ମୋ ସ୍କୁଲ୍‌ କାର୍ଯ୍ୟକ୍ରମର ଅଧ୍ୟକ୍ଷା ହେଲେ ସୁସ୍ମିତା

ଭୁବନେଶ୍ୱର : ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବେ ବିଶିଷ୍ଟ ଅନ୍ତରୀକ୍ଷ ବିଜ୍ଞାନୀ ତଥା ଉଦ୍ୟୋଗୀ ଡକ୍ଟର୍‌ ସୁସ୍ମିତା ମହାନ୍ତି ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଗତ ଶିଶୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଯେ କୌଣସି ବ୍ୟକ୍ତି ନିଜ ନିଜ ଜନ୍ମମାଟିର ବିଦ୍ୟାଳୟ କିମ୍ବା ଯେ କୌଣସି ବିଦ୍ୟାଳୟର ଉନ୍ନତି ପାଇଁ ସ୍ୱେଚ୍ଛାକୃତ ସହାୟତା କରିବା କିମ୍ବା ଅନ୍ୟାନ୍ୟ ଅବଦାନ ରଖିବାର ବ୍ୟବସ୍ଥା ରହିଛି। ଡ. ମହାନ୍ତିଙ୍କ ନିଯୁକ୍ତି ଏକ ଅବୈତନିକ ନିଯୁକ୍ତି। ତାଙ୍କ ନିଯୁକ୍ତି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଣମାଧ୍ୟମରେ ଏହି ନିଯୁକ୍ତି ବିଷୟରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ, ସୁସ୍ମିତା ମହାନ୍ତି ହେଉଛନ୍ତି ଜଣେ ସଫଳ ଯୁବ ପ୍ରତିଭା। କଟକରେ ଜନ୍ମିତ ସୁସ୍ମିତା ହେଉଛନ୍ତି ଏକମାତ୍ର ଅନ୍ତରୀକ୍ଷ ଉଦ୍ୟୋଗୀ ଯେ କି ବିଶ୍ୱର ତିନିଟି ମହାଦେଶରେ ନିଜର ସ୍ପେସ୍‌ କମ୍ପାନି ଆରମ୍ଭ କରିଛନ୍ତି। ସେ ଜଣେ ସ୍ପେସ୍‌ ସିପ୍‌ ଡିଜାଇନର୍‌ ଏବଂ ଆର୍ଥ-ଟୁ-ଅରବିଟ୍‌ ନାମକ ଏକ ସ୍ପେସ୍‌ କମ୍ପାନିର ଯୁଗ୍ମ ପ୍ରତିଷ୍ଠାତା। ସେ ବୋଇଂ ଓ ନାସା ପରି କମ୍ପାନିରେ କାମ କରିଛନ୍ତି ଏବଂ ପୃଥିବୀର ଶ୍ରେଷ୍ଠ ୧୦୦ ଜଣ ଯୁବ ନବ-ପ୍ରବତର୍ତ୍ତକଙ୍କ ମଧ୍ୟରେ ସେ ଫର୍ଚ୍ୟୁନ୍‌ ମାଗାଜିନ୍‌ରେ ସ୍ଥାନ ପାଇଛନ୍ତି। ପ୍ରତିଟି ଓଡ଼ିଆ ପୁଅ-ଝିଅ ଜୀବନରେ ଯାହା ଚାହିଁବେ, ତାହାକୁ ପୂରଣ କରିପାରିବେ ବୋଲି ସୁସ୍ମିତା ଦେଖାଇପାରିଛନ୍ତି। ସୁସ୍ମିତାଙ୍କ ନିଯୁକ୍ତି ମାଟି ମା’ ପାଇଁ କାମ କରିବାକୁ ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର