ପୂର୍ବତଟ ରେଳପଥ ପକ୍ଷରୁ ୧୧ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଚନ୍ଦ୍ରଶେଖରପୁର: ଗ୍ରୀଷ୍ମ ସମୟରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ପୂର୍ବତଟ ରେଳପଥ ଏବଂ ଏହାର ପରିସୀମା ମଧ୍ୟ ଦେଇ ୧୦ ଯୋଡ଼ା ସାପ୍ତାହିକ ଏବଂ ଏକ ଯୋଡ଼ା ଦୈନିକ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ୍‌ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁର-ବନସ୍‌ୱାଡ଼ି (ବେଙ୍ଗାଲୁର) ସାପ୍ତାହିକ ସ୍ୱତନ୍ତ୍ର ଭଡ଼ା ଟ୍ରେନ୍‌ ଚଳିତ ମାସ ୪ ତାରିଖରୁ ଜୁନ୍‌ ୨୭ ମଧ୍ୟରେ ପ୍ରତି ବୁଧବାର ସମ୍ବଲପୁରରୁ ଛାଡ଼ିବ। ପୁରୀ-ସାନ୍ତ୍ରାଗାଛି (ହାଓ୍ଵଡା) ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌ ଚଳିତ ମାସ ୬ରୁ ୨୯ ଜୁନ୍‌ ମଧ୍ୟରେ ପ୍ରତି ଶୁକ୍ରବାର ପୁରୀରୁ ଯାତ୍ରା ଆରମ୍ଭ କରିବ। ବିଶାଖାପାଟଣା-କିରଣ୍ଡୁଲ ଭାୟା କୋରାପୁଟ ଦୈନିକ ସ୍ୱତନ୍ତ୍ର ଟ୍ରେନ୍‌ ୩୧ ମାର୍ଚ୍ଚରୁ ୩୦ ଜୁନ୍‌ ମଧ୍ୟରେ ବିଶାଖାପାଟଣାରୁ, ହବିବଗଞ୍ଜ (ଭୋପାଳ)-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌ ୩ଏପ୍ରିଲରୁ ୨୬ଜୁନ୍‌ ମଧ୍ୟରେ ପ୍ରତି ମଙ୍ଗଳବାର ହବିବଗଞ୍ଜରୁ, ତିରୁପତି-ବିଶାଖାପାଟଣା ଏସି ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌ ପ୍ରତି ରବିବାର ତିରୁପତିରୁ, ଯଶୋବନ୍ତପୁର-ବିଶାଖାପାଟଣା ତତ୍କାଳ ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌ ଚଳିତ ମାସ ୬ରୁ ୨୫ ମେ’ ମଧ୍ୟରେ ପ୍ରତି ଶୁକ୍ରବାର ଯଶୋବନ୍ତପୁରରୁ ନିର୍ଧାରିତ ସ୍ଥାନକୁ ଯାତ୍ରା କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଏହାବ୍ୟତୀତ ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ଗ୍ରୀଷ୍ମରେ ନିଜ ପରିସୀମାରୁ ବିଭିନ୍ନ ଗନ୍ତବ୍ୟସ୍ଥଳ ମଧ୍ୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଏବଂ ଅଧିକ ବଗି ସଂଯୋଗ କରିବାର ଯୋଜନା କରିଛି। ସେହିପରି ଗୁରୁତ୍ୱପୂର୍ଣ୍ଣ ନିୟମିତ ଟ୍ରେନ୍‌ଗୁଡ଼ିକରେ ମଧ୍ୟ ଅତିରିକ୍ତ ବଗି ବୃଦ୍ଧି କରିବା ସହ ଅଧିକ ବଗି ଯୋଡ଼ିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି। ରେଳବାଇର ଦୁଇ ପ୍ରମୁଖ ଟ୍ରେନ୍‌ର ମାନ୍ୟତା ପାଇଥିବା ରାଜଧାନୀ ଓ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସରେ ସ୍ଥାୟୀ ଭାବେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବଗି ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ ପରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ଗୁଡ଼ିକରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଏସ୍‌-୩ ଟାୟାର ବଗି ସ୍ଥାୟୀ ଭାବେ ସଂଯୋଗ କରାଯିବା ନେଇ ସ୍ଥିର କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ପହିଲାରୁ ୨୨୮୧୧ ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା, ଅଗଷ୍ଟ ୨ ପରଠାରୁ ୨୨୮୨୩ ରାଜଧାନୀ ଏକ୍ସପ୍ରେସ ଭାୟା ଟାଟା ଏବଂ ଅଗଷ୍ଟ ୪ରୁ ୨୦୮୧୭ ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି-ଝାରସୁଗୁଡ଼ା ଓ ରାଉରକେଲା ଟ୍ରେନ୍‌ରେ ଏହି ସ୍ଥାୟୀ ଅତିରିକ୍ତ ବଗି ସଂଯୋଗ କରାଯିବ। ସେହିପରି, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସରେ ଚଳିତ ମାସ ପହିଲାରୁ ସ୍ଥାୟୀ ଭାବେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର