୯ ହଜାର ଟଙ୍କା ଫେରାଇଲେ ଚା’ ଦୋକାନୀ

କଣାସ (ଗଡ଼ିଶାଗୋଦା) : ବ୍ୟସ୍ତବହୁଳ ଜୀବନ ଓ ଅର୍ଥ‌ଲୋଭରେ ମଣିଷ କ୍ରମଶଃ ସ୍ବାର୍ଥବାଦୀ ହେଇଯାଉଛି। ‌ତେବେ ଏବେ ବି ସମାଜରେ ମଣିଷପଣିଆ ବଞ୍ଚିଛି। ପୁରୀ ଜିଲ୍ଲା କଣାସ ବ୍ଲକ୍‌ କାଦୁଆ ପଞ୍ଚାୟତ ସାନଓରା ଗ୍ରାମରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଚା’ ପିଇବାକୁ ଆସିଥିବା ଜଣେ ଗ୍ରାହକଙ୍କର ୯୦୦୦ ଟଙ୍କା ଗଳି ପଡ଼ିଥିବା ବେଳେ ଚା’ ଦୋକାନୀ ଅର୍ଜୁନ ସାହୁ ଏହାକୁ ଫେରାଇ ନିଜ ସାଧୁତାର ପ୍ରମାଣ ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସାନଓରା ଗ୍ରାମର ଅର୍ଜୁନ ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ଗାଁରେ ଚା’ ଓ ପାନ ଦୋକାନଟିଏ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ସବୁ ଦିନ ଭଳି ଆଜି ମଧ୍ୟ ସେ ଦୋକାନରେ ଗ୍ରାହକଙ୍କୁ ଚା’ ବିକ୍ରି କରିଥିଲେ। ସ୍ଥାନୀୟ ବଡ଼ାଲ ଗ୍ରାମର ସୁକାନ୍ତ ସ୍ବାଇଁ ଆଜି ତାଙ୍କ ଦୋକାନରୁ ଚା’ ପିଇ ସାରି ଅର୍ଜୁନଙ୍କୁ ୫ ଟଙ୍କା ଦେଇ ଚାଲି ଯାଇଥିଲେ। ମାତ୍ର ଏହି ସମୟରେ ତାଙ୍କ ପକେଟ୍‌ରେ ଥିବା ୯୦୦୦ ଟଙ୍କା ଦୋକାନ ପାଖରେ ପଡ଼ି ଯାଇଥି‌ଲା। କିଛି ସମୟ ପରେ ଅର୍ଜୁନ ଦୋକାନ ପାଖରେ ଏତେଗୁଡ଼ିଏ ଟଙ୍କା ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ସେଗୁଡ଼ିକୁ ଏକାଠି କରିଥିଲେ। ଘଟଣା ବିଷୟରେ ସ୍ଥାନୀୟ କିଛି ଲୋକଙ୍କୁ ମଧ୍ୟ ଜଣାଇଥିଲେ। ପରେ କାଦୁଆ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ପ୍ରଧାନ, ଗଡ଼ିଶାଗୋଦା ‘ସମ୍ବାଦ’ ପ୍ରତିନିଧି ହେମନ୍ତ କୁମାର ମହାରଥୀ ଓ ବଡ଼ଲା ଗ୍ରାମର ଦାମ ମାଝି ଘଟଣା ସମ୍ପର୍କରେ ଜାଣିବା ପରେ ଶ୍ରୀ ସ୍ବାଇଁଙ୍କୁ ଖବର ଦେଇଥିଲେ। ପ୍ରମାଣ ମିଳିବା ପରେ ଅର୍ଜୁନ ଉକ୍ତ ଟଙ୍କାକୁ ଶ୍ରୀ ସ୍ବାଇଁଙ୍କୁ ପ୍ରଦାନ କରିଛନ୍ତି। ଏହି କାମ ପାଇଁ ଅର୍ଜୁନଙ୍କୁ ବିଭିନ୍ନ ମହଲରୁ ଖୁବ ସାବାସୀ ମିଳିଛି।

ସମ୍ବନ୍ଧିତ ଖବର