କଟକ : ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ଆଜି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ(ସିଭିଲ) ବି. ଆଶିଷ କୁମାର ସୁବୁଦ୍ଧିଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ଗରୁଡ଼ ସ୍ତମ୍ଭ ଓ ଜୟବିଜୟ ଦ୍ୱାର ନିକଟରେ ପ୍ରସ୍ତାବିତ ମରାମତି ପାଇଁ ନିରୂପଣ କରାଯାଇଥିବା ସ୍ଥାନ ହସ୍ତାନ୍ତର ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି। କିନ୍ତୁ ଏପର୍ଯ୍ୟନ୍ତ ଏଏସ୍ଆଇ ପକ୍ଷରୁ ଏ ନେଇ ମନ୍ଦିର ପ୍ରଶାସନକୁ କିଛି ଅବଗତ କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଜୟବିଜୟ ଦ୍ୱାର ନିକଟରେ ଦୁର୍ବଳ ହୋଇ ପଡିଥିବା ଛାତର ମରାମତି ପାଇଁ କ’ଣ ଯୋଜନା ରହିଛି ଓ ଏଥିପାଇଁ କେଉଁଠାରେ କେତେ ସ୍ଥାନ ଆବଶ୍ୟକ, ସେ ନେଇ ଅବଗତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍ଆଇକୁ ଗତ ନଭେମ୍ବର ୨୦ ଓ ୨୮ ତାରିଖରେ ଚିଠି ଲେଖା ଯାଇଥିଲା। ଏହି ପ୍ରସଂଗରେ ଛତିଶା ନିଯୋଗ ସହିତ ଆଲୋଚନା ପାଇଁ ନଭେମ୍ବର ୨ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲା। ଜୟବିଜୟ ଦ୍ୱାର ନିକଟରେ ହେବାକୁ ଥିବା ମରାମତି ପ୍ରସଂଗରେ ଏହି ବୈଠକରେ ଆଲୋଚନା ହୋଇଥାନ୍ତା। କିନ୍ତୁ ମନ୍ଦିର ପ୍ରଶାସନର ଚିଠି ଉପରେ ଏଏସ୍ଆଇ ପକ୍ଷରୁ କୌଣସି ଜବାବ ରଖାଯାଇ ନଥିଲା। ଏଏସ୍ଆଇ ପ୍ରସ୍ତାବିତ ମରାମତି କାର୍ଯ୍ୟର ସବିଶେଷ ବିବରଣୀ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରୁ ନଥିବା ସତ୍ୟପାଠରେ ଦର୍ଶାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଏପରି ଅଭିଯୋଗ ଉପରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଡକ୍ଟର ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଏଏସ୍ଆଇ ସତ୍ୟପାଠ ଦାଖଲ କରିବା ଜଣାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିରର ଭିତର ଫଟୋ ନେବା ପାଇଁ କେବଳ ଏଏସ୍ଆଇକୁ ଅନୁମତି ଦିଆଯାଇଛି। ସଂରକ୍ଷଣ ଓ ମରାମତି କାର୍ଯ୍ୟ ପାଇଁ ଏଏସ୍ଆଇ ଫଟୋ ନେଇପାରିବ। କିନ୍ତୁ ଏହି ଫଟୋ ବାହାରେ ପ୍ରକାଶ କରାଯାଇପାରିବ ନାହିଁ। କିନ୍ତୁ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଏଏସ୍ଆଇ ଦ୍ୱାରା ଗଠିତ ଦଳରେ ସଦସ୍ୟ ଥିବା ଧାନବାଦ୍ସ୍ଥିତ ସିଆଇଏମ୍ଏଫ୍ଆର୍ ବିଶେଷଜ୍ଞ ଏପରି ଫଟୋ ସୋସିଆଲ ମେଡିଆରେ ଛାଡିଥିଲେ। ଏ ପ୍ରସଂଗରେ କାରଣ ଦର୍ଶାଇବାକୁ ଏଏସ୍ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନଭେମ୍ବର ୨୨ରେ ଚିଠି ଲେଖିଥିଲା। ନଭେମ୍ବର ୨୪ରେ ଏଏସ୍ଆଇ ପକ୍ଷରୁ ଦିଆଯାଇଥିବା ଲିଖିତ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଥିଲା ଯେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ବିଶେଷଜ୍ଞ ଜଣକ ଏପରି ଫଟୋ ଉଠାଇ ନଥିଲେ। ସେ ଅଜାଣତାରେ ଏପରି ଭୁଲ୍ କରିଥିଲେ। ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏଏସ୍ଆଇ ପକ୍ଷରୁ ଏ ନେଇ ଚେତାବନୀ ଦିଆଯାଇଛି। କେହି ଯେପରି ମନ୍ଦିର ଭିତର ଫଟୋ ଉଠାଇ ପାରବେ ନାହିଁ ସେଥିପ୍ରତି ସତର୍କ ରହିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଏସ୍ଆଇ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠରେ ଦର୍ଶାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ, ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ଏଏସ୍ଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।
ଶ୍ରୀମନ୍ଦିର ସଂସ୍କାର କମିସନ : ସପ୍ତାହେ ଭିତରେ ୨ୟ ଅନ୍ତରୀଣ ରିପୋର୍ଟ
କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ତଦନ୍ତ କମିସନ ଖୁବ୍ ଶୀଘ୍ର ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ୨୦୧୭, ଏପ୍ରିଲ ୨୦ ତାରିଖରେ କମିସନ୍ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ରିପୋର୍ଟ ଏହି ସପ୍ତାହ ଶେଷ ଶୁଦ୍ଧା ଦାଖଲ ହେବ ବୋଲି ସୂଚନା ମିଳିଛି। ପ୍ରଦାନ କରାଯିବାକୁ ଥିବା ଦ୍ୱିତୀୟ ରିପୋର୍ଟରେ ଜନସାଧାରଣଙ୍କ ମତାମତ,ବିଭିନ୍ନ ବିଭାଗରୁ ମିଳିଥିବା ରିପୋର୍ଟ, କମିସନଙ୍କ ଦ୍ୱାରା ନିଯୁକ୍ତ କମିଟିର ରିପୋର୍ଟକୁ ଆଧାର କରି କମିସନ୍ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିବେ। ଅନ୍ୟ ପକ୍ଷରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ରୋଷଘର ପରିସରରେ ରହିଥିବା ବ୍ୟବସ୍ଥା ଅନୁଧ୍ୟାନ ପାଇଁ କମିସନ୍ ଗଠନ କରିଥିବା ୫ ଜଣିଆ କମିଟି ସରଜମିନ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରି ସାରିଛି। କେତେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନିକଟରୁ ମିଳିଥିବା ପ୍ରସ୍ତାବ/ପରାମର୍ଶକୁ ମଧ୍ୟ ବିଚାରକୁ ନିଆଯାଇଥିବା ଜଣା ପଡିଛି। ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୁଲିସ, ବନ ବିଭାଗ, ଏଏସଆଇ ପକ୍ଷରୁ ବିଭିନ୍ନ ସମୟରେ କମିସନଙ୍କ ନିକଟରେ ଦାଖଲ ରିପୋର୍ଟ ଗୁଡିକ ଆଧାରରେ ମଧ୍ୟ ରିପୋର୍ଟରେ ପରାମର୍ଶ ପ୍ରଦାନ କରାଯିବ ବୋଲି ଜଣା ପଡିଛି।