ଆଦିବାସୀଙ୍କ ନିଆରା ପରବ “ଫୁଲ ଯାତରା”

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଚାଂୟତ ଅନ୍ତର୍ଗତ ବିରିଗୁଡା ଗ୍ରାମ ଠାରେ ଆଦିବାସୀ ସମ୍ପ୍ରଦାୟର ଦିନିକିଆ ନିଆରା ଫୁଲଯାତରା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଯାତରାରେ କୋରାପୁଟ ଓ ରାୟଗଡା ଜିଲ୍ଲା ସିମାନ୍ତବର୍ତ୍ତୀ ଅଚଂଳର ଅନେକ ଗ୍ରାମର ହଜାର ହଜାର ଆଦିବାସୀ ଲୋକ ଯୋଗ ଦେଇଥାନ୍ତି। ଭଳିକି ଭଳି ଖେଳଣା ଦୋକାନ ସହ ମିଷ୍ଠାନ ଦୋକାନ ମଧ୍ୟ ଅସ୍ଥାୟୀ ରୁପେ ଖୋଲାଯାଇଥିବା ବେଳେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା। ପାରମ୍ପରିକ ବାଜା ବାଜୋଣା ସହ କମ୍ପି ଉଠିଥିଲା ସମଗ୍ର ଯାତରା ପଡିଆ।

କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ସମସ୍ତ ବ୍ଲକ ବଣ ପାହାଡ ଘେରା ମଧ୍ୟରେ ଅବସ୍ଥାପିତ। ଜିଲ୍ଲାରେ ଥିବା ୧୪ଟି ବ୍ଲକରେ ବସବାସ କରୁଥିବା ଅନେକ ପ୍ରକାର ଆଦିବାସୀ ନିଜନିଜ ପରବ ମାନିବାରେ କାହାଠାରୁ କମ ନୁହନ୍ତି। ଏହା ମଧ୍ୟରେ ଲକ୍ଷ୍ମୀପୁର ବ୍ଲକରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ସବୁଠୁ ଅଲଗା। ବିଶେଷକରି ସ୍ଥାନୀୟ ବ୍ଲକର ଓଡିଆପେଣ୍ଠ ପଚାଂୟତ ଅନ୍ତର୍ଗତ ବିରିଗୁଡା ଗ୍ରାମଠାରେ ଗୋଟିଏ ଦିନ ଧରି ଅନୁଷ୍ଠିତ ହୁଏ “ଫୁଲଯାତରା”, ଜୋଉ ଯାତରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଲୋକ ଗୋଟିଏ ଦିନ ଧରି ଏକତ୍ରିତ ହୁଅନ୍ତି ଓ ମହାଆଡମ୍ବର ସହକାରେ ଫୁଲ ଯାତରାର ମଜା ଉଠାନ୍ତି। କେଉଁ ପୁରାତନ ଯୁଗର ରାଜାରାଜୁଡା ଅମଳରୁ ଚଳି ଆସୁଥିବା ଏଇ ଫୁଲଯାତରା ଆଦିବାସୀ ସମ୍ପ୍ରଦାୟର ବିଶ୍ୱାସର ଯାତରା ଅଟେ। ଏହି ଯାତରା ମାଧ୍ୟମରେ ଫୁଲ ଦେବୀଙ୍କ ପାଖରେ ଯାହା ମାନସିକ କରାଯାଉଥିଲା ତାହା ପୁର୍ଣ ହେଉଥିଲା ତେଣୁ ଆଜିଯାଏଁ ଏହି ବିଶ୍ୱାସକୁ ଆଖି ଆଗରେ ରଖି ଅଦିବାସୀ ସମ୍ପ୍ରଦାୟ ଯୁଗଯୁଗ ଧରି ପାଳି ଆସୁଛନ୍ତି ଫୁଲଯାତରା।

ପ୍ରତ୍ୟେକ ବର୍ଷ ଦିପାବଳୀ ଉତ୍ସବ ସମାପ୍ତ ହେବା ପରେ ଯେଉଁ ଶନିବାର ପଡେ ସେହିଦିନ ଫୁଲ ଯାତରା ଗୋଟିଏ ଦିନ ଧରି ବିରିଗୁଡା ଗ୍ରାମପାଖ ଏକ ପଡିଆରେ ଅନୁଷ୍ଠିତ ହୁଏ। ଯେଉଁ ଦିନ ଯାତରା ଆରମ୍ଭ ହୁଏ ସେହିଦିନ ବିରିଗୁଡା ଗ୍ରାମର ଏକ ଆମ୍ବ ଗଛ ତଳେ ପୁଜାର୍ଚନା କରି ବେଜୁଣି ଓ ଗ୍ରାମର ବୃଦ୍ଧାମାନେ ଏକ ନୁଆ ବାଉଁସ ପାଚିଆରେ ଫୁଲ ଦେବୀଙ୍କୁ ଫୁଲ ମାଳରେ ସୁଶୋଭିତ କରି ଏକ କିଲୋମିଟର ଦୂର ଯାତ୍ରା ପଡିଆରେ ଥିବା ଅସ୍ଥାଇ ମନ୍ଦିରକୁ ଆଣନ୍ତି। ସେଠାରେ ସର୍ବ ସମୁଖରେ ପୁଜା କରାଯାଏ। ସେଠାରେ କିଛି ମାନସିକଧାରୀ କୁକୁଡା, ଛେଳି, ମେଣ୍ଢା ବଳି ଦେଇ ନିଜ ନିଜ ଗ୍ରାମକୁ ନେଇ ଭୋଜିଭାତର ଆୟୋଜନ କରନ୍ତି। ଏଥିସହ ବିଭିନ୍ନ ରକମର ପନିପରିବାକୁ ମଧ୍ୟ ପୂଜା କରି ନୂଆ ଖାଆନ୍ତି। ଏହି ଗୋଟିଏ ଦିନ ଧରି ଅନୁଷ୍ଠିତ ଫୁଲ ଯାତରାରେ ପୁରୁଣା ରାଗ ରୁଷାକୁ ଭୁଲି ସମସ୍ତ ଆଦିବାସୀ ସମ୍ପ୍ରଦାୟ ଏକତ୍ରିତ ହୋଇ ଯାତରାର ମଜା ଉଠାନ୍ତି।

ଏବେ ଅନେକ ଅଚଂଳରେ ଧିରେ ଧିରେ ନିଜ ନିଜ ପରମ୍ପରା ବଦଳୁଥିଲେ ମଧ୍ୟ ଲକ୍ଷ୍ମୀପୁର ଅଚଂଳର ଆଦିବାସୀ ସମ୍ପ୍ରଦାୟ ପୂର୍ବରୁ ଚଳିଆସୁଥିବା ପରମ୍ପରାକୁ ବର୍ତମାନ ସୁଦ୍ଧା ଟେକିକି ରଖିଛନ୍ତି। ଏଇ ଆଦିବାସୀ ଲୋକେ ଯେତିକି ସରଳ ସେତିକି ନିଷ୍ଠାପର। ତେଣୁ ବହୁ ପୁରାତନ ଯୁଗରୁ ଚଳିଆସୁଥିବା ଆଦିବାସୀଙ୍କ ନିଆରା ପରବ ଫୁଲଯାତରା ଆଜିବି ବଚିଂକି ଅଛି। ଏଇ ଗୋଟିଏ ଦିନ ଧରି ଅନୁଷ୍ଠିତ ଫୁଲ ଯାତରାରେ ବିଭିନ୍ନ ରକମର ଅସ୍ଥାୟୀ ଖେଳଣା ଦୋକାନ ସହ ସୁସ୍ଵାଦ ଖାଦ୍ୟପେୟର ଦୋକାନ ଖୋଲା ଯାଇଥାଏ। ଏଇ ଯାତରାରେ ଦୋକାନିମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାଆନ୍ତି। ଦିନଥିଲା ଏହି ଯାତ୍ରାରେ ସାଥି ଚୟନ କରାଯିବା ସହ କନିଆ ଝିକା ପରମ୍ପରା ରହିଥିଲା। ବର୍ତମାନ କିନ୍ତୁ ସେ ପରମ୍ପରାରୁ ଆଦିବାସୀମାନେ ଦୂରେଇ ରହିଥିଲେ ମଧ୍ୟ ନିଜ ନିଜ ଭିତରେ ସମ୍ପର୍କକୁ ବଜାୟ ରଖିପାରିଛନ୍ତି। ଚଳିତ ବର୍ଷର ଫୁଲ ଯାତରା ମହାଆଡମ୍ବରେ ଶେଷ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର