ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନ

ସାକ୍ଷୀଗୋପାଳରେ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ

ସାକ୍ଷୀଗୋପାଳ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନରେ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ସକାଳୁ ପୀଠକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ରେଳ ଫାଟକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଦୁଇ କିଲୋମିଟର ଧରି ଲମ୍ବା ଧାଡ଼ିରେ ଯାଇ ଭକ୍ତମାନେ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନ କରିଥିଲେ।

ପୂର୍ବ ରାତ୍ରିରୁ ଦେବନୀତି ଆରମ୍ଭ ହୋଇଥିଲା। ରବିବାର ସକାଳ ୬ଟାରୁ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା ହୋଇଥିଲା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିିର ସିଂହଦ୍ୱାରରୁ ବ୍ୟାରିକେଡ୍‌ କରାଯାଇଥିଲା। ସ୍ଥାନୀୟ ବକୁଳବନର ଅଧୀଶ୍ୱର ଶ୍ରୀଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ସମ୍ମୁଖରେ ଥିବା ଅଁଳା ବୃକ୍ଷକୁ ପୂଜାର୍ଚନା କରାଯାଇଥିଲା। ଏହି ଅବସରରେ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଶାସନ ପକ୍ଷରୁ ଶ୍ରୀଶ୍ରୀ ରାଧା ଉତ୍ସବ ଅନୁଷ୍ଠିତ ହୋଇଛି। ଆଜି ସାକ୍ଷୀଗୋପାଳ ପୀଠରେ ପ୍ରବଳ ଜନସମାଗମ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଉପସ୍ଥିତ ରହିବା ସହିତ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ, ଉତ୍ତର ଭାରତୀୟ ରୀତିନୀତିରେ ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି। ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ହୋଇ ରହିଥାଏ। ଅଁଳା ନବମୀରେ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି। ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ।

ସମ୍ବନ୍ଧିତ ଖବର