ପ୍ରଭାବିତ ହେବ ତିନି ଲୋକାଲ ପାସେଞ୍ଜର୍‌ ଟ୍ରେନ୍‌ ସେବା

ବ୍ରହ୍ମପୁର ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ଖୋର୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ବ୍ରହ୍ମପୁର ରେଳ ଷ୍ଟେସନରେ ନିରାପତ୍ତା ସଂକ୍ରାନ୍ତୀୟ ଆଧୁନିକୀକରଣ କାର୍ଯ୍ୟ ପରିପ୍ରେକ୍ଷୀରେ ସୋମବାର (ନଭେମ୍ବର ୧୩) ପୂର୍ବାହ୍ନ ୧୧.୧୫ରୁ ଅପରାହ୍ନ ୩.୪୫ ପର୍ଯ୍ୟନ୍ତ ତିନିଟି ଲୋକାଲ୍‌ ପାସେଞ୍ଜର ଟ୍ରେନ୍‌ ସେବା ଆଂଶିକ ଭାବେ ପ୍ରଭାବିତ ହେବ। ପୁରୀ-ଗୁଣୁପୁର ପାସେଞ୍ଜର୍‌ ସୋମବାର ପୁରୀରୁ ସକାଳ ୭.୩୫ ପରିବର୍ତ୍ତେ ପୂର୍ବାହ୍ନ ୧୦.୦୫ରେ ଛାଡ଼ିିବ। ସେହିପରି ଏହି ପାସେଞ୍ଜର୍‌ ଟ୍ରେନ୍‌କୁ ମଧ୍ୟବର୍ତ୍ତୀ ଷ୍ଟେସନଗୁଡ଼ିକରେ କିଛି ସମୟ ପାଇଁ ନିୟନ୍ତ୍ରିତ କରାଯିବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର କେବଳ ଭୁବନେଶ୍ୱର ଓ ବାଲୁଗାଁ ମଧ୍ୟରେ ଚଳାଚଳ କରିବ ଓ ଉଭୟ ଦିଗରୁ ବାଲୁଗାଁ ବ୍ରହ୍ମପୁର ମଧ୍ୟରେ ବାତିଲ୍‌ ରହିବ। ସକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍‌, ଭାସ୍କୋଡ଼ାଗାମା-ହାଓ୍ଵଡ଼ା ଅମରାବତୀ ଏକ୍ସପ୍ରେସ୍‌ ଓ ପୁରୀ-ଯଶୋବନ୍ତପୁର ଗରୀବ୍‌ ରଥ ଏକ୍ସପ୍ରେସ୍‌ ବ୍ରହ୍ମପୁର ଷ୍ଟେସନରୁ ୧ ଓ ୨ ନମ୍ବର ପ୍ଲାଟ୍‌ଫର୍ମ ପରିବର୍ତ୍ତେ ୩ ଓ ୪ ନମ୍ବର ପ୍ଲାଟ୍‌ଫର୍ମରୁ ଛାଡ଼ିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ରାଜଧାନୀ ଏକ୍ସପ୍ରେସ୍‌ ସମୟରେ ପରିବର୍ତ୍ତନ

ଉତ୍ତର ଭାରତରେ ଲାଗି ରହିଥିବା ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ସୋମବାର ଭୁବନେଶ୍ୱରରୁ ନିର୍ଦ୍ଧାରିତ ସମୟ ସକାଳ ୯.୩୦ ପରିବର୍ତ୍ତେ ଅପରାହ୍ନ ୨.୩୦ରେ ଛାଡ଼ିବ। ସେହିପରି ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ହରିଦ୍ୱାରରୁ ସକାଳ ୫.୪୫ ପରିବର୍ତ୍ତେ ସକାଳ ୧୦.୩୦ରେ ଛାଡ଼ିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର