ଡାକ୍ତର ଦାମୋଦର ରାଉତ ବିଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ତୀବ୍ର ପ୍ରତିକ୍ରିୟା : କହିଲେ ବାପାଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ
ପାରାଦୀପ : ଡାକ୍ତର ଦାେମାଦର ରାଉତ ବିଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡ଼ିବ ନାହିଁ। ପରିବାର ଓ ରାଜନୀତି, ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ। ମୁଁ ମୋ ଦଳ-ବିଜେଡି ସହ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି। ଯଦି ମୋତେ ଦଳ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ କରେ ଓ ବାପା ବିଜେପିର ପ୍ରାର୍ଥୀ ହୁଅନ୍ତି, ତେବେ ମୁଁ ତାଙ୍କ ସହ ଲଢେ଼ଇ କରିବା ପାଇଁ ପ୍ରସ୍ତୁତ ଅଛି। ସମୟକୁ ଅପେକ୍ଷା କରିଛି। ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବି’ ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ପ୍ରତିକ୍ରିୟା ଏବେ ବାପ-ପୁଅ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପର ପକ୍ଷରେ ଦାମଙ୍କ ବିଜେପିରେ ସାମିଲ ହେବାକୁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୂଲ୍ୟହୀନ ପ୍ରସଙ୍ଗ ବୋଲି କହି ଏଡାଇ ଯାଇଛନ୍ତି।ସେ କହିଛନ୍ତି, ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କରିବା ଭଳି ଦାମ ଏବେ ବିଜେପି ଶରଣରେ ପଶିଛନ୍ତି। ଭଲ ହେଲା, ଆସନ୍ତା ସାଧାରଣ ନିର୍ବାଚନରେ ଦାମ ନିଜ ଓଜନ ମାପି ପାରିବେ। କଂଗ୍ରେସ ନେତା ବାପି ସର୍ଖେଲ ଦାମଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି ଯେ, ‘କ୍ଷମତା ପାଇଁ ଦାମ ସବୁକିଛି କରି ପାରନ୍ତି। କ୍ଷମତା ପାଇଁ ଜଣେ ବ୍ୟକ୍ତି କେଉଁ ସ୍ତରକୁ ଖସିପାରେ ଦାମ ବାବୁ ହେଉଛନ୍ତି ତାହାର ଶ୍ରେଷ୍ଠ ଉଦାହରଣ ବୋଲି ବାପି କହିଛନ୍ତି। କୁଜଙ୍ଗର ବିଜେଡି ନେତା ପୀତାମ୍ବର ତରାଇ କହିଛନ୍ତି, ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି। ଦାମ କ୍ଷମତା ଲୋଭରେ ବିଜେପିରେ ସାମିଲ ହୋଇଛନ୍ତି।