ରାଜନଗର : କେନ୍ଦ୍ରାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ସାପଗ୍ୟାଙ୍ଗ୍ର ସଂଜୟ ବିଶ୍ବାଳ ଓରଫ ବାବୁ ଆଜି ପୁଲିସ୍ ଏନ୍କାଉଣ୍ଟରର ଶିକାର ହୋଇଛି। ଆଜି ଭୋର ପାଖାପାଖି ସାଢେ ୪ଟା ବେଳେ ପେଣ୍ଠ ଅଞ୍ଚଳରେ ବାବୁ ପୁଲିସ ସହିତ ମୁହାଁମୁହିଁ ହେବା ସମୟରେ ଉଭୟ ପଟୁ ଗୁଳି ଫୁଟିଛି। ପୁଲିସର ଗୁଳି ବାବୁର ବାମ ଗୋଡରେ ବାଜି ଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବାବୁ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ହତ୍ୟା, ଡକାୟତି ଭଳି ୧୦ଟି ସଂଗୀନ ମାମଲା ରହିଥିବା ରାଜନଗର ପୁଲିସ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗାଁରେ ଗତକାଲି ସାପ ଗ୍ୟାଙ୍ଗ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଅପରାଧୀଙ୍କ ଗୁଳିରେ ନିରୀହ କିଶୋର ସେଠୀ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଥିଲା ଏହି ଘଟଣାପରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଂଜନ କୁମାର ଦେ, ଆଳି ଥାନା ଆଇଆଇସି ମହେଶ୍ୱର ମଲ୍ଲିକ, ରାଜକନିକା ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଓ ସ୍ପେଶାଲ୍ ସ୍କ୍ବାଡର ଏସ୍ଆଇ ପି. କେ, କାନୁନଗୋଙ୍କ ନେତୃତ୍ୱରେ ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପେଣ୍ଠ ଅଂଚଳରେ ଅପରାଧୀମାନେ ଥିବା ଖବରପାଇ ପୁଲିସ ଚଢାଉ କଲା ବେଳେ ପୁଲିସକୁ ଦେଖି ପତ୍ରପୁର ଅଂଚଳର ସଂଜୟ ବିଶ୍ୱାଳ ଓରଫ ବାବୁ ବାଇକରେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରିଥିଲା। ରାଜନଗର ଗୁପ୍ତି ରାସ୍ତାର କୁରୁଂଟି ଛକ ନିକଟରେ ପୁଲିସ ସହ ବାବୁ ମୁହାଁମୁହିଁ ହେବା ବେଳେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ବାବୁକୁ ଚେତାବନୀ ଦେବାକୁ ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର ଗୋଟିଏ ବ୍ଲାଙ୍କ ଫାଏରିଂ କରିଥିଲେ ବି ସେ ନ ଅଟକିବାରୁ ତା’ ଗୋଡକୁ ଲକ୍ଷ୍ୟ କରି ପୁଲିସ ୨ଟି ଗୁଳି ଚଳାଇଥିଲା। ଦୁଇଟି ଗୁଳି ତା ବାମଗୋଡରେ ବାଜିଥିଲା। ବାବୁ ବ୍ୟବହାର କରୁଥିବା ସବୁଜ ରଂଗର ନମ୍ବର ବିହୀନ ଗ୍ଲାମରଗାଡି, ବନ୍ଧୁକ ଓ ୩ଟି ଖୋକାକୁ ପୁଲିସ ଜବତ କରିଛି।
ଅନ୍ୟପଟେ କଣ୍ଡିରା ଗ୍ରାମବାସୀମାନେ ଗତକାଲି କାବୁ କରି ପୁଲିସ ଜିମା ଦେଇଥିବା ଅଭିଯୁକ୍ତ ସିପୁନ ସ୍ବାଇଁକୁ ଆଜି କେନ୍ଦ୍ରାପଡାର ଏଡିଜେ କମ୍ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା ସେଠାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।