ସୀତାକାନ୍ତ ମହାପାତ୍ରଙ୍କୁ ‘ଉତ୍କଳ ରତ୍ନ ସମ୍ମାନ’

ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଉତ୍ସବ

କଟକ : ସାହିତ୍ୟ ସର୍ବଦା ସତ୍‌, ଚିତ୍‌, ଆନନ୍ଦର ଆରାଧନା କରିଆସୁଛି। ସାହିତ୍ୟ ସମାଜର ହିତ ସାଧନ ପାଇଁ ଉଦ୍ଦିଷ୍ଟ। ଏଥି ପାଇଁ ଆମ ସାହିତ୍ୟିକମାନେ ଭାରତୀୟ ଭୌଗଳିକ ସୀମା ମଧ୍ୟରେ ସୀମିତ ନରହି ଏବେ ବିଶ୍ବବିଦିତ। ଆମ ସାହିତ୍ୟ ତ୍ୟାଗ, ସମର୍ପଣ, କଲ୍ୟାଣ ପାଇଁ ସୃଷ୍ଟି ‌ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି। ଉତ୍କଳ ସାହିତ୍ୟ ସମାଜର ୧୧୭ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ‌, ବିଶ୍ବର ୪୮ଟି ସଂସ୍କୃତି ମଧ୍ୟରୁ ୪୭ ସଂସ୍କୃତି ଲୋପ ପାଇଥିବା ବେଳେ ଭାରତୀୟ ମହାନ ସଂସ୍କୃତି ଏବେ ଉଜ୍ଜୀବିତ। ସାହିତ୍ୟିକ ମାନେ ସମାଜର ହିତ ଓ ବ୍ୟକ୍ତିର କଲ୍ୟାଣ ଉଦ୍ଦେଶ୍ୟରେ ସାହିତ୍ୟ ସୃଷ୍ଟି କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ୍ ସାରସ୍ବତ ସାଧକମାନଙ୍କୁ ଆହ୍ବାନ ଦେଇଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୧୧୭ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶି‌‌‌ଷ୍ଟ ସାରସ୍ବତ ପ୍ରତିଭାମାନଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ଉତ୍ସବରେ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯାଇଥିଲା। ଏହା ସହିତ କଥାକାର ଡକ୍ଟର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ଗାଳ୍ପିକ ପରେଶ କୁମାର ପଟ୍ଟନାୟକଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ନାଟ୍ୟକାର ନବକିଶୋର ଦାସଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, କମଳାକାନ୍ତ ଜେନାଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ପ୍ରାବନ୍ଧିକ ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ଶିଶୁ ସାହିତ୍ୟିକ ଦେବରାଜ ସାମନ୍ତରାୟଙ୍କୁ ରାମକୃଷ୍ଣ ନନ୍ଦ ଶିଶୁସାହିତ୍ୟ ସମ୍ମାନ, କବି ତଥା ଅନୁବାଦକ ଡକ୍ଟର ଭଗବାନ ଜୟସିଂହଙ୍କୁ ପ୍ରଫୁଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ପ୍ରାବନ୍ଧିକ ଡକ୍ଟର ଫକୀରମୋହନ ସାହୁଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଗାଳ୍ପିକା ମନୋଜ ମଞ୍ଜରୀ ମିଶ୍ର, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି, ନାଟ୍ୟକାର ବଦ୍ରି ମିଶ୍ର, ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ, ଲକ୍ଷ୍ମୀନାରାୟଣ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ନବୀନ କିଶୋର ପଟ୍ଟନାୟକ, ବିଶିଷ୍ଟ ବୈଜ୍ଞାନିକା ଡକ୍ଟର ସୁବାସିନୀ‌ ଲେଙ୍କା, ରମ୍ୟରଚନାକାର ଡମ୍ବରୁଧର ପଟ୍ଟନାୟକ, ସାରସ୍ବତ ସଂଗଠକ ପୁରୁଷୋତ୍ତମ ପଟ୍ଟନାୟକ, ସମାଲୋଚକ ଡକ୍ଟର ସୁଶୀଳ କୁମାର ଦାଗ, ପ୍ରକାଶକ ଶୁଭେନ୍ଦୁ ଶେଖର ରଥ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ସଂପାଦିକା ଡକ୍ଟର ଇତି ସାମନ୍ତ, ଚିତ୍ରଶିଳ୍ପୀ ପଦ୍ମନାଭ ବେହେରାଙ୍କୁ ମଧ୍ୟ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ‘ଉତ୍କଳ ସାହିତ୍ୟ ସମାଜର ଇତିହାସ’ ସମେତ ‘ବିବିଧ ଅଭିଭାଷଣ’ ଓ ‘ଓଡ଼ିଶା ଓ ଓଡ଼ିଆ ସାହିତ୍ୟ’ ଆଦି ତିନିଟି ଗ୍ରନ୍ଥକୁ ଉନ୍ମୋଚନ କରିଥିଲେ। ଅନୁଷ୍ଠାନର ଉପସଭାପତି ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ୍‌ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧିତ ଖବର