ନାନୋ ଡ୍ରୋନ୍‌ ଉଡ଼ାଣରେ କଟକଣା : ଏବେ ଥାନାରୁ ନେବେ ଅନୁମତି

ଏବେ ବି ଓଡ଼ିଶା ଆକାଶରେ ୫୦୦ ଡ୍ରୋନ୍‌ , ଗୋପନୀୟତା କ୍ଷୁର୍ଣ୍ଣ ହେଲେ କାର୍ଯ୍ୟାନୁଷ୍ଠାନ

କଟକ : ଆକାଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ଜାରି ହୋଇଛି ନୂଆ ନିୟମ। ୨୫୦ ଗ୍ରାମ୍‌ରୁ କମ୍‌ ଓଜନର ନାନୋ ଡ୍ରୋନ୍‌ ମାଲିକ ଥାନାରୁ ଏଥିପାଇଁ ଅନୁମତି ଆଣିବେ। କିନ୍ତୁ ୨୫୦ ଗ୍ରାମ୍‌ରୁ ଅଧିକ ଓଜନର ଡ୍ରୋନ୍‌ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିବ। ଗତ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଜାରି ପରେ ଏବେ ଓଡ଼ିଶା ପୁଲିସ ବିଭାଗ ଘରୋଇ ଡ୍ରୋନ୍‌ ସମ୍ପର୍କିତ ତଥ୍ୟ ସ˚ଗ୍ରହ କରିଛି। ଓଡ଼ିଶାରେ ପ୍ରାୟ ୫୦୦ ଘରୋଇ ଡ୍ରୋନ ଉଡ଼ାଣ କରାଯାଉଥିବା ରିପୋର୍ଟ ମିଳିଛି। ଡ୍ରୋନ୍‌ର ଓଜନ ଅନୁଯାୟୀ, ସେମାନେ ନୂଆ ନିୟମ ପାଳନ କରିବାକୁ ବାଧ୍ୟ। ନିୟମ ଖିଲାଫ କରି କୌଣସି କାର୍ଯ୍ୟକ୍ରମରେ ଡ୍ରୋନ୍‌ ଉଡ଼ିଲେ ସମ୍ପୃକ୍ତ ଡ୍ରୋନ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାରେ ମୁଖ୍ୟତଃ ଝାରସୁଗୁଡ଼ା, ରାଉରକେଲା, ପୁରୀ, ବ୍ରହ୍ମପୁର, ଭୁବନେଶ୍ବର, କଟକ ଭଳି ଜିଲ୍ଲାରେ ପ୍ରାୟ ୫୦୦ ଘରୋଇ ହେଲିକ୍ୟାମ୍‌ ବା ଡ୍ରୋନ୍‌ ଉଡ଼ାଣ କରୁଛି। ତା’ ବାଦ୍‌ ପୁଲିସ ବିଭାଗ ପକ୍ଷରୁ ଦୁଇଟି ଡ୍ରୋନ୍‌ କିଣାଯାଇଛି। ଉକ୍ତ ସରକାରୀ ଡ୍ରୋନ୍‌ ଦୁଇଟି ବିଛିନ୍ନାଞ୍ଚଳରେ ମାଓ ଅପରେସନ୍‌ରେ ବ୍ୟବହାର କରାଯାଉଥିବା ବେଳେ ଘରୋଇ ଡ୍ରୋନ୍‌ ଓଡ଼ିଶାରେ ବିବାହ କାର୍ଯ୍ୟକ୍ରମ, ରିଅଲିିିଟି ସୋ, ରାଜନୈତିକ ସଭା, ସିନେମା ଓ ସିରିଏଲ୍‌ ସୁଟି˚, ସରକାରୀ କ୍ଷେତ୍ରରେ ପ୍ରାମାଣିକ ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଛି। ଏହାର ଉଡ଼ାଣ ଉପ‌େର ପୂର୍ବରୁ ସେଭଳି କୌଣସି କଟକଣା ନଥିଲା। ଆକାଶରେ ଉଡ଼ାଣ ସହିତ ଚିତ୍ର ଉତ୍ତୋଳନ କରୁଥିବାରୁ ବ୍ୟକ୍ତିର ଗୋପନୀୟତା କ୍ଷୁର୍ଣ୍ଣ ହେବାର ଅଭିଯୋଗ ଉଠିିଥିଲା। ଏସବକୁ ଦୃଷ୍ଟିରେ ରଖାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୧ ତାରିଖରୁ ଡ୍ରୋନ୍‌ର ପଞ୍ଜିକରଣ ପାଇଁ https://digitalsky.dgca.gov.in/register େଵବ୍‌ସାଇଟ୍‌ ପ୍ରଥମ ଥର ଖୋଲାଯାଇଛି। ମାଇକ୍ରୋ(୨୫୦ ଗ୍ରାମରୁ ଅଧିକ ଏବ˚ ୨ କେଜି ବା କମ୍‌), ସ୍ମଲ(୨ କେଜରୁ ଅଧିକ ଏବ˚ ୨୫ କେଜି ବା କମ୍‌), ମିଡିୟମ୍‌(୨୫ କେଜିରୁ ଅଧିକ ଏବ˚ ୧୫୦ କେଜି ବା କମ୍‌), ଲାର୍ଜ(୧୫୦ କେଜିରୁ ଅଧିକ) ଓଜନର ଡ୍ରୋନ୍‌ର ମାଲିକ ଆବଶ୍ୟକୀୟ ପରିଚୟପତ୍ର ଦାଖଲ କରିବା ପରେ ବ୍ୟବହାରକାରୀଙ୍କୁ ଡ୍ରୋନ୍‌ ପାଇଁ ଏକକ ପରିଚୟ ସ˚ଖ୍ୟା (ୟୁଆଇଏନ୍‌) ହାସଲ କରିବାକୁ ପଡ଼ିବ। ଏଥିରେ ଉଭୟ ଡ୍ରୋନ୍‌ର ମାଲିକ ଏବ˚ ପାଇଲଟଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ। ଏହାସହିତ କେଉଁ ଡ୍ରୋନ୍‌ଟି ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳରୁ ଉଡ଼ାଣ ଭରିବ, ସେ ସମ୍ପର୍କରେ ମଧ୍ୟ ପୋର୍ଟାଲ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। କିନ୍ତୁ ନାନୋ ଡ୍ରୋନ୍‌ ସମେତ ନ୍ୟାସନାଲ ଟେକ୍‌ନିକାଲ୍‌ ରିସର୍ଚ ଅର୍ଗାନାଇଜେସନ୍‌, କେନ୍ଦ୍ରୀୟ ଗୁଇନ୍ଦା ସ˚ସ୍ଥା, ଆଭିଏସନ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଉଡ଼ାଣ କରାଯାଉଥିବା ଡ୍ରୋନ ପାଇଁ ଏକକ ପରିଚୟ ସ˚ଖ୍ୟା(ୟୁଆଇଏନ୍‌) ଆବଶ୍ୟକ ପଡ଼ିବ ନାହିଁ। ନାନୋ ଡ୍ରୋନ୍‌ଗୁଡ଼ିକ ଉଡ଼ାଣ ପୂର୍ବରୁ କେବଳ ସ୍ଥାନୀୟ ଥାନା ପୁଲିସର ଅନୁମତି ନେବାକୁ ବାଧ୍ୟ। ତା’ ସହିତ ଆକାଶରେ ଉଡ଼ାଣ ଦ୍ବାରା କୌଣସି ବ୍ୟକ୍ତିଙ୍କ ଗୋପନୀୟତା କୌଣସି ପରିସ୍ଥିତିରେ ଯେପରି କ୍ଷୁର୍ଣ୍ଣ ହେବ ନାହିଁ, ସେ ସ˚କ୍ରାନ୍ତରେ ଡ୍ରୋନ୍‌ ମାଲିକ ଥାନାରେ ଲିଖିତ ଭାବେ ଅବଗତ କରାଇବେ। ବିନା ଅନୁମତିରେ ଉଡ଼ାଣ କଲେ ଡ୍ରୋନ୍‌କୁ ବେଆଇନ ବୋଲି ଧରାଯିବ। ସମ୍ପୃକ୍ତ ଡ୍ରୋନ୍‌ ମାଲିକଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର