ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ ଏମିତି: ପଟ୍ଟା ଦେଲେ, ଜମି ଚିହ୍ନଟ କଲେନି

କେନ୍ଦୁଝର: ସରକାରଙ୍କ ଅଜବ ନୀତି। ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ପଟ୍ଟା ବଣ୍ଟନ କରାଯାଇଛି। ପଟ୍ଟାଭୁକ୍ତ ଜମିଟି କେଉଁଠି ଅଛି ଚିହ୍ନଟ କରାଯାଉ ନଥିବାରୁ ଏହା ହିତାଧିକାରୀଙ୍କ କୌଣସି କାମରେ ଲାଗୁନି। ଜମି ଚିହ୍ନଟ ପାଇଁ ହିତାଧିକାରୀ ତହସିଲ ଏବଂ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ବର୍ଷ ବର୍ଷ ଧରି ନିଜ ପାଖରେ ଜମି ପଟ୍ଟା ଥାଇ ସୁଦ୍ଧା ଠିକଣା ଜାଣି ପାରୁ ନାହାନ୍ତି। ଶହେ କି ଦୁଇଶହ ନୁହନ୍ତି, ଏଭଳି କେନ୍ଦୁଝର ଜିଲ୍ଲାର ୨୯ହଜାର ୨୫୨ଜଣ ହିତାଧିକାରୀ ପଟ୍ଟା ପାଇଥିଲେ ମଧ୍ୟ ଘରଟିଏ ନିର୍ମାଣ କରିପାରୁ ନାହାନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ଥିତି ଉଣାଅଧିକେ ସମାନ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ମୋଟ ୩୮୭୭ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି। ସେମାନଙ୍କ ମଧ୍ୟରୁ ୧୪୯୬ ଜଣଙ୍କ ଜମି ଚିହ୍ନଟ ହୋଇନାହିଁ। ‌ସେହିପରି ବଡ଼ବିଲ ତହସିଲ‌େରେ ୧୪୨୪ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ହୋଇଛି। ସେମାନଙ୍କ ମଧ୍ୟରୁ ୮୧୮ ହିତାଧିକାରୀ ଜମି ଚିହ୍ନଟ ହୋଇନାହିଁ। ଆନନ୍ଦପୁର ତହସିଲ ଅଞ୍ଚଳରେ ୩୮୪୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୯୨୮ ଜଣଙ୍କ ଜମି ଚିହ୍ନଟ ହୋଇନାହିଁ। ଘସିପୁରା ତହସିଲରେ ୨୨୪୦ ହିତାଧିକାରୀଙ୍କ ମଧ୍ୟରୁ ୯୦୨ ଜଣଙ୍କ ଜମି ଚିହ୍ନଟ ହୋଇନାହିଁ। ସେହିପରି ଝୁମ୍ପୁରା ତହସିଲରେ ୨୧୫୮ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ହୋଇଛି। ଏଥିରୁ ୧୦୨୦ ହିତାଧିକାରୀଙ୍କ ଜମି ଚିହ୍ନଟ ହୋଇନାହିଁ। ହରିଚନ୍ଦନପୁର ତହସିଲରେ ୯୨୦୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ୪୯୫୦ ହିତାଧିକାରୀଙ୍କ ଜମି ଚିହ୍ନଟ ହୋଇ ନାହିଁ। ଚମ୍ପୁଆ ତହସିଲରେ ୧୩୫୮ ଜଣ ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କ ମଧ୍ୟରୁ ୧୦୯୫ ଜଣ ହିତାଧିକାରୀଙ୍କ ଜମି ଚିହ୍ନଟ ହୋଇନାହିଁ। ସେହିପରି ଘଟଗାଁ ତହସିଲ ଅଞ୍ଚଳରେ ମଧ୍ୟ ହିତାଧିକାରୀଙ୍କ ଅବସ୍ଥା ସମାନ। ଏଠାରେ ୭୮୯୧ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ହୋଇଥିଲା। ସେଥିମଧ୍ୟରୁ ୪୪୯୯ ଜଣ ହିତାଧିକାରୀଙ୍କର ଜମି ଚିହ୍ନଟ ହୋଇନାହିଁ। ସେହିପରି ତେଲକୋଇ ତହସିଲରେ ୧୦,୭୫୧ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ହୋଇଛି। ଏଥିରୁ ୩୬୮୯ ହିତାଧିକାରୀଙ୍କର ଜମି ଚିହ୍ନଟ ହୋଇନାହିଁ। ସାହାରପଡା ତହସିଲରେ ୧୮୧୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୧୩୦ ଜଣଙ୍କ ଜମି ଚିହ୍ନଟ ହୋଇନାହିଁ। ବାଂଶପାଳ ତହସିଲରେ ୯୪୭୧ ହିତାଧିକାରୀଙ୍କ ମଧ୍ୟରୁ ୫୨୫୩ ଜଣଙ୍କର ଜମି ଚିହ୍ନଟ ହୋଇ ନାହିଁ। କେନ୍ଦୁଝର ସଦର ତହସିଲ ଅଞ୍ଚଳରେ ମୋଟ ୨୮୨୧ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୨୫୦ ଜଣଙ୍କ ଜମି ଏଯାଏ ଚିହ୍ନଟ ହୋଇନାହିଁ। ସେହିପରି ହାଟଡିହି ତହସିଲ ଅଧୀନରେ ମୋଟ ୨୩୨୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ ୧୨୨୨ ଜଣଙ୍କ ଜମି ଚିହ୍ନଟ କରାଯାଇ ନାହିଁ।

ଏ ସଂପର୍କରେ କେନ୍ଦୁଝର ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି ଧୀରେନ୍ଦ୍ର ରାଉତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଅଧିକାଂଶ ସମୟରେ ଏହି ଜମି ଚିହ୍ନଟ ହେଉ ନ ଥିବାରୁ ଆଦିବାସୀମାନେ ଚାଷବାସଠୁ ଆରମ୍ଭ କରି ଘର କିମ୍ବା ଗୁହାଳ ନିର୍ମାଣ କରି ପାରୁ ନାହାନ୍ତି। ଏଭଳିସ୍ଥଳେ ଯଦି ସେମାନେ ନିଜ ଜମି ଛାଡ଼ି ଜଙ୍ଗଲ ଜମିକୁ ବ୍ୟବହାର କ‌ରନ୍ତି, ତେବେ ଜଙ୍ଗଲ ବିଭାଗ ସେମାନଙ୍କୁ ହଇରାଣ କରୁଛି। ତେଣୁ ଏହି ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କ ଜମି ଚିହ୍ନଟ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର