ହାତୀ ଘଉଡ଼ାଇବ ସୋଲାର୍‌ ଫେନ୍‌ସିଂ

ରାଉରକେଲା : ଜନବସତି ମୁହାଁ ହାତୀଙ୍କୁ ଏଣିକି ଘଉଡ଼ାଇବ ସୌର ଶକ୍ତି ଚାଳିତ ବାଡ଼ (ସୋଲାର୍‌ ଫେନ୍‌ସିଂ)। ଲଙ୍କା ଧୂଆଁ, ନିଆଁହୁଳା ଫେଲ୍‌ ମାରିବା ପରେ ବନବିଭାଗ ହାତୀ ଉପଦ୍ରବ ଅଞ୍ଚଳରେ ଏହାର ପ୍ରୟୋଗ ଆରମ୍ଭ କରିଛନ୍ତି। ବେଶ ପ୍ରଭାବୀ ଢଙ୍ଗରେ ଆରମ୍ଭ ହୋଇଥିବା ସୋଲାର୍‌ ଫେନ୍‌ସିଂ ହାତୀଙ୍କୁ ଜଙ୍ଗଲ ଆଡ଼କୁ ଫେରାଇବା ପାଇଁ ଯଥେଷ୍ଟ ହେବ।

ସୋଲାର୍‌ ଫେନ୍‌ସିଂରେ ଥିବା ବୈଷୟିକ ବ୍ୟବସ୍ଥାରେ ଏକ ବ୍ୟାଟେରି ଦିନରେ ସୌର ଶକ୍ତି ସଂଗ୍ରହ (ଚାର୍ଜ) କରି ରାତି ସାରା ଫେନ୍‌ସିଂ ତାରକୁ ବିଦ୍ୟୁତ ଯୋଗାଇବ। ରାତିରେ କେହି ଫେନ୍‌ସିଂ ତାର ସଂସ୍ପର୍ଶରେ ଆସିଲେ ମାତ୍ର ଗୋଟିଏ ସେକେଣ୍ଡ ପାଇଁ ୧୨ ହଜାର ଭୋଲ୍ଟ ବିଦ୍ୟୁତ ଶକ୍ତିର ଝଟ୍‌କା ପାଇବେ। ଏହା ସହିତ ଏକ ସତର୍କ ଘଣ୍ଟି ମଧ୍ୟ ବାଜିବ। ଝଟ୍‌କା ଶକ୍ତିଶାଳୀ ହେଲେ ମଧ୍ୟ ହାତୀ କିମ୍ବା ମଣିଷର ଜୀବନ ପ୍ରତି ବିପଦ ନାହିଁ। ତେଣୁ ଏକ ସେକେଣ୍ଡ୍‌ର ଝଟ୍‌କାରେ ଅନୁପ୍ରବେଶକାରୀ ସ୍ଥାନ ପରିତ୍ୟାଗ କରିବାକୁ ବାଧ୍ୟ ହେବେ। ପରୀକ୍ଷାମୂଳକ ଭାବେ ସୋଲାର ଫେନ୍‌ସିଂ କୌଶଳ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଓ ସଦର ରେଞ୍ଜ ଅନ୍ତର୍ଗତ ଉଜ୍ୱଲପୁର ଏବଂ ଲେଫ୍ରିପଡ଼ାରେ ସଫଳ ହୋଇଛି। ଗତ ଦୁଇ ମାସ ଧରି ହାତୀ କିମ୍ବା ଅନ୍ୟ କୌଣସି ବନ୍ୟଜନ୍ତୁ ସେ ଅଞ୍ଚଳକୁ ପାଦ ମାଡ଼ିନାହାନ୍ତି ବୋଲି କହିଛନ୍ତି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ର।

ଗତ ବର୍ଷରୁ ହାତୀ ଉପଦ୍ରୁତ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ଓ ବଣାଇଁ ବନଖଣ୍ଡରେ ସୋଲାର୍‌ ଫେନ୍‌ସିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଏ ବ୍ୟବସ୍ଥା ଥିବା ଅଞ୍ଚଳରେ ହାତୀ ସହ ଅନ୍ୟ ବନ୍ୟଜନ୍ତୁଙ୍କ ଉତ୍ପାତ ପ୍ରାୟ କମି ଯାଇଥିବା ବେଳେ ଧନଜୀବନ ହାନୀ ବି ଅନ୍ୟ ବର୍ଷ ତୁଳନାରେ କମି ଯାଇଛି ବୋଲି ବଣାଇଁ ବନଖଣ୍ଡ ଅଧିକାରୀ ସୁଧାଂଶୁ ଶେଖର ଖରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର