ସ୍ମିତାରାଣୀ ମୃତ୍ୟୁ ଘଟଣା : ରୂପେଶଙ୍କ ରଙ୍ଗଶାଳା ସିଲ୍‌

ରାମ୍‌କୋ କମ୍ପାନିର ଅଧିକାରୀ ଅନ୍ତର୍ଦ୍ଧାନ, ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲା କମ୍ପାନି, ସବୁ ଥାନା, ଫାଣ୍ଡିରେ ଏତଲା ଦେବ ବିଜେପି

ଯାଜପୁର/ଧର୍ମଶାଳା : ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ମୂକସାକ୍ଷୀ ସରପଞ୍ଚ ମଧୁସ୍ମିତା ଭଦ୍ରାଙ୍କ ସ୍ବାମୀ ରୂପେଶଙ୍କ ରଙ୍ଗଶାଳାକୁ ଆଜି ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏହି ବେଆଇନ୍ ଓ ବିବାଦୀୟ ଜମି ଉପରେ ପ୍ରଶାସନ ୧୪୪ଧାରା ଲାଗୁ କରିବା ସହ ଲାଲ ପତାକା ଲଗାଇଛି ପ୍ରଶାସନ। ଆସନ୍ତାକାଲି ସ୍ମିତାରାଣୀଙ୍କ ଏକାଦଶାହ ପାଳନ ହେଉଥିବାବେଳେ ଯାଜପୁର ଏସ୍‌ପିଙ୍କ ବିରୋ‌ଧରେ ବିଜେପି ଜିଲ୍ଲାର ସମସ୍ତ ଥାନାଫାଣ୍ଡିରେ ଏତଲା ଦେବ ବୋଲି ଘୋଷଣା କରିଛି।

ରୂପେଶଙ୍କ ହରିଦାସପୁର ଥିବା ଗେଷ୍ଟହାଉସ ସଂପୂର୍ଣ୍ଣ ସରକାରୀ ଜମିରେ ଠିଆ ହୋଇଛି। ଏହି କୋଠାଟି ପ୍ଲଟ୍ ନମ୍ବର ୨୯୦/୨୯୧,ଖାତା ନମ୍ବର ୧୦୯/୧୧୦ର ଅନାବାଦି ଓ ଜଙ୍ଗଲ କିସମ ଜମିରେ ଛିଡାହୋଇଛି। ‌ମୋଟ ୧୭ ଡିସିମିଲ ଜମିରୁ ୧୩ ଡିସିମିଲ ଅନାବାଦି ଓ ୪ ଡିସିମିଲ ଜଙ୍ଗଲ ଜମି ରହିଥିବା ଜଣାଯାଇଛି। ପୂର୍ବରୁ ଏହି କୋଠାକୁ ଉଚ୍ଛେଦ ପାଇଁ ନୋଟିସ ସହ ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ରାଜନୈତିକ ଚାପ କିମ୍ବା ପ୍ରାଶାସନିକ ସ୍ଥାଣୁତାରୁ ୨୦୧୮ ମାର୍ଚ୍ଚ ୨୭ରୁ ଉଚ୍ଛେଦ ନୋଟିସ ଫାଇଲ ତଳେ ଚାପି ହୋଇ ଯାଇଥିଲା। ପିିଇଓ ସ୍ମିତାରାଣୀଙ୍କ ଏଠାରେ ମୃତ୍ୟୁ ପରେ ଏହି ବିବାଦୀୟ କୋଠା ଚର୍ଚ୍ଚାକୁ ଆସିଥିଲା। ଗତ ୨୦ ତାରିଖ ଦିନ ଧର୍ମଶାଳା ତହସିଲ ପକ୍ଷରୁ ଏହି କୋଠାର ଅବସ୍ଥିତି ନେଇ ତଦନ୍ତ ହୋଇଥିଲା। ଗତକାଲି ଜିଲ୍ଲାପାଳ ରଂଜନ କୁମାର ଦାସ ଗେ‌ଷ୍ଟହାଉସ୍‌କୁ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ, ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଏବଂ ରାଜସ୍ବ ବିଭାଗ କର୍ମଚାରୀ ଏହି ରଙ୍ଗଶାଳା (ଗେଷ୍ଟ ହାଉସ୍‌)କୁ ସିଲ୍‌ କରିବା ସହ ନାଲି ପତାକା ମାରିଛନ୍ତି।

ଅନ୍ୟପକ୍ଷରେ, ସ୍ମିତାରାଣୀଙ୍କ ମୃତ୍ୟୁକୁ‌ ନେଇ ଏବେ ବି ସନ୍ଦେହ ଦୂର ହୋଇନାହିଁ। ପୁଲିସ ତଦନ୍ତ ଉପରୁ ଜନସାଧାରଣ ଆସ୍ଥା ତୁଟିବାରେ ଲାଗିଛି। ଯାହାକୁ ନେଇ ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏପରିକି ଗ୍ରାମସେବକ ଓ ପିଇଓ ସଂଘ ମଧ୍ୟ କଲମ ଛାଡ଼ ଆନ୍ଦୋଳନ ପାଇଁ ଡାକରା ଦେଇଛି। ଅପରପକ୍ଷରେ ପୁଲିସ ତଦନ୍ତ ସେହି ରୂପେଶ ଗିରଫରେ ହିଁ ଅଟକ ଯାଇଛି। ରାମକୋ ସିମେଣ୍ଟ କାରଖାନା‌େର କ‌ାର୍ଯ୍ୟରତ ଜଣେ ତାମିଲ୍‌ ଅଧିକାରୀଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ଥମିବାର ନାମ ନେଉନି। ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଯେଉଁ ରାମକୋ କମ୍ପାନିର ଅଧିକାରୀଙ୍କ ସହିତ ଅଧିକାଂଶ ହୋଟେଲ ଓ ବିଭିନ୍ନ ଉତ୍ସବରେ ଘୂରି ବୁଲୁଥିଲେ, ସେ ଅଧିକାରୀ ଗଲେ କୁଆଡ଼େ ବୋଲି ଏବେ ସାଧାରଣରେ ଅଧିକ ଚର୍ଚ୍ଚା ‌େଜାର ଧରିଛି। ଚୁଟି କଲର କରିଥିବା ଏହି ଅଧିକାରୀଙ୍କ ନାମ ଗୁପ୍ତ ରଖିବାକୁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି।

ଏ ସଂପର୍କରେ ରା‌ମକୋ ଏଚଆର ଡିଜିଏମ ସର୍ବେଶ୍ବର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ରୂପେଶ ସହିତ ତାଙ୍କ କମ୍ପାନିର ସିଧାସଳଖ କୌଣସି ସମ୍ପର୍କ ନାହିଁ। ଏପରିକି ରୂପେଶଙ୍କୁ ମଧ୍ୟ ସିଧାସଳଖ କୌଣସି ଠିକା ଦିଆଯାଇନାହିଁ। ରୂପେଶଙ୍କ ରଙ୍ଗଶାଳାରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଦିନ ତାଙ୍କ କମ୍ପାନିର କୌଣସି ଅଧିକାରୀ ନଥିଲେ ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର