ଅପହଞ୍ଚ ଇଲାକାର ଚିତ୍ର : ସ୍କୁଲ ଯିବ ତ ନଈରେ ପଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବହୁ ଅଞ୍ଚଳ ଏବେ ମଧ୍ୟ ଅପହଞ୍ଚ ଇଲାକା ଭାବେ ରହିଛି। ବ୍ଲକର ୯ଟି ପଞ୍ଚାୟତ ପାଣି ଘେରରେ ରହିଥିବା ବେଳେ ବାକି ୯ଟି ପଞ୍ଚାୟତ ଅବସ୍ଥାରେ ମଧ୍ୟ ବିଶେଷ ଫରକ ଦେଖିବାକୁ ମିଳେନାହିଁ। ତଥାପି ଏହି ଦୁର୍ଗମ ଅଞ୍ଚଳର ପିଲାଙ୍କ ମଧ୍ୟରେ ରହିଛି ପାଠ ପଢିବାର ପ୍ରବଳ ଆଗ୍ରହ। ଶିକ୍ଷିତ ହେବା ନିଶାରେ ସେମାନେ ସବୁ ପ୍ରତିବନ୍ଧକକୁ ସାହସର ସହ ସାମ୍ନା କରୁଛନ୍ତି। ପ୍ରତିଦିନ ପାଲେମ ନଦୀକୁ ପାର ହୋଇ ବିଦ୍ୟାଳୟ ଯାଉଛନ୍ତି। ସେମାନଙ୍କ ଉତ୍ସାହ ଓ ଗ୍ରାହକ ସାମ୍ନାରେ ହାର ମାନି ଯାଇଛି ନଦୀର ପ୍ରଖର ସ୍ରୋତ।

ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ରାଲଗେଡା ପଞ୍ଚାୟତର ସାରକୁବନ୍ଧରେ ରହିଛି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟକୁ ଆଖପାଖ ୮ ଖଣ୍ଡ ଗାଁର ପିଲାମାନେ ପାଠ ପଢିବାକୁ ଆସନ୍ତି। ତେବେ ପେକାପଡା, କାନ୍ତଗୁଡା, ଡବଲପାହାଡ ଏବଂ ଜହଗାପାଲାମ ଗ୍ରାମର ସ୍କୁଲ ପଢୁଆ ପିଲାଙ୍କୁ ପ୍ରତିଦିନ ବଡ ସମସ୍ୟାକୁ ଅତିକ୍ରମ କରିବାକୁ ପଡେ। ଉପରୋକ୍ତ ଗ୍ରାମର ୪୦ରୁ ୫୦ଜଣ ଛାତ୍ରଛାତ୍ରୀ ପାଲେମ ନଦୀ ପାର ହୋଇ ସାରକୁବନ୍ଧ ବିଦ୍ୟାଳୟକୁ ଯାଉଛନ୍ତି। ନଦୀରେ ଅଣ୍ଟା ପର୍ଯ୍ୟନ୍ତ ପାଣି ରହୁଥିଲେ ମଧ୍ୟ ପିଲାଏ ତାହାକୁ ଖାତିର କରୁନାହାନ୍ତି। ପାଳି କରି ଗାଁର କେହି ବୟସ୍କ ଲୋକ ପିଲାଙ୍କୁ ନଦୀ ପାର କରାଉଛନ୍ତି।

ସେହିପର ସ୍କୁଲ ଛୁଟି ହେବାପରେ ପୁଣି କୂଳରେ କେହି ଜଣେ ପହଞ୍ଚି ପିଲାଙ୍କୁ ଘରକୁ ଫେରିବା ବ୍ୟବସ୍ଥା କରୁଛନ୍ତି। ବର୍ଷା ଦିନେ ନଦୀରେ ଜଳ ପତ୍ତନ ବୃଦ୍ଧି ପାଏ। ତେଣୁ ବର୍ଷା ଚାରି ମାସ ପିଲାମାନେ ସ୍କୁଲ ଯାଇ ନଥାନ୍ତି। ଶୀତ ଦିନେ ପାଣିର ସୁଅ କମିବା ପରେ ପିଲା ପୁଣି ସ୍କୁଲକୁ ଯାଉଛନ୍ତି। ବାରମ୍ବାର ନଦୀରେ ପୋଲ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର