କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ମୃତଦେହ ଛାଡ଼ୁ ନାହାନ୍ତି ପରିବାର ଲୋକେ

ଡାକ୍ତରଖାନାରେ ଉତ୍ତେଜନା, ଫୋର୍ସ ମୁତୟନ

କୋରାପୁଟ : ଜୀବନ ଯୁଦ୍ଧରେ ହାରିଗଲେ କୁନ୍ଦୁଲି ପୀଡିତା। ଆଜି ନିଜ ଘରେ ନିଜ ଓଢଣୀରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଘର ଲୋକ ତାଙ୍କୁ ଉଦ୍ଧାର କରି କୁନ୍ଦୁଲି ମେଡିକାଲକୁ ଆଣିଥିଲେ ମଧ୍ୟ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କୁନ୍ଦୁଲି ମେଡିକାଲରେ ମୃତଦେହ ରହିଥିବା ବେଳେ ବ୍ୟବଛେଦ ପାଇଁ ଘର ଲୋକ ଛାଡୁ ନାହାନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କୁନ୍ଦୁଲିରେ ଫଟୋ ଉଠାଇ ଦିନ ପ୍ରାୟ ୧୧ଟା ବେଳକୁ ନିଛାଟିଆ ରାସ୍ତାରେ ଏକୁଟିଆ ଯାଉଥିବା ସମୟରେ ୪ ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ ତାଙ୍କୁ କଟକ ବଡ ମେଡିକାଲ ମଧ୍ୟ ନିଆଯାଇଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ଗତ ନଭେମ୍ବର ୨୮ତାରିଖରେ ଘରକୁ ଫେରିଥିଲେ। ସେହିଦିନଠାରୁ ସେ ଘରେ ରହି ଆସୁଥିଲେ। ଆଜି ଅପରାହ୍ନରେ ସେ ଘରେ ଓଢଣୀରେ ଫାଶୀ ଲଗାଇ ଝୁଲି ପଡିଥିଲେ। ଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁନ୍ଦୁଲି ମେଡିକାଲରେ ଅପରାହ୍ନ ପ୍ରାୟ ୩ଟା ବେଳେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଛାତ୍ରୀଙ୍କ ମୃତ୍ୟୁ ପରେ କୁନ୍ଦୁଲି ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୀଡିତାଙ୍କ ପରିବାର ଓ ସଂପର୍କୀୟଙ୍କ ସହ ବହୁ ଲୋକ ଡାକ୍ତରଖାନା ପରିସରରେ ଜମା ହୋଇଛନ୍ତି। ଛାତ୍ରୀଙ୍କ ମୃତଦେହକୁ ବ୍ୟବଛେଦ କରିବା ପାଇଁ କୋରାପୁଟ ନେବାକୁ ପୁଲିିସ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି। ଘର ଲୋକ ମୃତଦେହ ଛାଡିବାକୁ ରାଜି ହେଉ ନାହାନ୍ତି। ଏପଟେ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୋଙ୍କୁ ଠେଲାପେଲା କରାଯାଇଥିବା ସୂଚନା ମିଳିଛି। ପୁଲିସକୁ ଲୋକେ ଗାଳିଗୁଲଜ କରିବା ସହ ନ୍ୟାୟ ନ ମିଳିବାରୁ ସେ ଆତ୍ମହତ୍ୟା କରିଥିବା ଘର ଲୋକ କହିଛନ୍ତି। ଅପରପକ୍ଷରେ କୁନ୍ଦୁଲି ମେଡିକାଲରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଉପ ଜିଲ୍ଲାପାଳ କୃତ୍ତିବାସ ରାଉତ, ସେମିଳିଗୁଡା ତହସିଲଦାର ପ୍ରମୁଖ ପହଞ୍ଚିଛନ୍ତି। ଡାକ୍ତରଖାନାରେ ସୁନାବେଡା ଏସଡିପିଓ ନରହରି ନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ପହଞ୍ଚିଛନ୍ତି। ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ମେଡିକାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ

କୁନ୍ଦୁଲି ପୀଡିତା ସୋମବାର ଆତ୍ମହତ୍ୟା କରିଥିଲେ ମଧ୍ୟ ଆଗରୁ ଦୁଇ ଥର ଏମିତି ଉଦ୍ୟମ କରିଥିଲେ। ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିବା ପରେ ସେ ନ୍ୟାୟ ପାଇବାର ଆଶା କରିଥିଲେ। କିନ୍ତୁ ନ୍ୟାୟର ଆଶା ମଉଳି ଯାଉଥିବା ଦେଖି ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ। ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରାତି ଅଧରେ ଛାତ ଉପରକୁ ଯାଇ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ। ହେଲେ ଘର ଲୋକ ଦେଖି ତାଙ୍କୁ ଅଟକାଇଥିଲେ। ପୀଡିତାଙ୍କ ଖୁଡି ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ହେଲେ ଏହି କଥାକୁ ସେତେବେଳେ ଅଧିକ ଗୁରୁତ୍ୱ ଦିଆଯାଇ ନ ଥିଲା।

ସେହିପରି ଆଉ ଥରେ ମେଂଚାଏ ଆଇରନ ବଟିବା ଖାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ପକ୍ଷରୁ ଏହାକୁ ଲୁଚାଇ ରଖାଯାଇଥିଲାବେଳେ ଗୁମର ଖୋଲିଥିଲେ କଟକ ବଡ ମେଡିକାଲର ଅଧୀକ୍ଷକ। ସେଠାରେ ପୀଡିତାଙ୍କର ଚିକିତ୍ସା କରାଯାଉଥିବା ସମୟରେ ସେ କହିଥିଲେ ଯେ, ପୀଡିତା ଅଧିକ ଆଇରନ ବଟିକା ଖାଇ ଦେଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଇଟି ଘଟଣା ସାମ୍‌ନାକୁ ଆସିଥିଲା ବେଳେ ଆତ୍ମହତ୍ୟା କରିଦେବେ ବୋଲି ପୀଡିତା ଜଣଙ୍କ ବାରମ୍ବାର କହୁଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କହୁଥିଲେ ଯେ, ଯଦି ନ୍ୟାୟ ମିଳିବନି ତେବେ ବଂଚିକି ଆଉ ଲାଭ କିଛି ନାହିଁ।

ଘଟଣାକ୍ରମ

ଅକ୍ଟୋବର ୧୦- କୁନ୍ଦୁଲି ଅଂଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହେଲା। ପୀଡିତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୁନ୍ଦୁଲି ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଗଲା।
ଅକ୍ଟୋବର୧୨- ୩୬ ଘଣ୍ଟା ପରେ ଜାତୀୟ ରାଜପଥରୁ ଅବରୋଧ ହଟିଲା।
ଅକ୍ଟୋବର୧୬- କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲା ବନ୍ଦ
ଅକ୍ଟୋବର ୨୭- ମେଡିକାଲରୁ ଛାଡ ପାଇଲେ ପୀଡିତା। ପୁଲିସ ତାଙ୍କ ବୟାନ ରେକର୍ଡ କରିବା ପରେ ଶିଶୁ ମଙ୍ଗଳ କମିଟି ପରାମର୍ଶକ୍ରମେ ଜୟପୁର ନିକଟସ୍ଥ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ପଠାଇଲା।
ଅକ୍ଟୋବର ୨୮- ପୀଡିତା ପୁଣି ଅସୁସ୍ଥ ହୋଇ ପଡିଲେ। ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଗଲା।
ଅକ୍ଟୋବର ୩୦- ଜୟପୁର ମେଡିକାଲରୁ ଛାଡ ପାଇଲେ ପୀଡିତା। ଶିଶୁ ମଙ୍ଗଳ କମିଟିର ନିଷ୍ପତ୍ତି ଅନୁଯାୟୀ, ତାଙ୍କୁ କୋରାପୁଟ ନିକଟସ୍ଥ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଗଲା।
ନଭେମ୍ବର ୧- ପୀଡିତା ଅସୁସ୍ଥ ଅନୁଭବ କଲେ। ତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା।
ନଭେମ୍ବର ୩- ସୁସ୍ଥ ହୋଇ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଫେରିଲେ ପୀଡିତା।
ନଭେମ୍ବର ୫- ପୀଡିତାଙ୍କୁ କାଉନସେଲିଂ କଲେ ଏକ ସ୍ୱତନ୍ତ୍ର ଟିମ।
ନଭେମ୍ବର ୭- ପୀଡିତାଙ୍କୁ ଦୁଷ୍କର୍ମ ହୋଇଥିବାର ପ୍ରମାଣ ମିଳି ନ ଥିବା କହିଲେ କୋରାପୁଟ ଏସପି, ଏଚ୍‌ଆରପିସି ଏଡିଜି। ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତାଙ୍କ ପରିବାର
ନଭେମ୍ବର ୮- ଘଟଣାର କ୍ରାଇମ ବ୍ରାଂଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ।
ନଭେମ୍ବର ୧୦- କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ।
ନଭେମ୍ବର ୧୮- ପୁଣି ଅସୁସ୍ଥ ହୋଇ ପଡିଲେ ପୀଡିତା। କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି।
ନଭେମ୍ବର ୧୯- ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର।
ନଭେମ୍ବର ୨୮- ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ଫେରିବା ପରେ କୋରାପୁଟ ଶିଶୁ ମଙ୍ଗଳ କମିଟି ଆଗରେ ହାଜର। କମିଟିର ନିଷ୍ପତ୍ତି ଅନୁସାରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଗଲା। ସନ୍ଧ୍ୟା ସମୟରେ ଘରକୁ ଫେରିଗଲେ ପୀଡିତା।
ଜାନୁଆରି ୨୨- ନିଜ ଘରେ ପୀଡିତାଙ୍କ ଆତ୍ମହତ୍ୟା।

ସମ୍ବନ୍ଧିତ ଖବର