ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିସରରେ ପାଞ୍ଜି ସମୀକରଣ ବୈଠକ ବସିଛି। ଶ୍ରୀମନ୍ଦିର ପ୍ରଶାସକ(ନୀତି) ଡ ପ୍ରଦୀପ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆସନ୍ତା ବର୍ଷରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀର ତିଥି ସ୍ଥିର ହୋଇଛି। ବଜାରରେ ଉପଲବ୍ଧ ପାଞ୍ଜି ଯଦି ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା ପ୍ରମାଣିତ ନୁହେଁ ତେବେ ଏଗୁଡ଼ିକର ତିଥି ବାର ବା ପର୍ବପର୍ବାଣୀର ସମୟ ଧାର୍ଯ୍ୟକୁ ନେଇ ପ୍ରଶାସନ ଦାୟୀ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏଣୁ ପ୍ରଥମେ ପାଞ୍ଜିରେ ଶ୍ରୀମନ୍ଦିର ପ୍ରଶାସନର ପ୍ରମାଣିତ ଫର୍ଦ୍ଦ ଦେଖିବା ପରେ ଜନସାଧାରଣ ଏହାକୁ ବିଶ୍ୱାସକୁ ନିଅନ୍ତୁ ବୋଲି ପ୍ରଶାସକ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ପାଞ୍ଜିରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣୀର ତିଥି ସମ୍ବନ୍ଧରେ ବିବରଣୀ ମଧ୍ୟ ପ୍ରକାଶ ପାଉଛି। ହେଲେ ଏହା ଶ୍ରୀମନ୍ଦିର ପ୍ରଶାସନର ପ୍ରମାଣିତ ନ ହେଲେ ଲୋକମାନେ ଏହାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କୁହାଯାଇଛି। ଅନେକ ସମୟରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣୀକୁ ନେଇ ଏହି ସବୁ ଅଣ ସ୍ୱୀକୃତିପ୍ରାପ୍ତ ପାଞ୍ଜିରେ ଦ୍ଵନ୍ଦ୍ୱ ରହୁଥିବାରୁ ଭକ୍ତମାନେ ଦ୍ଵନ୍ଦ୍ୱରେ ପଡ଼ୁଛନ୍ତି। ଏଣୁ ଶ୍ରୀମନ୍ଦିରରେ ପାଳିତ ହେବାକୁ ପର୍ବ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯିବା ପାଇଁ ସ୍ଥିର ହୋଇଛି। ବୈଠକରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା, ହରେକୃଷ୍ଣ ପୂଜାପଣ୍ଡା ସାମନ୍ତ, ମାଧବ ପୂଜାପଣ୍ଡା ସାମନ୍ତ, ମୁକ୍ତି ମଣ୍ଡପ ପଣ୍ଡିତ ସଭା ସାଧାରଣ ସମ୍ପାଦକ ଭଗବାନ ମହାପାତ୍ର, ସିଦ୍ଧେଶ୍ୱର ମହାପାତ୍ର, ନରସିଂହ ମହାପାତ୍ର, ରବି ନାରାୟଣ ମିଶ୍ର, ରଘୁନାଥ ମିଶ୍ର ଓ ଜ୍ୟୋତିର୍ବିଦ ଚିତ୍ତରଞ୍ଜନ ନାୟକପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଏପ୍ରିଲ ମାସରୁ ୨୦୧୯ ମାର୍ଚ ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣୀ ପାଇଁ ଏହି ବାର୍ଷିକ ନୀତି ଲାଗୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଚଳିତ ବର୍ଷ ଦୋଳ ପୂର୍ଣ୍ଣିିମା ପାଳନକୁ ନେଇ ତିଥି ବିବାଦ ରହିଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିସାରିଥିବା ବେଳେ ଶ୍ରୀମନ୍ଦିରରେ ଏହା ୨ ତାରିଖରେ ପାଳିତ ହେବା ସ୍ଥିର ହୋଇଛି।