କର୍ତ୍ତବ୍ୟ ଆଗରେ ହାର ମାନିଲା ଝିଅକୁ ହରାଇବାର ଦୁଃଖ : ଶେଷକୃତ୍ୟର ୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଏନ୍ଏଚଏମ୍ ଡିପିଏମ୍
ରାୟଗଡ଼ା : ଅଜଣା ରୋଗରେ ଆକ୍ରାନ୍ତ ହୋଇ ଝିଅ ଆରପାରିକୁ ଚାଲିଗଲା। ହଠାତ୍ ହସଖୁସିର ପରିବାରରେ କଳା ବାଦଲ ଘୋଟି ଆସିବା ସହ ଦୁଃଖରେ ଭାଙ୍ଗି ପଡ଼ିଲେ ସଭିଁଏ। ଗୋଟିଏ ପଟେ ଜାତୀୟ ବିପତ୍ତର ଦାୟିତ୍ବ ପରିଚାଳନା ଅନ୍ୟପଟେ ଝିଅର ମୃତ୍ୟୁ ଭଳି ଦୁଃଖଦ ଖବର ମାନସିକ ସ୍ତରରେ ଦୁର୍ବଳ କରିଦେଲା। ଏହା ସତ୍ତ୍ବେ ଝିଅ ମୃତ୍ୟୁର ୪ ଦିନ ପରେ କାର୍ଯ୍ୟରେ ଯୋଗଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାୟଗଡ଼ା ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ରାଜେଶ୍ୱର ରାଓ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ ଏପରି ଉଦ୍ୟମ ଓ କର୍ତ୍ତବ୍ୟ ପରାୟଣତାକୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜେଶ୍ୱର ରାଓ ପଟ୍ଟନାୟକ। ବଡ଼ ଝିଅ ୟୋସିତା ରାଓ ପଟ୍ଟନାୟକ। ରାୟଗଡ଼ା ସେକ୍ରେଡ୍ ହାର୍ଟ ସ୍କୁଲରେ ପଢ଼ୁଥିବା ୟୋସିତା ପିଲାଟି ଦିନରୁ ଭଲ ପାଠ ପଢ଼ୁଥିବା ବେଳେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରିବାର ଲୋକଙ୍କ ଆଶା ଥିଲା ୟୋସିତା ଭଲ ମାର୍କ ରଖି ପାସ୍ କରିବ। ଝିଅର ଉଚ୍ଚଶିକ୍ଷା ନେଇ ବାପା ରାଜେଶ୍ବର ବି ଯୋଜନା କରିଥିଲେ। କିନ୍ତୁ ପରୀକ୍ଷା ଫଳ ଆଶା ଆଗରୁ ପରିବାରଙ୍କ ଲୋକଙ୍କ ସବୁ ଆଶା ନରାଶରେ ପରିଣତ ହୋଇଛି। କିଛି ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୟୋସିତାଙ୍କ ଗତ ୧୩ ତାରିଖରେ ବିଶାଖାପାଟଣାରେ ମୃତ୍ୟୁ ହୋଇଛି। ୧୩ ତାରିଖରେ ୟୋସିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବା ପରେ ୧୪ ତାରିଖ ସକାଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ସୁରେଶ ଦେଓଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଆରମ୍ଭ ହେବା ପରେ ହିମୋଗ୍ଲୋବିନ୍ ପରିମାଣ କମ୍ ଥିବା ଜଣା ପଡ଼ିଥିଲା। ଫଳରେ ୨ ୟୁନିଟ୍ ରକ୍ତ ୟୋସିତାଙ୍କ ଦିଆଯାଇଥିଲା। ଏହା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବା କାରଣରୁ ଡାକ୍ତର ୟୋସିତାଙ୍କୁ ମଧ୍ୟାହ୍ନରେ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ରାତି ୮ଟାରେ ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ସମୟରେ ୟୋସିତା ଆଖି ବୁଜିଥିଲେ।
୧୬ ବର୍ଷର ଝିଅକୁ ହରାଇ ବାପା ରାଜେଶ୍ୱର ସଂପୂର୍ଣ୍ଣ ଭାଙ୍ଗି ପଡ଼ିବା ସହ ବିପତ୍ତି ସମୟରେ ଆସିଥିବା ଦୁଃଖକୁ ସମ୍ଭାଳି ପାରିନଥିଲେ। ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ବହୁ ଅଧିକାରୀ ରାଜେଶ୍ୱରଙ୍କୁ ଫୋନ୍ କରି ସାନ୍ତ୍ବନା ଦେଇଥିଲେ। ଧର୍ଯ୍ୟ ନ ହରାଇବାକୁ ପରାମର୍ଶ ଦେଇଥିଲେ। ୧୫ ତାରିଖ ସକାଳେ ୟୋସିତାଙ୍କ ମୃତଦେହ ରାୟଗଡ଼ାରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସହପାଠିନୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ପରିବାର ଲୋକ ଓ ରାଜେଶ୍ୱରଙ୍କ ସାନ୍ତ୍ବନା ଦେଇଥିଲେ। ଝିଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ୁଥିବାରୁ ସମସ୍ତଙ୍କୁ ବୁଝାଇ ଶୁଝାଇବା ସହ ଏପଟେ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜେଶ୍ୱରଙ୍କ ଗୁରୁ ଦାୟିତ୍ବ ଥିବାରୁ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ଝିଅ ମୃତ୍ୟୁର ୪ ଦିନ ପରେ ମଙ୍ଗଳବାର ରାଜେଶ୍ୱର କାର୍ଯ୍ୟରେ ଯୋଗଦେଇ ନିଜ କର୍ତ୍ତବ୍ୟ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନାୟକଙ୍କ ସହ ଆଲୋଚନା କରିଛନ୍ତି। ଯାହା ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ପ୍ରେରଣା ସଦୃଶ୍ୟ ହୋଇଛି।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ବିଭାଗର ଏକ ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ରାଜେଶ୍ୱର ନିଜ କର୍ତ୍ତବ୍ୟନିଷ୍ଠା ପାଇଁ ପଦୋନ୍ନତି ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଜଗତସିଂହପୁରରେ ସଫଳତାର ସହ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ରାୟଗଡ଼ାକୁ ଶ୍ରୀ ପଟ୍ଟନାୟକଙ୍କ ବଦଳି ହୋଇଥିଲା। ବିଗତ ଦିନ ଗୁଡ଼ିକରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା ଲାଗି ରାଜେଶ୍ୱର ବିଭିନ୍ନ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇ ପାରିଛନ୍ତି।