୪୮ ବର୍ଷ ବୟସ ପରେ ହିନ୍ଦୀ ଶିକ୍ଷକଙ୍କୁ ତାଲିମପ୍ରାପ୍ତଙ୍କ ଦରମା ପ୍ରସଂଗ : ଜଣିକିଆ ଖଣ୍ଡପୀଠ ରାୟ ବିରୋଧରେ ସରକାରଙ୍କ ରିଟ୍ ଅପିଲ, ୫ରେ ଶୁଣାଣି

କଟକ : ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଶିକ୍ଷକଙ୍କ କ୍ଷେତ୍ରରେ ‘ତାଲିମପ୍ରାପ୍ତ ଗ୍ରାଜୁଏଟ୍ ସ୍କେଲ ଅଫ୍ ପେ’ ଲାଗୁ କରିବାକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ବିରୋଧରେ ସରକାର ହାଇକୋର୍ଟରେ ଦାୟର କରିଥିବା ରିଟ୍ ଅପିଲର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖରେ ହେବ। ପରବର୍ତ୍ତୀ ଶୁଣାଣି ସମୟରେ ଉଭୟ ସରକାର ଓ ପ୍ରତିପକ୍ଷ ଶିକ୍ଷକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ହାଇକୋର୍ଟରେ ବିଚାରାଧୀନ ମାମଲାର ରାୟ ଉପରେ ୪୮ ବର୍ଷ ବୟସ ଅତିକ୍ରାନ୍ତ କରି ସାରିଥିବା ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦୀ ଶିକ୍ଷକଙ୍କୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ପ୍ରଦାନ ପ୍ରସଂଗ ନିର୍ଭର କରିବ। ଏ ସଂପର୍କିତ ଏକାଧିକ ମାମଲାର ବର୍ତ୍ତମାନ ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରଜୁଏଟ ସ୍କେଲ ଅଫ୍ ପେ ପ୍ରଦାନ ପାଇଁ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ। ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟ‌େର ସ୍ପଷ୍ଟ କରାଯାଇଥିଲା। ଏପରି ପରିସ୍ଥିତିରେ ୪୮ ବର୍ଷ ବୟସ ପୂରିବା ଦିନ ଠାରୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦରମା ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କ ପାଇଁ ଲାଗୁ କରି ତାଙ୍କୁ ନୂଆ ସଂଶୋଧିତ ଦରମା ଓ ଏ ବାବଦ ପୁରୁଣା ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଯଦି ଏଥିରେ ଯଦି ବିଳମ୍ବ କରାଯାଏ ତେବେ ଆବେଦନକାରୀ ଶିକ୍ଷକଙ୍କୁ୯ ପ୍ରତିଶତ ସୁଧ ସହିତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲିଛି।

ସମ୍ବନ୍ଧିତ ଖବର