କଟକ/ଭୁବନେଶ୍ୱର: ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ପୁଲିସ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହି ୩ ଜଣଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ନେଇ ଅଭିଯୋଗ ଆସିଥିବାରୁ ସମସ୍ତଙ୍କୁ ନିଳମ୍ବିତ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ନୂଆବଜାର ଛକରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। କଟକ ଓ ଭୁବନେଶ୍ୱରର ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାଥମିକ ତଦନ୍ତରେ ପୁଲିସ କର୍ମଚାରୀମାନେ ମାତ୍ରାଧିକ କାର୍ଯ୍ୟ କରିଥିବା ଏଡିସିପି ତାଙ୍କ ରିପୋର୍ଟରେ ଦର୍ଶାଇବା ପରେ ଡିସିପି ହାବିଲଦାର ପିକେ ବେହେରା, କନ୍ଷ୍ଟେବଳ ବି କେ ସାମଲ ଓ ୟୁ କେ ଭୂୟାଁଁଙ୍କୁ ନିଳମ୍ବିତ କରିଛନ୍ତି।ଏହା ସହ ହୋମଗାର୍ଡ କିଶୋର ଜେନାଙ୍କୁ ନୋଟିସ୍ ଜାରି ହୋଇଛି। ଆସନ୍ତା ୧ ମାସ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ନିଲମ୍ବନ କରାଯାଇଥିବା କଟକ ଡିସିପି କହିଛନ୍ତି।ଏହି ଘଟଣାକୁ କେନ୍ଦ୍ର କରି ଭୁବନେଶ୍ୱର କଳ୍ପନା ଛକରେ ଆଜି ଆଇନଜୀବୀଙ୍କ ପକ୍ଷରୁ ରାସ୍ତାବନ୍ଦ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।