ବାଘଛାଲ ଜବତ ମାମଲା : ତଦନ୍ତ ପାଇଁ ଟିମ୍‌ ଗଠନ କଲା ବନବିଭାଗ, ଚମଡ଼ାରେ ଗୁଳି ଦାଗ, ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ବର : କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ବାଘ ଛାଲ ଜବତ ମାମଲାକୁ ନେଇ ତନାଘନା ଆରମ୍ଭ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କ ଫୋର୍ସ) ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୁଚିଣ୍ଡା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିବା ବେଳେ ବନବିଭାଗ ତଦନ୍ତ ଆରମ୍ଭ କରିଛି। ଦେବ୍ରିଗଡ଼ ଓ ବଡ଼ରମା ଅଞ୍ଚଳକୁ ଲାଗି ରହିଥିବା ଗ୍ରାମରୁ ବାଘ ହତ୍ୟା ନେଇ ଗୁଇନ୍ଦା ସୂଚନା ସଂଗ୍ରହ କରିବା ପାଇଁ ବନବିଭାଗ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ଆଉ କିଛି ବାଘ ମରିଛନ୍ତି କି ନାହିଁ ସେ ନେଇ ଜଙ୍ଗଲରେ ଅନୁସନ୍ଧାନ ସହ ଏହି ମରିଥିବା ବାଘ ସମ୍ବନ୍ଧରେ ପାଖ ଗ୍ରାମରେ ଖବର ଅଛି କି ନାହିଁ ଗଠିତ ଟିମ୍‌ ତାହାର ଅନୁସନ୍ଧାନ ଆରମ୍ଭ କରିଛି। ତା’ ସହିତ ସମ୍ପୃକ୍ତ ଡିଏଫ୍‌ଓମାନଙ୍କ ସହ ସମ୍ବଲପୁର ଆରସିସିଏଫ୍‌ଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି।

ପ୍ରଥମେ ଏହି ବାଘ ଓଡ଼ିଶାର କିମ୍ବା ପଡ଼ୋଶୀ ରାଜ୍ୟର କୌଣସି ଜଙ୍ଗଲର ତାହା ନିଶ୍ଚିତ କରାଯିବ ବୋଲି କହିଛନ୍ତି ପିସିସିଏଫ୍‌(ବନ୍ୟପ୍ରାଣୀ) ଅଜୟ ମହାପାତ୍ର। ସେ କହିଛନ୍ତି, ଛତିଶଗଡ଼, ମଧ୍ୟପ୍ରଦେଶ ଜଙ୍ଗଲରେ କଲରା ପତରିଆ ବାଘ ରହିଛନ୍ତି। ଏଣୁ ବାଘଗୁଡ଼ିକ ସେଠାରୁ ହୋଇଥାଇ ପାରନ୍ତି। ଚମଡ଼ାଗୁଡ଼ିକ କେତେ ପୁରୁଣା ତାହା କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟ ଦେବା ପରେ ଆମେ ତର୍ଜମା କରିବୁ। ପୂର୍ବରୁ କଲରାପତରିଆ ବାଘ ଶିକାର ହୋଇଥିବାରୁ ଚମଡ଼ାଗୁଡ଼ିକ ପୁରୁଣା ମଧ୍ୟ ହୋଇଥାଇପାରେ। ଏଣୁ ରିପୋର୍ଟ ସହ ତଦନ୍ତ ପରେ ହିଁ ଏହା ଉପରେ ସଠିକ୍‌ କହିବା କିମ୍ବା କାର୍ଯ୍ୟାନୁଷ୍ଠାନ ସମ୍ଭବ ହେବ ବୋଲି କହିଛନ୍ତି।

ଜବତ ବାଘ ଛାଲରେ ଗୁଳି ଦାଗ ରହିଛି। ବାଘ ଗୁଳିରେ ଶିକାର ହୋଇଛି। ଏଣୁ କେବଳ ଚମଡ଼ା ଜବତ ହୋଇଛି। ବନ୍ଧୁକ ଅଛି। ଏହି ବନ୍ଧୁକରେ ପୁଣି ବାଘ ମରିବେ। ଏଥିପାଇଁ ବନବିଭାଗ ତତ୍ପର ହେବା ସହ ଜବତ କରିବା ପାଇଁ ଦାବି କରିଛନ୍ତି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ। ସେ କହିଛନ୍ତି ୪ଟି ଯାକ ଚମଡ଼ାରେ ଗୁଳିଦାଗ ରହିଛି। ସମସ୍ତ ଚମଡ଼ାର ପଞ୍ଝା ରହିଥିବାରୁ ଏହାକୁ ଜାଲ ବସାଇ ମରାଯାଇ ନଥିବା ସ୍ପଷ୍ଟ ହୋଇଛି। ଶିମିଳିପାଳ ଅଭୟାରଣ୍ୟ ଭିତରେ ବାପ ପୁଅକୁ ବନ୍ଧୁକ ଶିକ୍ଷା ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହା ଉପରେ ସମ୍ପୃକ୍ତ ଶିମିଳିପାଳ ଡେପୁଟି ଡାଇରେକ୍ଟର ପିସିସିଏଫ୍‌ଙ୍କୁ ରିପୋର୍ଟ ଦେଲେ। ଏଥିରେ ସେ ଲେଖିଲେ, ବନବିଭାଗ ବନ୍ଧୁକ ନୁହେଁ। ବନ୍ଧୁକ ବେଆଇନ। ସମ୍ପୃକ୍ତ ବ୍ୟକ୍ତି ସହଯୋଗ ନ କରିବାରୁ ବନ୍ଧୁକ କାହାର ଜଣାପଡ଼ିଲାନି। କିନ୍ତୁ ସମ୍ପୃକ୍ତ ବାପା-ପୁଅଙ୍କୁ ଆର୍ମସ୍‌ ଆକ୍ଟରେ ବନ୍ଧା ଗଲା ନାହିଁ। ଆଉ ଗୋଟିଏ ଘଟଣା ବରଗଡ଼ରେ ଏକ ମହାବଳ ବାଘକୁ ମାରି ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ଡିଏଫ୍ଓ ଓ ଆରସିସିଏଫ୍ ଏହାକୁ କଲରାପତରିଆ କହିଲେ। କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ଚମଡ଼ା ଜବତ ମାମଲ‌ାରେ ଜଣେ ସେନା କର୍ମଚାରୀ, ଜଣେ ଛାତ୍ର ଓ ଜଣେ ବନବିଭାଗ କର୍ମଚାରୀ ରହିଛନ୍ତି। ଏଣୁ ଏହାକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି। ଘଟଣାକୁ ଚାପି ଦେବା ପାଇଁ ଜବତ ଚମଡ଼ା ଓଡ଼ିଶା ବାହାର କଲରାପତରିଆ ବାଘର ବୋଲି ସମ୍ପୃକ୍ତ ଡିଏଫ୍‌ଓମାନେ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି। ବଡ଼କଥା ହେଉଛି ଗିରଫ ଅଭିଯୁକ୍ତମାନେ ଏଠାକାର ବାଘ ବୋଲି କହିଛନ୍ତି। ଏଣୁ ଏହାର ଉପଯୁକ୍ତ ତଦନ୍ତ ସହ ମୂଳ ଶିକାରୀ ପର୍ଯ୍ୟନ୍ତ ପହଞ୍ଚିବାକୁ ଦାବି ହୋଇଛି। ପୂର୍ବରୁ ବନ୍ଧୁକ ଧରିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ବନବିଭାଗ ସଫଳ ହୋଇ ନାହିଁ। ପୂର୍ବରୁ କେତେ କଲରାପତରିଆ ବାଘ ଥିଲେ ଏବେ କେତେ ଅଛନ୍ତି ତାହା ଉପରେ ମଧ୍ୟ ପିସିସିଏଫ୍‌ ସ୍ପଷ୍ଟ କରି ପାରିନାହାନ୍ତି।

ସୂଚନାଯୋଗ୍ୟ, କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ କୁଚିଣ୍ଡା ଥାନା ଅଧୀନ ଟାଇଁସର ଗାଁର ସଂଜୟ ବାଗ, ଲାଇକେରା ଥାନା ଅଧୀନ ଗୁଲିଗାଁର ସୁନୀଲ କୁମାର କାଲୋ, ସାରପଲ୍ଲୀର ଯଶରାଜ ପଟେଲ, ମୁରାଡ଼ିପାଲ୍ଲୀର ଝସକେତନ ନାୟକ, ସମ୍ବଲପୁର ମହାଲପଲ୍ଲୀ ଥାନା ଅଧୀନ ଗୁଣ୍ଡୁରିପାଲ୍ଲୀର ମୀନକେତନ ମୁଣ୍ଡା, ଲାଇକେରା ଥାନା ଅଧୀନ କିରିମିରା ଗାଁର ଧନୁ ମାଝୀ, ମହୁଲପାଲ୍ଲୀ ଥାନା ଅଧୀନ ଝରୁମା ଗାଁର କୁମୁଡ଼ ବାରାଙ୍କଠାରୁ ୪ଟି ବାଘ ଛାଲ ଜବତ ‌ହୋଇଥିଲା। ଏସ୍‌ଟିଏଫ୍ ଏମାନଙ୍କୁ ଗିରଫ କରିବା ସହ ଛାଲ ଜବତ କରିଥିଲା। ଅଧିକ ତଥ୍ୟ ସଂଗ୍ରହ ପାଇଁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଏସ୍‌ଟିଏଫ୍ ଆବେଦନ କରିଛି।

ସମ୍ବନ୍ଧିତ ଖବର