷ ହୋଇଯିବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର