ବିଜେଡିର ମିଶ୍ରଣ ପର୍ବ : ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବିଜେଡିରେ

ଭୁବନେଶ୍ବର : ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀସାଗରଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ, ସଙ୍ଗୀତକାର ମହମ୍ମଦ ଅବିଦ୍, କ୍ଷୀରୋଦ ସିଂହ, ଶିବ ଶର୍ମା, ମହମ୍ମଦ ୟାସିନ୍, ଶ୍ରୀକାନ୍ତ କୁମାର ସାହୁଙ୍କ ସମେତ ବହୁ କଳାକାର ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀସାଗରଙ୍କ ବିଜେଡିରେ ଯୋଗଦାନ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ବିଜେଡିରେ ଯୋଗଦେବା ପରେ ଶ୍ରୀସାଗର କହିଥିଲେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲୋକଙ୍କ ପାଇଁ କାମ କରିବେ।

ରବିବାର ଚଳଚିତ୍ର କଳାକାରଙ୍କ ସମେତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୬୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ନବୀନ ନିବାସ ଆସି ବିଜେଡିରେ ଯୋଗଦେଇଛନ୍ତି। ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶାଙ୍କ ନେତୃତ୍ବରେ କଂଗ୍ରେସର ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦିନୀ କିରସାନୀ, ଉପାଧ୍ୟକ୍ଷା ଗୀତାଞ୍ଜଳି ଭତ୍ରା, କଂଗ୍ରେସର ପୂର୍ବତନ ବ୍ଲକ ସଭାପତି କିଶୋର କୁମାର ରାଜୁଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଥିଲେ। ସେହିପରି କଳାହାଣ୍ଡି ଜୟପାଟଣା ବ୍ଲକର ବହୁ ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ଜୟପାଟଣା ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୧୯ ସମିତି ସଭ୍ୟ ଓ ସଭ୍ୟାଙ୍କ ସହ ୬୦ରୁ ଉର୍ଦ୍ଧ୍ବ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ଦଳର କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର