ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ମିଳିଲା ଦୁଇଟି ଟିଫିନ ବୋମା

ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅଞ୍ଚଳରେ ଦୁଇଟି ଟିଫିନ ବୋମା ମିଳିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ରାଇଘର-ଉମରକୋଟ ମୁଖ୍ୟ ରାସ୍ତାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ସରଗୁଲି ଗ୍ରାମର ରାସ୍ତାକଡ଼ରେ ଗତକାଲି ପ୍ରାୟ ସନ୍ଧ୍ୟା ସାଢ଼େ ଛଅଟା ସମୟରେ କିଛି ଲୋକ ଦୁଇଟି ଟିଫିନ ବୋମା ଏକ ବୁଦାରେ ଝୁଲିଥିବାର ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେମାନେ ଆତଙ୍କିତ ହୋଇଉଠିଥିଲେ।

ସେମାନେ ଏସଂପର୍କରେ ଆଜି ସକାଳେ ରାଇଘର ଥାନାରେ ଖବର ଦେଇଥିଲେ। ଏହାପରେ ପୁଲିସ ଇନସ୍ପେକ୍ଟର ଗଗନେଶ୍ବର ମାଝି ଘଟଣାସ୍ଥଳରେ ପହଞ୍ଚିଥିଲେ। ତାପରେ ନବରଙ୍ଗପୁରରୁ ବୋମା ନିଷ୍କ୍ରିୟକାରୀ ଦଳ ଆସି ସେଠାରେ ପହଞ୍ଚିଥିଲେ। କିନ୍ତୁ ସେମାନେ ବୋମା ଦୁଇଟିକୁ ନିଷ୍କ୍ରିୟ କରିବାରେ ଅସଫଳ ହୋଇଥିଲେ। ଦୁଇଟି ଟିଫିନ ବୋମାକୁ ଅନ୍ୟତ୍ର ନେବାର ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଥିବାର ଖବର ମିଳିଛି। ଏଣେ ପୁଲିସ ଟିଫିନ ବୋମାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର