‘ଜାଗା ମିସନ୍‌’ର ସମୀକ୍ଷା : ଅଗଷ୍ଟ ୩୧ ସୁଦ୍ଧା ସର୍ଭେ ଶେଷ ହେବ

ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଆବଣ୍ଟନ ପ୍ରକ୍ରିୟା ତ୍ୱରାନ୍ଵିତ କର

ଭୁବନେଶ୍ୱର : ଜାଗା ମିସନ୍‌ରେ ସହରାଞ୍ଚଳର ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିବ। ଏଥି ପାଇଁ ସମସ୍ତ ବସ୍ତି ଅଞ୍ଚଳରେ ସର୍ଭେ ପ୍ରକ୍ରିୟା ଜାରି ରହିଛି। ୩ଟି ବୈଷୟିକ ସଂସ୍ଥା ସହାୟତାରେ ଡ୍ରୋନ୍‌ ସର୍ଭେ ସମ୍ପୂର୍ଣ୍ଣ ହୋଇଛି। ସରକାରୀ ଅଧିକାରୀମାନଙ୍କ ସହ ୨୬ଟି ଅଣ ସରକାରୀ ସଂସ୍ଥା ମଧ୍ୟ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଜି ସଚିବାଳୟରେ ‘ଜାଗା ମିସନ୍‌’ର ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍‌ର ସମୀକ୍ଷା କରି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବସ୍ତିରେ ରହୁଥିବା ପରିବାରଗୁଡ଼ିକୁ ସୁଲଭ ବାସଗୃହ, ପାଇପ ପାଣିର ସୁବିଧା, ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିସନ୍‌ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ପୌରପାଳିକା ଓ ଏନ୍‌ଏସିରେ ଥିବା ୧୯୨୨ଟି ବସ୍ତିର ୧ ଲକ୍ଷ ୮୬ ହଜାର ପରିବାରକୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ବର୍ଷ ଅକ୍ଟୋବର ମାସରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଯୋଗାଇ ଦେବାକୁ ଆଇନ୍‌ ପ୍ରଣୟନ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି କାର୍ଯ୍ୟକ୍ରମକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଟାଟା ଟ୍ରଷ୍ଟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଗତ ମେ’ ୭ ତାରିଖରେ ଜାଗା ମିସନ୍‌ର ପାଇଲଟ୍‌ ପ୍ରକଳ୍ପ ଭାବେ ୯ଟି ପୌର ସଂସ୍ଥାର ୪୬ଟି ବସ୍ତିରେ ୨୦୦୦ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟା ଆବଣ୍ଟନ କରିଥିଲେ। ବର୍ତ୍ତମାନ ବିଭିନ୍ନ ବସ୍ତି ଅଞ୍ଚଳରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ୪୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସମସ୍ତ ୧୦୯ଟି ପୌରପାଳିକା ଓ ଏନ୍‌ଏସି ପାଇଁ ବସ୍ତି ଥଇଥାନ ଓ ପୁନର୍ବିକାଶ କମିଟି ଗଠନ ହୋଇସାରିଛି। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ଜାତୀୟ ପ୍ରସାରଣ ଦିବସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାଭୁବନେଶ୍ୱର ୧୯/୭ ଜାତୀୟ ପ୍ରସାରଣ ଦିବସ (ଜୁଲାଇ ୨୩) ଅବସରରେ ସାମାଜିକ ସଂଗଠନ ଆଉଟ୍‌ରିଚ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବ। ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇ ପାରିବେ। ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରସ୍ଥ ‘ଜୟଦେବ ଭବନ’ରେ ଏହି ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଏଠାରେ ଆର୍‌ଜେଇଙ୍ଗ୍‌, ରେଡିଓ ସମ୍ବାଦ ପଠନ, କ୍ୱିଜ୍‌, ଗୀତ, ନୃତ୍ୟ, ତର୍କ, ଏକକ ଅଭିନୟ ଓ ଫ୍ୟାସନ୍‌ ସୋ ଆଦିି ପ୍ରତିଯୋଗିତାର ଆୟୋଜନ କରାଯାଇଛି। କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସିନିୟର ଓ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଜୁନିୟର ବର୍ଗରେ ପ୍ରତିଯୋଗିତାରେ ଭାଗ ନେବେ। ଅଧିକ ସୂଚନା ପାଇଁ ୭୬୮୩୮୭୦୮୧୩ ନମ୍ବରକୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର