ପରିଚୟ ଦେବ ପୁରସ୍କାର: ଜୟନାରାୟଣ ପୂଜାପଣ୍ଡା
ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ପ୍ୟାରିସ ବେକରିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜୟନାରାୟଣ ପୂଜାପଣ୍ଡାଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି…
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
‘ସମ୍ବାଦ’ ଭଳି ଗୋଟିଏ ବଡ଼ ଗଣମାଧ୍ୟମ ସଂସ୍ଥା ଯେତେବେଳେ ଏଭଳି ପୁରସ୍କାର ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ କରିଛି ତାହା ନିଶ୍ଚିତଭାବେ ଭଲ କଥା। ରାଜ୍ୟରେ ଯେଉଁମାନେ ଉଦ୍ୟୋଗ ସ୍ଥାପନ କରିଛନ୍ତି ସେମାନେ ଆଜି ନହେଲେ କାଲି ଭାରତରେ ନିଜର ଏକ ପରିଚୟ ସୃଷ୍ଟି କରିବେ। ସେମାନଙ୍କ ପାଇଁ ‘ସମ୍ବାଦ’ର ଏହି ପୁରସ୍କାର ଏକ ସ୍ୱୀକୃତି ଭାବେ କାର୍ଯ୍ୟ କରିବ।
ଏଭଳି ପୁରସ୍କାର ବର୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁନାହାନ୍ତି କି?
ହଁ, ଗୋଟିଏ ଗଣମାଧ୍ୟମ ସଂସ୍ଥା ଯେତେବେଳେ ସମସ୍ତଙ୍କୁ ନେଇ କରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରୁଛି ସେତେବେଳେ ରାଜ୍ୟର ଶିଳ୍ପାୟନ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ପୂର୍ବାପେକ୍ଷା ଏବେକାର ସ୍ଥିତି ବହୁତ ବଦଳି ଯାଇଛି। ପୂର୍ବରୁ ସରକାରୀ ସ୍ତରରେ ଫାଇଲ ଅଟକି ଯାଉଥିଲା। ଏବେ ତାହା ହେଉନାହିଁ। ସରକାରୀ ସ୍ତରରେ ସ୍ୱଚ୍ଛତା ଆସିଛି। ସରକାରୀ କଳ ସକ୍ରିୟତାର ସହିତ କାର୍ଯ୍ୟ କରୁଛି। ଶିଳ୍ପାୟନ ପାଇଁ ଏହା ଏକ ଭଲ ଲକ୍ଷଣ।
ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ଉତ୍ତମ ଭିତ୍ତିଭୂମି ସହିତ ୨୪ ଘଣ୍ଟିଆ ବିଜୁଳି ସେବା, ଅଧିକରୁ ଅଧିକ ସଂଖ୍ୟକ ଏସ୍ଇଜେଡ୍, ଏସ୍ଟିପିଆଇ ଓ ଶିଳ୍ପାଞ୍ଚଳ ସ୍ଥାପନ ହେଲେ ରାଜ୍ୟର ଶିଳ୍ପାୟନ ଆହୁରି ତ୍ୱରାନ୍ଵିତ ହୋଇପାରିବ।
ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
କେବଳ ବୃହତ୍ ଏବଂ ମେଗା ଶିଳ୍ପ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ନଦେଇ ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ଉପରେ ଧ୍ୟାନ ଦେବା ଉଚିତ। ଏହାହେଲେ ତାମିଲନାଡ଼ୁ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ମଧ୍ୟ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପମାନ ଗଢ଼ି ଉଠିବ। ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ମିଳିବ।
ଓଡ଼ିଶାରେ କେଉଁ ସବୁ ଶିଳ୍ପରେ ବିକାଶ ପାଇଁ ବ୍ୟାପକ ସୁଯୋଗ ରହିଛି?
ଓଡ଼ିଶାରେ ଶୀତଳ ଭଣ୍ଡାର, ମତ୍ସ୍ୟ, ଖାଦ୍ୟ, ପାନୀୟ ଓ କୃଷିଭିତ୍ତିକ ଶିଳ୍ପ ସହିତ ଅନ୍ୟ ଛୋଟ ଛୋଟ ଶିଳ୍ପରେ ବ୍ୟାପକ ସୁଯୋଗ ରହିଛି।
ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ଶିଳ୍ପାୟନର ଅଗ୍ରଗତି ପାଇଁ ଇ-ଗଭର୍ଣ୍ଣାନ୍ସର କାର୍ଯ୍ୟକାରିତା ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। ଏଥିସହିତ ବିଭିନ୍ନ ପ୍ରକାର ଶୁଳ୍କ ଓ ଟିକସକୁ ସରଳୀକରଣ କରାଯିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ସବ୍ସିଡି ଆକାରରେ ପ୍ରୋତ୍ସାହନ ମିଳିବା ଉଚିତ।
ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ଭାବୁଛନ୍ତି କି?
‘ସମ୍ବାଦ’ ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ଯେଉଁମାନେ ଏହି ପୁରସ୍କାର ପାଇବେ ସେମାନେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବେ। ତେଣୁ ନୂଆ ପିଢ଼ିକୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ମଧ୍ୟ ଏହି ପୁରସ୍କାର ପ୍ରୋତ୍ସାହିତ କରିବ ବୋଲି ଆଶା ରହିଛି।
ରାଜ୍ୟରେ ଶିଳ୍ପାୟନ ଠିକ୍ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ଠିକ୍ ଦିଗରେ ଚାଲିଛି। ତଥାପି ସରକାର ଖଣିଜ ଭିତ୍ତିକ ଶିଳ୍ପ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପରିବର୍ତେ କୃଷିଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଚିତ।
ପୁରସ୍କାର ପାଇଁ କେମିତି ଆବେଦନ କରିବେ
www.sambadawards.in ଓ୍ଵବସାଇଟ୍ରୁ ଫର୍ମ ଡାଉନଲୋଡ୍ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗାଯୋଗ କରାଯାଇପାରିବ।