ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍ଏସ୍ପି)ର ଟ୍ୟୁୟର୍ ବ୍ଲୋ ପାଇପ୍ ଫାଟିଯିବାରୁ ବ୍ଲାଷ୍ଟ୍ ଫର୍ଣ୍ଣେସ୍-୫ ‘ଦୁର୍ଗା’ ପୁଣି ଅଚଳ ହୋଇଛି। ଆଜି ୮ ଘଣ୍ଟା ଧରି ବ୍ଲାଷ୍ଟଫର୍ଣ୍ଣେସ୍ ବନ୍ଦ ରହିବାରୁ ୮ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବି ସିଫ୍ଟ୍ ଚାଲିଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ବେଳେ ଟ୍ୟୁୟର ସଂଯୁକ୍ତ ବ୍ଲୋ ପାଇପ୍ ହଠାତ୍ ଫାଟିଯାଇଥିଲା। ସୌଭାଗ୍ୟକୁ ପାଖରେ କୌଣସି ଶ୍ରମିକ ଓ କର୍ମଚାରୀ ନଥିବାରୁ କେହି ମୃତାହତ ହୋଇନଥିଲେ। ତେବେ ବ୍ଲୋ ପାଇପ୍ ଫାଟିବା ମାତ୍ରେ ପ୍ରତିଶେଧମୂଳକ ବ୍ୟବସ୍ଥା ସ୍ୱରୂପ ବ୍ଲାଷ୍ଟ୍ ଫର୍ଣ୍ଣେସ୍କୁ ଚାପକୃତ ବାଷ୍ପ ପ୍ରବାହ ତୁରନ୍ତ ବନ୍ଦ କରାଯିବା ସହ ଓପିଏମ୍କୁ ବନ୍ଦ କରାଯାଇ ମରାମତି ଆରମ୍ଭ ହୋଇଥିଲା। କର୍ମଚାରୀ ଓ ବୈଷୟିକ ଅଫିସରଙ୍କ ଅକ୍ଳାନ୍ତ ଉଦ୍ୟମରେ ମରାମତି କାର୍ଯ୍ୟ ଶେଷ ହେବା ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଗତ ଅଢ଼େଇ ବର୍ଷ ମଧ୍ୟରେ ‘ଦୁର୍ଗା’ ପ୍ରାୟ ୨୫ ଥର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଆରମ୍ଭ (ଏପ୍ରିଲ୍ ୧)ରୁ ଆଜି ପର୍ଯ୍ୟନ୍ତ ୬ ଥର ଅଚଳ ହେଲାଣି। ଏହି କାରଣରୁ ବ୍ଲାଷ୍ଟ୍ ଫର୍ଣ୍ଣେସ୍-୫ରୁ ମୋଟ ୩୩ ଦିନ ଉତ୍ପାଦନ ବନ୍ଦ ହୋଇଛି। ଏ ସମ୍ପର୍କରେ ଆର୍ଏସ୍ପି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ,ଟ୍ୟୁଟର ପରିବର୍ତ୍ତନ ପାଇଁ ୬ ଘଣ୍ଟା ପାଇଁ ବ୍ଲାଷ୍ଟ ଫର୍ଣ୍ଣେସ୍ ୫କୁ ଅଚଳ କରାଯାଇଛି। ଏଭଳି ସଟ୍ ଡାଉନ୍ ଏକ ନିୟମିତ ପ୍ରକ୍ରିୟା ବୋଲି ଏଥିରେ କୁହାଯାଇଛି।