କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠାରେ ନିଆଁ, ସବୁ ବନ୍ଦ

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଆକ୍ରାଶ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ତାର ପ୍ରତିଫଳନ ଆଜି ବନ୍ଦ ସମୟରେ ଦେଖିବାକୁ ମିଳିଛି। କୁନ୍ଦୁଲି ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇ ଓ ଅଭୁଯକ୍ତମାନଙ୍କ ପ୍ରତି ସରକାରୀ ଦରଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଓ ବିଜେପି ପକ୍ଷରୁ ଦିଆଯାଇଥିବା ହରତାଳ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି, ରାସ୍ତା ଅବରୋଧ କରିବା ସହିତ ରାଲି, ଶୋଭାଯାତ୍ରା କରି ଦୋକାନବଜାର ବନ୍ଦ କରୁଛନ୍ତି।ସେହିପରି ରାସ୍ତା ଉପରେ ବସି ରହି ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି। ତେବେ ବନ୍ଦ ଯୋଗୁଁ ସରକାରୀ ଗାଡ଼ି ଛାଡ଼ି ଆଜି ସଚିବମାନେ ସେମାନଙ୍କ ଡ୍ରାଇଭରଙ୍କ ବାଇକ୍‌ ପଛରେ ବସି ସଚିବାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା


ଆଜି କେନ୍ଦ୍ରାପଡ଼ାରେ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛିି। ବିଜେପି ପକ୍ଷରୁ ସହରର ଦୁହୂରିଆ ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ଗୋପ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏତଦ୍‌ବ୍ୟତୀତ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଆଦ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। କୌଣସି ଗାଡ଼ି ଚଳାଚଳ କରିୁ ନାହିଁ, ଦୋକାନ ବଜାର ବନ୍ଦ ରହିଛି। ଏପରିକି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଉପସ୍ଥାନ ଯଥେଷ୍ଟ କମ୍‌ ରହିଛି ।ଆନ୍ଦୋଳନକାରୀମାନେ ବିଭିନ୍ନ ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନ ବୁଲି ବନ୍ଦ କରିଛନ୍ତି।
କଟକ


କଟକ ଜିଲ୍ଲାରେ ଉଭୟ କଂଗ୍ରେସ ଓ ବିଜେପି ର ଆନ୍ଦୋଳନ ଯୋଗୁୁଁଁ ସମଗ୍ର ସହରର ସ୍ୱାଭାବିକ କାର୍ଯ୍ୟ ଠପ୍‌ ହୋଇଯାଇଛି। କଲେଜ ଛକ ଓ ଷ୍ଟେସନବଜାର ଛକରେ ବନ୍ଦ ବେଳେ କଂଗ୍ରେସ କର୍ମୀମାନେ କେତେକ ଅଟୋ ଓ ଦୋକାନ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସେହିପରି ନିଆଳି ତହସିଲ ଅଫିସ ସମ୍ମୁଖ, ଆଠଗଡ଼ର ଚାନ୍ଦବାଲି ଛକ, ବାଙ୍କି କଲେଜ ଛକ, କଚେରି ଛକ ଓ ଟାଙ୍ଗୀ ବସଷ୍ଟାଣ୍ଡ ଛକରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଥିବା ବେଳେ ବଡ଼ାମ୍ବା ୟୁକୋ ବ୍ୟାଙ୍କ୍‌ ଛକ, ବାଙ୍କି ଆଦିମାତା ଛକ , ଟାଙ୍ଗୀ ମଙ୍ଗୁଳି ଛକ ନିକଟରେ ବିଜେପି ପକ୍ଷରୁ ହରତାଳ ସମୟରେ ଦୋକାନବଜାର ବନ୍ଦ କରାଯାଇଛି।
ଜଗତସିଂହପୁର:


ଜଗତସିଂହପୁରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। ଜଗତସିଂହପୁର ଟାଉନ ଓ ପାରାଦୀପ-କଟକ ରାସ୍ତାର କୁଜଙ୍ଗ ନିକଟରେ ବିଜେପି ଓ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରି ବନ୍ଦ ପାଳନ କରିଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର ଖୋଲି ନାହିଁ। ଏତଦ୍‌ବ୍ୟତୀତ ପାରାଦୀପର ୪ ନମ୍ବର ବନ୍ଦର ଗେଟ୍‌, ନୂଆବଜାର ଓ ବଡ଼ପଡ଼ିଆ ଅଞ୍ଚଳରେ ବିଜେପି ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ଏରସମା ଓ ତିର୍ତ୍ତୋଲ , ନାଉଗାଁର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ବନ୍ଦ ଥିବା ବେଳେ ସମଗ୍ର ଜିଲ୍ଲାରେ ଦୋକାନବଜାର ବନ୍ଦ ରହିଛି।

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। କୌଣସି ବସ, ଟ୍ରକ୍‌ ଚଳାଚଳ କରୁନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଆନ୍ଦୋଳନକାରୀମାନେ ନୟାଗଡ଼ ଟ୍ରାଫିକ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସିନ୍ଦୁରିଆ ଛକ ଓ ଓଡଗାଁ ଛକରେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରୁଛନ୍ତି।

ପୁରୀ:


ଆଜି ମାଘ ସପ୍ତମୀ ପାଇଁ ପୁରୀରେ ଶ୍ରଦ୍ଧାଳୁମାନଙ୍କ ଭଡ଼ ଲାଗି ରହିଥିବା ବେଳେ ଯାନବାହନ ଚଳାଚଳ କରୁ ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ବିଶେଷକରି ବସ ଓ ଓ ଅଟୋ ଚଳାଚଳ ବନ୍ଦ ଥିବା ବେଳେ କେବଳ ୨ ଚକିଆ ଗାଡ଼ି ଚଳାଚଳ କରୁଛି। ଅପରପକ୍ଷେ ମରିଚିକୋଟ ଛକରେ ବନ୍ଦ ପାଳନକୁ ନେଇ ବ ିଜେପି ଓ ବ୍ୟବସାୟୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି।

ଖୋର୍ଦ୍ଧା:


ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଜେପି କର୍ମୀମାନେ ଜାତୀୟ ରାଜପଥର ରାମେଶ୍ୱର ଠାରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ଖୋର୍ଦ୍ଧା ସହର, ଜଟଣୀ, ବୋଲଗଡ଼, ବେଗୁନିଆ, ଟାଙ୍ଗୀ ଓ ବାଲୁଗାଁ ଓ ବାଣପୁରରେ ଦୋକାନବଜାର ବନ୍ଦ କରି ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର