ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ଼ ହେବ । ବ୍ୟାଙ୍କ ଋଣ ଛାଡ଼ ନେଇ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବୁ । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।  ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ ଲେଖାଯିବ । ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ବସ ମାଲିକଙ୍କ ସହ ଆଲୋଚନା ହୋଇଛି ।

ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ସହ ବୈଠକ ପରେ ଘରୋଇ ବସ୍ ସଂଘର ସାଧାରଣ ସଂପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ସାଧାରଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଭବିଷ୍ୟତ ପାଇଁ ନିଷ୍ପତ୍ତି ହେବ । ବୈଠକରେ ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାର ଟ୍ୟାକ୍ସ ନେଇ ପ୍ରଥମେ ନିଷ୍ପତ୍ତି ନେବେ । ଓଡ଼ିଶାରେ ୧୪ ହଜାର ବସ୍ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରାଯାଉ । ସେହିଭଳି ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ଼ କରାଯାଉ । ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ରାଜ୍ୟରେ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯଦିଓ ପରିବହନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ତଥାପି ଘରୋଇ ବସ ମାଲିକମାନେ କିଛି ଦାବି ଉଠାଇଛନ୍ତି ।

ସମ୍ବନ୍ଧିତ ଖବର